Unknown

 

 

 

 

 

 

 

 

ମାୟାବୀ ସପ୍ତମ ଖଣ୍ଡ

(ପ୍ରଥମ ଭାଗ)

ଶ୍ରୀ ଗୋବିନ୍ଦ ତ୍ରିପାଠୀ

 

ଆରେ ବାବା, ମୁଁ ସିନା ତୁମରି ଉପକାର ପାଇଁ କହୁଛି, ମୋର ନାଇଁ କଣ ? ଏଇ ଦେଖ କୋଠା ବାଡ଼ି, ଧାନ କୋଠି, ଗାଈ ଗୋରୁ, ଚାକର ବାକର, ଅଚଳାଚଳ ସମ୍ପତ୍ତି, ମୋର ନାଇଁ କଣ ? ମୁଁ କାହାରି ଧନକୁ ଚାହିଁ ଯାଏ ନାହିଁ; ଶାସ୍ତ୍ରରେ କହିଛି ‘‘ପର ଦ୍ରବ୍ୟେଷୁ ଲୋଷ୍ଟ୍ରବତ୍‌’’ ମୁଁ କାହିଁକି କାହାକୁ ଭୟ କରିବି ? ଖାଲି ତୁମର କଷ୍ଟ ଦେଖି ଦିହ ସହୁ ନାଇଁ ବୋଲି କହୁଚି ।

ବକ୍ତା ହେଲେ ମଧୁପୁର ଗ୍ରାମର ସଦାଶିବ ମିଶ୍ର । ସଭାଟା ଜୁଟିଚି ମିଶ୍ର ଆପଣଙ୍କ ଦାଣ୍ଡ ଦୁଆର ଚୌପାଡ଼ୀ ଉପରେ । ପ୍ରତି ଦିନ ଖା ପିଆ ସାରି ପଞ୍ଜାଏ ଲଫଙ୍ଗା ବ୍ରାହ୍ମଣ ଟୋକା ବୁଢ଼ା ଆସି ଏ ଚୌପାଢ଼ୀରେ ଯୁଟନ୍ତି । ପଶା ଗଞ୍ଜପାର ଧୂମ ଉଡ଼େ । ଛଅ ତିନି, ପୋ ବାର, ବିନା ଚନ୍ଦ୍ର ରଜା ଇତ୍ୟାଦି ଖେଳୁଆଡ଼ି ମାନଙ୍କର ରଡ଼ିରେ ଗାଁ ଦାଣ୍ଡଟା କମ୍ପି ଯାଉଥାଏ ଶୁଣା ଅଛି ଏହିପରି ଗୋଟାଏ ରଡ଼ି ଶୁଣି ଗୁନି ବାହାନପତିଙ୍କ ବୋହୂର ଗର୍ଭ ସ୍ରାବ ହୋଇଥିଲା । ତେବେ ସେପରି ଘଟଣା ସଦାଶିବ ମିଶ୍ର ଓରଫ ଶିବବାବୁଙ୍କ ଅମଳରେ ହୋଇନାହିଁ । କାରଣ ଶିବ ବାବୁ ପାଠୁଆ ଲୋକ ଦଶ ପଚାଶ ଜଣଙ୍କ ମଧ୍ୟରେ ଜଣେ ବୋଲାନ୍ତି । ସମାଜ କାଗଜରେ ବେଳେ ବେଳେ ତାଙ୍କ ନା ବାହାରେ । ଆହୁରି ମଧ୍ୟ ଶିଶୁପାଳ ନନ୍ଦଙ୍କ ଠାରୁ ଶୁଣିଛୁ କୌଣସି କଥା ଘେନି ଖାପଚରେ ପଡ଼ିଗଲେ, ନିଜେ ଲାଟ ସାହେବ, ଶିବ ବାବୁଙ୍କୁ ଡାକି ତାଙ୍କର ପରାମର୍ଶ ମାନି ଚଳନ୍ତି । ଆଉରି ମଧ୍ୟ ଶୁଣାଯାଏ ଯେ, ସେ (ଶିବ ବାବୁ, ଲାଟ ସାହେବ ନୁହନ୍ତି) ପାଠ ପଢ଼ି ପାଶ୍‌କରି ସାରିଲା ପରେ ସରକାର ତାଙ୍କୁ ଗୋଟାଏ କିଲଟର ଚାକିରି ଯାଚିଥିଲେ । କିନ୍ତୁ ଲାଟ ସାହେବ କାମ ନ ହେଲେ ନେବେ ନାହିଁ ବୋଲି କହି ଶିବ ବାବୁ ଫେରସ୍ତ ଦେଲେ । ମୋଟ ଉପରେ ଶିବ ବାବୁଙ୍କ ପାଖ ଲୋକମାନଙ୍କ କଥା ବିଶ୍ୱାସ କଲେ, ବୁଝିବାକୁ ହେବ ଯେ, ଶିବ ବାବୁ ଜଣ ସଙ୍ଗିନ୍‍ (ବନ୍ଧୁକର ସଙ୍ଗିନୀ ନୁହେଁ) ବଡ଼ ଲୋକ ଓ ତାଙ୍କ ଭଳି ବୁଦ୍ଧିମାନ ଓ ପ୍ରତିପତ୍ତ ବାଲା ଲୋକ ଓଡ଼ିଶାରେ ଆଉ ଏକରୁ ଦୁଇ ନାହିଁ । ଫଳରେ ଶିବ ବାବୁଙ୍କ ଅମଳରେ ତାଙ୍କ ଚୌପାଡ଼ୀରେ ଏପରି ଗଣ୍ଡ-ଗୋଳ ହେବାର ସମ୍ଭାବନା ନାହିଁ । ଶିବ ବାବୁ ନିଜେ ତାସ, ପଶା, ଗଞ୍ଜାପା ଇତ୍ୟାଦି କିଛି ଖେଳନ୍ତି ନାହିଁ । ଥରେ ତାଙ୍କୁ ଅନେକ ଲୋକ ଖୋସାମଦ କରି ତାସ ଖେଳିବାକୁ ବସାଇ ଥିଲେ, ଏ ପର୍ଯ୍ୟନ୍ତ କଥା ଅଛି, ସେ ଖେଳିବସି ଠିକିରି କିଏ, ନାଲି ପାନ କିଏ ଚିହ୍ନି ପାରିଲେ ନାହିଁ । କେତେ ଥର ତାସାଳିଆ ପିଲାମାନଙ୍କୁ ଓ ଗାଁ ସଭା ସମିତିରେ ଏପରି ଅଳସୁଆ ଖେଳରେ ଦିନ ନ କଟାଇବା ପାଇଁ ବକ୍ତୃତା ଦେଇଛନ୍ତି । ତାଙ୍କ ଦଳୁଆଙ୍କ ଛଡ଼ା ଆଉ କେହି ଏ ଖେଳ ଖେଳିବାର ଦେଖିଲେ ସେ ନାକ ଟେକନ୍ତି, ବେଳ-କାଳ ଉଣ୍ଡି ପଦେ ଦି ପଦ ଝାଡ଼ି ଦିଅନ୍ତି ମଧ୍ୟ । କିନ୍ତୁ ତାଙ୍କ ଦାଣ୍ଡ ଦୁଆରେ ଏ ଆମୋଦଟା ପ୍ରତିଦିନ ବସେ । ଶିବ ବାବୁ ଖେଳନ୍ତି ନାହିଁ ତ, ସେ ଅଲଗା ହୋଇ ଗୋଟାଏ ପଟରେ ଖଣ୍ଡେ ମସିଣା ପକାଇ ଦି ଆଣ୍ଠୁକୁ କୁଣ୍ଢେଇ ଖୁମ୍ବକୁ ଆଉଜି ଦୋଳା ଚୌକିରେ ବସିଲାପରି ଝୁଲୁଥାନ୍ତି । ପାଖରେ ଦି ଚାରି ଜଣ ଆପ୍‌ବଡ଼ା ଖାନ ଦାନ ଲୋକ ବସି ଖୁସି ଗପ ଚାଲିଥାଏ । ଖେଳଟା ପ୍ରାୟ ଚାରିଟା ପର୍ଯ୍ୟନ୍ତ ଚାଲେ । ତା ପରେ ଅଧିକାଂଶ ଖେଳାଳି ନିଜ ନିଜ ଦୁଃଖ ଧନ୍ଦାରେ ଯାନ୍ତି ଓ ବାକି ଶିଶୁପାଳ ନନ୍ଦେ, ଫଲଣା ତିଆଡ଼ିଏ, ଅଲଣା ଦାସେ ଇତ୍ୟାଦି ପାର୍ଶ୍ୱଚର ଆସି ଶିବ ମିଶ୍ରଙ୍କ ମଜ୍‌ଲିସରେ ଯୋଗ ଦିଅନ୍ତି, ଆଡ଼୍‌ଡ଼ାଟା ରାତି ଦି ତିନି ଘଡ଼ି ଯାଏ ଚାଲେ । ଆଡ଼୍‍ଡ଼ାରେ ଜଣ ଜଣ କଥା ପଡ଼େ ତାର ନମୁନା ଓ ସବିଶେଷ ବିବରଣ ଆପଣମାନେ ପରେ ଯଥେଷ୍ଟ ଜାଣି ପାରିବେ ।

ଏହିପରି ଏକ ମଜଲିସରେ ସେ ଦିନ ବିରାଜମାନ ସ୍ୱୟଂ ଶିବ ବାବୁ ପାଖରେ ପାର୍ଶ୍ୱ ଦେବତା, ଅଲଣା, ଫଲଣା, ଶିଶୁପାଳ, ମାରଣା । ବକ୍ତା ଶିବ ମିଶ୍ରେ, ଶ୍ରୋତା ସେହି ଗାଁର ଲଣ୍ଡା ଓରଫ ଶ୍ୟାମ ରଥେ । ପାଳିଆ ଆଉମାନେ । ଭାଗବତରୁ କାଣ୍ଡିଏ ହେଲେ ଥରେ ପାଳି ଧରିବାର କଥା । ଶିବ ବାବୁ ଏତିକି କହି ପାଳିଆମାନଙ୍କ ସ୍ୱରକୁ ଅପେକ୍ଷା କରି ତାଙ୍କ ଆଡ଼କୁ ଚାହିଁଲେ ।

ମାରଣା– ତା ନୁହେ ଆଉ କଣ ? ଶିବବାବୁ ଭାବିଲେ ଏ ଗାଁ ଗୋଟାକ ଯାକ କିଣିନେଇ ଦାନ ଦେଇ ପାରନ୍ତି, ନା କଣ କହୁଛ ଅଲଣାବାବୁ ?

ଅଲଣା ବାବୁ ଓରଫ ଅଲଣା ଦାସେ ତାଙ୍କର ଦରଭଙ୍ଗା ନଖ ଚାରିଟା ପଡ଼ିଆ ବାଡ଼ିରେ ଗୋବର ମେଦା ଭଳି ଚୁଟି କେରାକ ଭିତରେ ପୂରାଇ ରାଫୁ ରାଫୁ କରୁ କରୁ କହିଲେ, ‘‘ଆହା, ହା, ଯୁ କହିବା ଗ୍ରାହକ ! ବଡ଼ତି କରି କହିଲେ କଣ’ ନା, ଶିବ ବାବୁ ଏଁ ଗାଁଟାକୁ କିଣି ଦାନ ଦେଇ ପାରିବେ ! କିଆଁ, ଶିବ ବାବୁଙ୍କର କଣ ହେଇଛି କି ସେ ଦାନ ଦେବେ ? ତାଙ୍କ ଭଳି ଧାର୍ମିକ ଲୋକ, ସେ ହଲିଲା ପାଣିକୁ ଗୋଡ଼ ଦେବେ ନାହିଁ, ପିମ୍ପୁଡ଼ିଟା କଲହରେ ବି ଆଞ୍ଚ ଲଗେଇବେ ନାହିଁ ।

ଶିବ ବାବୁ– ଶୁଣିଲୁରେ ଲଣ୍ଡା ! ମୁଁ ଅବା ମିଛ କହୁଥିବି, ବି ବଡ଼ି ବତିଆଣ କରି କହୁଥିବି । ଦାସେ ତ ତୋର ପାଖ ପଡ଼ିଶା ତାଙ୍କ କଥା ଶୁଣ !

ଲଣ୍ଡା– ମୁଁ ଶୁଣିବି କଣ ମିଶ୍ର ଆପଣେ, ମୁଁ କଣ ଜାଣେ ନାହିଁ ଆପଣ ହେଲେ ଗରିବ ମାନଙ୍କର ମା ବାପ । ଦୁଃଖି ରଙ୍କିଙ୍କର ସାହା ଭରସା । ଏ କଥା କିଏ ନ ଜାଣେ !

ଶିବ– ବାଃ, ବାଃ, ପିଲାଟିତ ବେଶ୍‌ବୁଦ୍ଧିମାନ, ବେଶ ଚତୁର ନାଇଁହେଁ ତିଆଡ଼ିଏ ?

ଫଲଣା– ଗୋଟାଏ ବଂଶର ପିଲା କିନା ! ଏବେ ସିନା ଗରିବ ହେଇ ଗଲେ, ତା’ନ ହେଲେ ଆପଣଙ୍କ ବଂଶକୁ ଛାଡ଼ିଦେଲେ ରଥ ବଂଶଠୁ ବଳି ଆଉ ଗାଁରେ କିଏ ଥିଲା ?

ଶିବ– ତା ଏକା କହିଲ ସତ ! ସେଇଥି ପାଇଁ ମୋ ମନଟାରେ ବଡ଼ ଦୁଃଖ, ଏଡ଼େ ବଡ଼ ବଂଶଟାଏ, ଛାରଖାର ହୋଇଗଲା । ଯେ ପାରିବାର ହେଲା ସେ ଯଦି ମଣିଷ ହୋଇଥାନ୍ତା –

ଶିଶୁ– କାହା କଥା କହୁଛନ୍ତି ଆପଣ ? ସେଇ ବଳି ବାବୁ ଘର କଥା ଟିକ ! ଆରେ ରାମ୍‌, ରାମ୍‌, ମଣିଷ ପୁଞ୍ଜେ ଖାଇ କରି ଆସି ନାହିଁ । ଆଜି ମୁଠାଏ ମିଳିବା କଷ୍ଟ, ସେ ମଣିଷ ? ଆଉ ପଶୁ କିଏ ?

ଶିବ– ହଁ, ଆପଣମାନେ ସିନା କହିବେ, ମୁଁ ତ କହିପାରୁ ନାହିଁ । ଯାହା ହେଉ, ଯଦି ମଣିଷ ହୋଇଥାନ୍ତା, ତା ହେଲେ ଏମାନଙ୍କ ଅବସ୍ଥା ଏତେ ଦୂର ହୋଇଥାନ୍ତା କିଆଁ ? ଆରେ, ତୁଯେ ପାଠ ପଢ଼ିଲୁ ମଣିଷ ହେଲୁ ଦି ପଇସା ରୋଜଗାର କଲୁ, ସେ କାହା ଲାଗି ? ବାପ ଅଜାଙ୍କ ଧନରେ ପାଠ ପଢ଼ି ତ ? ଆଇନ ଅନୁସାରେ ତ ତା ସମ୍ପତ୍ତିରେ ତା ରୋଜଗାରରେ ସବୁ ଭାୟାଡ଼ାଙ୍କର ଭାଗ ଅଛି । ସେ ଚଣ୍ଡାଳ ବୋଇଲା ନାଇଁ ଏତେ ଜମି ବାଡ଼ିତ କରି ଗଲି ଭୟାମାନଙ୍କୁ ସେଥିରୁ ବିଲ ବାଟିଏ ଖଣ୍ଡେ କି ଟଙ୍କା ଦଶ ହଜାର ଦେଇ ଯାଏଁ । ସବୁ ନିଜ ନାଁରେ କରି ନେଲା । ନେଲା ଯେ କଣ ଖାଇଲା ?

ଅଲଣା– ଏପରି ଅଧର୍ମ ଯେ କରେ, ତାକୁ କଣ ଦଇବ ସହେ ! ଯିମିତି ଅଧର୍ମ କଲା, ସିମିତି ଅଧା ବୟସରେ ଟୋକି ମାଇପ କନ୍ଦେଇଗଲା ।

ଫଲଣା– ଆଉ ଯୁ ମାଇପ ! ବାପରେ, ସାକ୍ଷାତ୍‌ ଗୋଟାଏ ମା କାଳୀ । ସେ ତ କହୁଛି ଏ ଗାଁ ଟା ଯାକ ମୁଁ କିମିତି ଖାଇ ଯାନ୍ତି ।

ଲଣ୍ଡା– ଆଜ୍ଞା ସେ କଥା ଆଉ କଣ କହୁଛନ୍ତି । ସେ ଦିନ ତାଙ୍କ ବାଡ଼ି ଆମ ବାଡ଼ି ଦୋ ସିମାଳିର ଗୋଟାଏ ମେଘୁଆ ଗଛରୁ ମୋ ବୋଉ ଦି ଚାରିଟା ମେଘୁଆ ତୋଳି ନେଇଥିଲା ବୋଲି ପାଟକ କଳି ଲଗେଇଲା ପରା ଆମ ସାଙ୍ଗରେ ।

ଶିବ– ଏଇ, ଏଇତ ଅବସ୍ଥା ! ସେ, ମାଈକିନିଆର ଏ ସମ୍ପତ୍ତିରେ କଣ ଅଛି । ତାର ସେ ଅଛଦରା ଗବ ଗାଣ୍ଡୁ ଟୋକାଟା ନ ଥିଲେ ସମ୍ପତ୍ତିରେ ମାଲିକ ତ ହୁଅନ୍ତେ ଏଇ ଲଣ୍ଡା ବାବୁ ସେ ତ ଖାଲି ଖୋରାକ ପୋଷାକ ପାଇବା ହକ୍‌ଦାର ।

ଶିଶୁ– ସେ କଥାତ ଠିକ୍‌, କି ଆଇନ୍‌ ବୁଦ୍ଧି ! ଓକିଲ ମୁକ୍ତାର କଣ କରିବେ ହେ ?

ଅଲଣା– ଠିକ୍‌ କହିଲେ; ଆପଣ, ଠିକ୍‌ କହିଲେ, ସେଇ ଟୋକାଟା ରହି ତ ସବୁ ଭଣ୍ଡୁର କରୁଚି ।

ଶିବ– ରହିଚି ବୋଲି କହିଲେ ତ ହବ ନାହିଁ, ଏହାର କିଛି ଗୋଟାଏ ଉପାୟ କରିବା ଦରକାର ତ ! ଆପଣମାନେ ତ ସମସ୍ତେ ଅଛନ୍ତି, କ’ଣ କରିବା ଗୋଟାଏ ଠିକ କଲ ଦେଖି ।

ଲଣ୍ଡା– ଆଜ୍ଞା, ମାଲି ମକଦମା କରିବାକୁ ତ ଆମର ପଇସା ପତ୍ର ନାହିଁ ସେ କଥା ଭାବି ଆଉ କଣ ହେବ ! ଭଗବାନ ଆମକୁ ଯେତିକି ଦେଇଚନ୍ତି ସେଇତକ ରହିଲେ ହେଲା ଆପଣମାନଙ୍କ ଦୟାରୁ ।

ଶିବ– ଓଃ, ତା ହେଲେ ଆମର ଏତେ ମୁଣ୍ଡ ବଥା କାହିଁକି, ହଇହେ ତିଆଡ଼ିଏ ?

ଫଲଣା– ମୁଁ ପରା ସେଇ କଥା ଆପଣଙ୍କୁ ଆଗରୁ କହୁଥିଲି । ଘୁଷୁରିକି ପାଚିଲା କଦଳି କୁଆଡ଼େ ସୁଆଦ ଲାଗିଲାଣି ?

ଅଲଣା– ଆରେ ରାମ୍‌, ରାମ୍‌, ସେ କଥା ଆଉ କହନା, ଏ ଯୁ ଲୋକେ, ୟାଙ୍କ ମୁହଁରେ ଭାତ ଗୁଣ୍ଡା ନେଇ ଗେଞ୍ଜି ଦେଲେ ମଧ୍ୟ ୟେ ଗିଳିବେ ନାହିଁ, ମର – ନିଯେ ମର, କାହାର କଣ ଅଛି ?

ଶିଶୁ– ସତେ ହେ, ଏ ଲୋକ ଗୁଡାକ କେଡ଼େ ବେହିମାନ, କିରେ ତୁ କଣ ଭାବିଛୁକି ? ଶିବ ବାବୁଙ୍କ ପରାମର୍ଶ ପାଇଁ ନିଜେ କିଲଟର କମିସନର ଆସି ଧାରଣା ଦେଇ ବସୁଚନ୍ତି, ତତେ ଯାଚି ପରାମର୍ଶ ଦିଆହେଲା, ପିତା ଲାଗିଲା । ତୋ ମନରେ ଯେବେ ଏତେ କଥା ଥିଲା, ତେବେ ଆଗଛ ସେଇଆ କହିଦେଲୁ ନାହିଁ, ବାବୁଙ୍କର ଏତେ ସମୟ ଅଯଥା କାହିଁକି ନଷ୍ଟ କଲୁ ?

ଲଣ୍ଡା ବିଚାରା ଏତେ ଲୋକଙ୍କ କାଉ କାଉରେ ଅପ୍ରସ୍ତୁତ ହେଲାଭଳି ହୋଇ ଯାଇ କହିଲ, ‘‘ନାଇଁ, ମୁଁ କଣ ମିଶ୍ର ଆପଣଙ୍କ କଥା ଶୁଣିବାକୁ ନାହିଁ କରୁଛି, ଯାହା କହିବେ ସେଥିରେ ହାଜର ଅଛି ।’’

ଶିବ– ନାଇଁ, ନାଇଁ, ଆମର ଆଉ ସେ କଥାରେ ଦରକାର ନାହିଁ । ଚାଲହେ, ନଈ କୂଳକୁ ଯିବା ଚାଲ !

ଅଲଣା– ନାଇଁ, ନାଇଁ ଆଜ୍ଞା, ସେ ପିଲାଲୋକ, ତା ଉପରେ ରାଗ କଲେ କଣ ହେବ, ସେ ବୁଝି ପାରିଲା ନାହିଁ, ତା ଦୋଷ ମାଫ କରନ୍ତୁ । ପଡ଼ରେ ବାବୁଙ୍କ ଗୋଡ଼ ତଳେ ପଡ଼ !

ବିଚରା ଲଣ୍ଡା ବି ଯେ ଦୋଷ କରିଚି, ବୁଝି ପାରିଲା ନାହିଁ । ତଥାପି ଏମାନଙ୍କ କଟାଳରେ କାନ୍ଦ କାନ୍ଦ ହୋଇ ଶିବ ବାବୁଙ୍କ ଗୋଡ଼ ଧରି କହିଲା ‘‘ଆଜ୍ଞା, ମୋ ଦୋଷ ଧରନ୍ତୁ ନାହିଁ, ଯାହା କହିବେ, ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି ।’’

ଶିବ– ଆରେ ଏତ ଆଛା ବିପଦ, ହଉ, ଆଉ କଣ କରିବା, ଆପଣମାନେ ଯେତେବେଳେ କହୁଚନ୍ତି, କଣ କରିବାକୁ ହବ ତେବେ କୁହନ୍ତୁ ?

ଶିଶୁ– କଥା ହଉଚି, ସେ ଅପଦାର୍ଥ ଧୋଇଆଟାକୁ ସାବାଡ଼ ନକଲେ –

ଲଣ୍ଡା– ଆଜ୍ଞା, କଣ ହଣା-ମରା ? ଆଜ୍ଞା ମୁଁ –

ଶିବ– ମୁଁ ଏଇଥି ପାଇଁ କହୁଥିଲି, ମୁଁ ୟା ଭିତରେ ରହିବି ନାହିଁ । ଶୁଣିଲ ତ ! ହଣା-ମରା କଥା କିଏ କହିଲା ଏଠି ? ଅଲଣା, ଶିଶୁପାଳ ପ୍ରଭୃତି ପୁଣି କାଉ କାଉ କଲେ, ଏଥର ଲଣ୍ଡା ବିଚରା ନିଜ ଦୋଷ ଦର ବୁଝା ହୋଇ ପୁଣି ଗୋଡ଼ ଧଇଲା । ଶାନ୍ତି ଆସିବା ପରେ, ଶିବ ବାବୁ କହିଲେ, ‘‘ହଁ କଣ କହିଲେ ?’’

ଶିଶୁ– କହିଥିଲି ସେ ଟୋକାଟାକୁ କୌଣସି ମତେ ଖସେଇବାକୁ ହବ ଏ ଗାଁରୁ ।

ଶିବ– ତାର ଉପାୟ ?

ଶିଶୁ– ଉପାୟ ମୁଁ ଠିକ୍‌ କରୁଚି । ସେ ଟୋକାଟା ଯେପରି ବୋକା ଆଉ ଗଧ, ତାକୁ ବିରକ୍ତ କଲେ ସେ ଏ ଗାଁ ଛାଡ଼ି ପଳେଇବ । ଟୋକାଟାଏ ତ; ତାକୁ ଜବତ୍‌କରିବାକୁ କେତେ ବେଳ-! ଖାଲି ଲଣ୍ଡା ଆମ କଥା ଶୁଣିଲେ ହେଲା ।

ଅଲଣା– ନ ଶୁଣିବ ତ, ସେ ଭୋଗିବ । ମଲା ଯାଏ ଏହିପରି ଭିକ ମାଗି ପେଟ ପୋଷିବ ।

ଫଲଣା– କିରେ ଲଣ୍ଡା, କଣ କହୁଚୁ ? ବୁଝୁଚୁତ କଣ ହେବ ? ଏ ଟୋକାଟା ଯଦି ସାବାଡ଼ ହୁଏ ଏ ସବୁ ବିଷୟ ଅଶୟ ଯାହା ଅଛି ସେ ସବୁରେ ମାଲିକ ହବ ତୁମେ । କୋଠା ବାଡ଼ି, ଦିଶ କି ତିନିଶ ଏକର ସୁଦ୍ଧ ସୁବର୍ଣ୍ଣ ଜମି, ନଗଦ ପଚିଶ ହଜାରେ କି ତିରିଶ ହଜାରେ ଟଙ୍କା, ଏ ସବୁ ତ ତୁମେ ପାଇବରେ ବାବୁ । ତୁମେ ସିନା ତାଙ୍କର ୱାରସ୍‌, ଆମେ ତ ନୋହୁ ଯେ ସେଥିରୁ ଭାଗ ନେବୁ ।

ଲଣ୍ଡା ବିଚରା ଟୋକା, ମାତ୍ର ବାଇଶି ବର୍ଷ, ଏତେ ପ୍ରଲୋଭନ, ତାର ଆଖିଟା ଝଲସି ଉଠିଲା, ସେ କଳ୍ପନା କରି ନେଲା, ଦୋତାଲା ପକା ଉପରେ ବସି ଝୁଲା ଚୌକିରେ ହାଉଆ ଖାଇବା ସୁଖ, ମନେ କରି ନେଲା ରଇତ ବାଇତଙ୍କ ଉପରେ ହୁକୁମ ଜାରିର ମଉଜ । ଭାବି ନେଲା, ଆଉ ସକାଳୁ ସନ୍ଧ୍ୟା ଯାଏ ଗତର ଖଟି ମଧ୍ୟ ଏ ଓଳି ସେ ଓଳି ମୁଠାଏ ବଗଡ଼ା ଭାତ ପେଟରେ ପକାଇବାର ଭାବନା ରହିବ ନାହିଁ । ସେ କହିଲା ଆଜ୍ଞା ସତେ କଣ ଏ କଥା ହବ ?’’

ଶିବ– ଆରେ ହବ, ସବୁ ହବ, ମନ ଥିଲେ ଲୋକେ ଲଙ୍କା ରାମେଶ୍ୱର ଯାଉଚନ୍ତି, ଆଉ ଏ କିବା ବଡ଼ କଥାଟେ ? ଗୋଟାଏ ଟୋକାର ପ୍ରାଣ ଶାସ୍ତ୍ରରେ କହିଚି ମଣିଷ ଜୀବନ ପାଣି ଫୋଟକା ପରି, ଗୋଟାଏ ଫୁକାରରେ ଉଡ଼ିଯିବ ।

ଶିଶୁ– ତୁ ଯଦି ରାଜି, ସେ କଥା କହ, ଆମେ ସବୁ କରଦେବୁ, ତତେ କିଛି କରିବାକୁ ହେବ ନାହିଁ ।

ଲଣ୍ଡା– ସେ ବିରକ୍ତ ହୋଇ ମଧ୍ୟ ଯଦି ଗାଁ ଛାଡ଼ି ନ ଯାଏ ?

ଶିଶୁ– ତା ହେଲେ ଗୋଟାଏ ପିଲାର ଜୀବନ କେତେ କଡ଼ାର !

ଲଣ୍ଡା– କିନ୍ତୁ ଜୀବନରେ –

ଶିଶୁ– ଆରେ ଧାତ, ସେ ଯାହା କରିବାକୁ ହେବ, ସେ ସବୁ ଆମର, ତୁ ଖାଲି ଆମ କଥା ମାନି ଚଳିବୁତ କହ ?

ଲଣ୍ଡା– ଆଜ୍ଞା, ଖାଲି ତାର ପ୍ରାଣଟା ନବା ଛଡ଼ା, ଆଉ ଯାହା କହିବେ ତା କରିବାକୁ ମୁଁ ରାଜି ଅଛି ।

ଶିଶୁ– ତେବେ ଆଉ କଣ ? ଏଥରକ ତ ସବୁ ଆପଣଙ୍କ ଉପରେ ବାବୁ ।

ଶିବ– କିନ୍ତୁ ଭାବି ଦେଖିଚ, ଏଥିରେ ଖରଚ କେତେ ? ଏ ପଇସା ଆସିବ କୁଆଡ଼ୁ ?

ଅଲଣା– ଆଜ୍ଞା ସେଥିରେ ଆପଣ ସାହାଯ୍ୟ ନ କଲେ କଣ କିଛି ହୋଇ ପାରିବ ?

ଶିବ– ମୁଁ ଏତେ ପଇସା କୁଆଡ଼ୁ ଆଣିବି ! ଆଣିଲେ ବା ମୁଁ ତୁଛାଟାରେ ପାଞ୍ଚ ହଜାର କି ଦଶ ହଜାର ଟଙ୍କା ଖର୍ଚ୍ଚ କରିବି କିଆଁ !

ଫଲଣା– ଆଜ୍ଞା ଟଙ୍କା ପାଞ୍ଚ ଦଶ ହଜାର ଆପଣଙ୍କୁ କେତେ ? ଧାନ ମୁନ୍ଦୁରାରୁ କୁଆ ଥଣ୍ଟେ ନେଲା ଭଳି । ଆପଣ ସାହାଯ୍ୟ ନ ହେଲେ ଆଉ ଏ ଖଣ୍ଡ ମଣ୍ଡଳରେ କାହାର ଧାତି ଅଛି କିଏ କରିବ ?

ଶିବ– ନା ନା, ଆପଣମାନେ ବୁଝିପାରୁ ନାହାନ୍ତି, ଏ ବଡ଼ ଶକ୍ତ କାମ । ଏଥିରେ ଭଲ-ମନ୍ଦ ନାନା ପ୍ରକାର କଥା ହୋଇପାରେ । ମୁଁ ମାଗଣା ଟଙ୍କା ଦେଇ କାମ ତୁଲାଉ ଥିବୁ, ଧର କିଛି ଗୋଟାଏ ମନ୍ଦ ଘଟଣା ହୋଇଗଲା, ତା ହେଲେ ଲୋକେ ଜାଣିଲେ କହିବେ, ‘‘ଆରେ ଏଇତ ଟଙ୍କା ପଇସା ମାଗଣା ଦଉଥିଲେ, ଏଇ ସବୁ କରୁଚନ୍ତି,’’ ମୋର କେତେ ଦୁର୍ନାମ ହବ ? ମୁଁ ସିନା ଭିତରେ ଭିତରେ ରହିବି ।

ଫଲଣା– ତା ଏକା ସତ କଥା, ହଇହେ ନନ୍ଦେ କଣ କହୁଚ ?

ଶିଶୁ– ମୁଁ କହୁଚି, ଲଣ୍ଡା ଗୋଟାଏ ଦଶ ହଜାର ଟଙ୍କାର ହାଣ୍ଡ ନୋଟ କରି ଦଉ, ତା ହେଲେ ତ କାମ ତୁଟିଯିବ।

ଲଣ୍ଡା– ଦଶ ହଜାର ଟଙ୍କାର ହାଣ୍ଡ ନୋଟ ! ମୁଁ ଏତେ ଟଙ୍କା ପାଇବି କେଉଁଠାରୁ ଯେ ଶୁଝିବି !

ଅଲଣା– ଆରେ ପାଗଲ, ତତେ ତ ବିକିଲେ ଦଶଟା ଟଙ୍କା ବି ହବ ନାହିଁ, ଦଶ ହଜାର ଟଙ୍କାର ଯେ ହାଣ୍ଡ ନୋଟ କରି ଦେବୁ, ତାହା କଣ ଶୁଝିବୁ ବୋଲି କରିବୁ ? ଆମେ କଣ ବୁଝୁ ନାହୁଁ ସେ କଥାଟା ଅସମ୍ଭବ ! ଖାଲି ଶିବ ବାବୁଙ୍କ କଥା ରଖିବା ପାଇଁ ଏ କଥାଟା କରିବାକୁ ହବ ମାତ୍ର ।

ଲଣ୍ଡା– ମୋ ଉପରେ ତ କିଛି ଦାୟିତ୍ୱ ଆସିବ ନାହିଁ !

ଫଲଣା– ଆରେ ଧାତ୍‌ ! କି ଦାୟିତ୍ୱ ଆସିବ ? ବୁଝୁନାହୁଁ, ଯେବେ ଆମ କାମ ଠିକ୍‌ ହୋଇଯିବ, ତୁ ଏତେ ସମ୍ପତ୍ତିରେ ମାଲିକ ହେବୁ । ଧର ଯଦି ଶିବ ବାବୁ ଟଙ୍କାଟା ନବା ପାଇଁ ଧରି ବସିବେ, ତା’ ହେଲେ ସେତେବେଳେ ଦଶ ହଜାର ଟଙ୍କା ଶୁଝିବାକୁ ତତେ କେତେ ଘଡ଼ି ଲାଗିବ ? ନାଇଁ ଯଦି ଏ କଥା କିଛି ନ ହେଲା ତା ହେଲେ ଶିବ ବାବୁ ତୋ ଠାରୁ ପାଇବେ ଚୋପା ଯେ ତେତେ ଟଙ୍କା ମାଗିବେ ?

ଲଣ୍ଡା ଦେଖିଲା କଥାଟା ଠିକ । ସେ ରାଜି ହୋଇଗଲା । ଠିକ୍‌ହେଲା ତହିଁ ଆର ଦିନ ଯାଇ ପୁରୀରେ ହାଣ୍ଡ ନୋଟ୍‍ ଟା ରେଜିଷ୍ଟ୍ରି ହବ । କେହି ଯେପରି ନ ଜାଣନ୍ତି । ତା ପରେ କାର୍ଯ୍ୟ ଆରମ୍ଭ କରା ହେବ ।

Image

 

 

ଉପରେ ଯେ ସବୁ କଥା କୁହାଗଲା, ତାର ଟିକିଏ ଟିକା ଟିପ୍‌ପଣୀ ଦରକାର । ବଳି ବାବୁ ଓରଫ ବଳଭଦ୍ର ରଥ ଏଇ ମଧୁପୁର ଗ୍ରାମର ଜଣେ ଭଦ୍ର ବ୍ୟକ୍ତି । ତାଙ୍କର ପିତା ଯେତେବେଳେ ମରିଗଲେ, ଛାଡ଼ି ଯାଇଥିଲେ ସମ୍ପତ୍ତି ମଧ୍ୟରେ ଦି ମାଣ ଧାନ ଜମି, ମାଣେ ନଡ଼ିଆ ବଗାତ ଓ ପାଏ ନଈ ଆଉ ବିପଦ ମଧ୍ୟରେ ଛାଡ଼ି ଯାଇଥିଲେ ଛ ବର୍ଷର ଗୋଟିଏ ପୁଅ ‘ବଳି’, ଷୋଳ ବର୍ଷର ଗୋଟିଏ କନିଆ ମାଇପ, ଓ ଏ ପଟେ ସେ ପଟେ ଦୁଇ ଘର ବିରାଦର ଲଣ୍ଡାର ବାପା ହରି ରଥେ ଓ ଚିନ୍ତାମଣି ରଥେ । ବଳି ବାବୁ ମାମୁଁ ଘରେ ରହି ଏଣ୍ଟ୍ରାନ୍ସ ପାଶ୍‌କଲେ । କୋଡ଼ିଏ ଟଙ୍କା ବୃତ୍ତି ପାଇ ବଳି କଟକ ପଢ଼ିବାକୁ ଗଲେ । ଆସ୍ତେ ଆସ୍ତେ ସେ ଏମ୍‌. ଏ, ପାଶ କଲେ । ସବୁ ଥରେ ବୃତ୍ତି ନେଇଚନ୍ତି । ଗୋଟାଏ ଅଧେ ଟିଉସନ୍‌କରି ବାକି ଖର୍ଚ୍ଚଟା ତୁଲାଇଚନ୍ତି । ତା ପରେ ସେ ପୁଲିସ ଡ଼େପୁଟି ସୁପରିଣ୍ଟେଣ୍ଡେଣ୍ଟ ହେଲେ । ଭଲ ଭାବରେ ଓ ମନ୍ଦ ଭାବରେ ହରେକ ରକମ ଉପାୟରେ ସେ ଅନେକ ଟଙ୍କା ରୋଜଗାର କରି ଯାଇଥିଲେ । କିନ୍ତୁ ସେ ବେଶୀ ଦିନ ବଞ୍ଚି ପାରିଲେ ନାହିଁ । ଚାକିରି କରିବାର ୧୫ବର୍ଷ ପରେ ସେ ଚମ୍ପାରନରେ ପ୍ଳେଗ ରୋଗରେ ମରିଯାଇ ଥିଲେ । ସେ ଚାକିରି କରି ବିବାହ ହୋଇଥିଲେ । ତାଙ୍କ ସ୍ତ୍ରୀ କୌଶଲ୍ୟା ଦେବୀ ବାଲେଶ୍ୱରର ବିଖ୍ୟାତ ଶତ୍‌ପଥି ବଂଶର ଝିଅ ପାଠ ଶାଠ ବେଶ୍‌ଜାଣନ୍ତି, ବଡ଼ ଚରିତ୍ରବତୀ । ସ୍ୱାମୀ ମରିଗଲା ବେଳକୁ ତାଙ୍କୁ ମାତ୍ର ୩୦ର୍ଷ, କୋଡ଼ରେ ଗୋଟିଏ ବୋଲି ପୁଅ ଧୋଇଆ ୧୨ବର୍ଷ ହବ-। ତାଙ୍କର ଭାଇମାନେ, ତାଙ୍କୁ ବାପଘରେ ରହିବାକୁ କହିଥିଲେ । ମାତ୍ର ସେ ସେ କଥାକୁ କାନ ଦେଲେ ନାହିଁ । କହିଲେ, ‘‘ମୋର ସ୍ୱାମୀ ଯେ ସମ୍ପତ୍ତି କରି ଯାଇଛନ୍ତି, ତାକୁ ଦେଖାଶୁଣା କଲେ ମୋ ଭାତ ଆଉ ଆଉ କିଏ ଖାଇବ ! ମୁଁ କାହିଁକି ତୁମ ଘରେ ରହିବି ?’’ ଏହା କହି ଆସି ଗାଁରେ ଆସନ ମାଡ଼ି ବସିଲେ । ପାଖ ପଡ଼ିଶା ବିରାଦରମାନେ ଆଶା କରିଥିଲେ ଏ ମାଇପି ଲୋକତ ତା ବାପଘରେ ରହିବ ଆମେ ସବୁ ମାରି ପିଟି ଖାଇବୁଁ । ସେ ଆସି ଆସନ ମାଡ଼ି ବସିବାରୁ ସେମାନଙ୍କ ମନ ଫିକା ପଡ଼ିଗଲା ତଥାଫି ଆଶା ଥିଲା, ଯେତେ ହେଲେ ମାଇପି ଲୋକତ, ଆମ୍ଭମାନଙ୍କର ସାହାଯ୍ୟ ନ ନେଇ ଚଳିବ କେତେକେ ? କିନ୍ତୁ ଦେଖିଲେ କୌଶଲ୍ୟା ଦେବୀ ସେମାନଙ୍କ ସାହାଯ୍ୟ ନେଲେ ସତ, କିନ୍ତୁ ସେଥିରେ ସେମାନଙ୍କର ପରିଶ୍ରମହିଁ ସାର । କଅଁଳ କଥା, ଆଦର ଅଭ୍ୟର୍ଥନା, ଖୋସାମଦ ଟୋସାମଦ, ବେଳେ ବେଳେ ଦିବ୍ୟ ସରୁ ବର୍ଣ୍ଣ ଓ ବିବିଧ ପ୍ରକାର ବ୍ୟଞ୍ଜନରେ ତ ଆଶା ମେଣ୍ଟିବାର ନୁହେଁ । କିନ୍ତୁ ତା ଠାରୁ ବେଶୀ ପାଇବାର ଉପାୟ ନଥିଲା । କୌଶଲ୍ୟା ଦେବୀ ଧାନ କଲେଇ ଠାରୁ ନଡ଼ିଆ ପର୍ଯ୍ୟନ୍ତ ହିସାବ ରଖନ୍ତି ।

 

ତା ପରେ ଗାଁର ଗୋଟାଏ ଅଧେ ମାମଲତିକାରିଆଙ୍କ ବୁଦ୍ଧିରେ ପଡ଼ି ସେମାନେ ବଳି ବାବୁଙ୍କର ଯେଉଁଠି ଜମି ସେମାନଙ୍କ ଜମି ପାଖରେ ଅଛି ସେହି ସେହି ଜମି ଲୁଟିବାକୁ ଆରମ୍ଭ କଲେ । କୌଶଲ୍ୟା ଦେବୀ ଭଦ୍ର ଭାବରେ ସେମାନଙ୍କୁ ନିରସ୍ତ କରିବାକୁ ଚେଷ୍ଟା କରି ନିରାଶ ହୋଇ ଶେଷରେ ସେଇ ସେଇ ଜମି ଟାଣୁଆ ଟାଣୁଆ ରଇତ ଦେଖି ଲଗାଇ ଦେଲେ ଚିନ୍ତାମଣି ଓ ହରି ଉଭୟେ ଗରିବ ଓ ଭୟାଳୁ । ରାଣ୍ଡ ମାଇପକୁ ଠକି ଖାଇବାର ବଳ ସେମାନଙ୍କର ଥିଲେ ମଧ୍ୟ, ରଇତମାନଙ୍କ ସହିତ ଲଢ଼େଇ କରିବାର ସାହସ ସେମାନଙ୍କର ନଥିଲା । ସେଥିରେ ନ ପାରି ସେମାନେ ଦାଣ୍ଡ ଅଡ଼ ବାଡ଼ି ଅଡ଼ ମେଘୁଆ, ନଡ଼ିଆ ପଣସ ଗଛ ଲୁଟିବାକୁ ଆରମ୍ଭ କଲେ । ସେଥିରେ ମଧ୍ୟ କୌଶଲ୍ୟା ଦେବୀ ଭଦ୍ର ଭାବରେ ପ୍ରତିପାଦ କରିବାକୁ ଗଲେ ସେମାନେ ଦଳ ବଳ ଘେନି ତାଙ୍କ ସାଙ୍ଗରେ କଳିକରିବାକୁ ଆରମ୍ଭ କଲେ । କୌଶଲ୍ୟା ଦେବୀ ଦେଖିଲେ ସାମାନ୍ୟ କଥାରେ ତାଙ୍କ ସାଙ୍ଗରେ ଇତର ଲୋକ ଭଳି କଳି କରିବା ଅସମ୍ଭବ । ସେଥିପାଇଁ ସେ ଦାଣ୍ଡ ବାଡ଼ ଆଡ଼ ଗଛମାନଙ୍କର ଆୟ ଆଶା ଛାଡ଼ିଦେଲେ । ଯେତେ ବେଳେ ପାରନ୍ତି ଓ ସେମାନଙ୍କ ଠାରୁ ଯାହା ବଳେ, ତାହା ଆଦାୟ କରନ୍ତି ଓ ଯାହା ନପାରନ୍ତି, ତା ଲାଗି ମନରେ ଦୁଃଖ କରନ୍ତି ନାହିଁ । କିବା ଆୟ ? ତାଙ୍କର ସେଥିରେ କିବା କ୍ଷତି ହବ ? ତଥାପି ମାଇପି ଲୋକେ ଆଖି ସାମନାରେ ନିଜର ଜିନିସ ଗୁଡାକ ଉଜୁଡ଼ି ଯିବାର ଦେଖି କେତେ ଜିଭ କାମୁଡ଼ି ରହିବେ ? ବେଳେ ବେଳେ ପଦେ ଅଧେ କହିଦେଲେ ଦି ପଡ଼ିଶା ତାଙ୍କ ସାଙ୍ଗରେ କଳି କରିବାକୁ ଧାଇଁ ଆସନ୍ତି । ନାନା ପ୍ରକାର କାନ ନ ଶୁଣା କଥାରେ ଗାଳି ଦିଅନ୍ତି । ସେ ସବୁ ପିଠିକି ପକେଇ ଦେଇ ଘରେ ଚପଟି କରି ବସି ରହିନ୍ତି । ଏ ସବୁ ପରେ ମଧ୍ୟ, ଲଣ୍ଡା ବୋଉ ଓ ଚିନ୍ତାମଣିଙ୍କ ସ୍ତ୍ରୀ ଅକାଳେ ସକାଳେ ଏଣୁଟା, ତେଲଟା, ତରକାରିଟା, ମାଛଟା ମାଗି ଆସିଲେ ସେ ନା’ ବୋଲି କହନ୍ତି ନାହିଁ ।

 

ଏହିପରି ଦୁଃଖରେ ସୁଖରେ ଦୁଇ ତିନି ବର୍ଷ କଟିଗଲା । କୌଶଲ୍ୟା ଦେବୀଙ୍କର ଜଣେ ଗୁମାସ୍ତା ଥାଏ । ତାଙ୍କର ସମ୍ପତ୍ତି ବଢ଼ି ଚାଲିଚି । ଖାଇବାକୁ ଘରେ ଦୁଇଟା ପେଟ ମାତ୍ର । ଏତେ ସମ୍ପତ୍ତି, ନ ବଢ଼ିଯାଏ କୁଆଡ଼େ ? ସେ ଏକା ଏ ସବୁ ଅଇତେଇବାକୁ ସକ୍ଷମ ହେଲେ ନାହିଁ ବୋଲି ଜଣେ ଗୁମାସ୍ତା ରଖିଲେ । ଗୁମାସ୍ତା ମଧ୍ୟ ସେହି ଗାଁର, ନାମ କାଳୁ ମହାପାତ୍ରେ ଶେଷରେ ପଡ଼ିଶାମାନେ ଗାଁରେ ଗୋଟାଏ ରଟନା କଲେ ଯେ କୌଶଲ୍ୟା କାଳୁ ମହାପାତ୍ରଙ୍କ ସହିତ ପାପ ପ୍ରଣୟରେ ପଡ଼ି ଗର୍ଭ ହୋଇନ୍ତି । କୌଶଲ୍ୟା ଦେବୀଙ୍କ କାନକୁ ସେ କଥା ଗଲେ, ସେ ପ୍ରଥମେ ସେ କଥାତ ହସରେ ହସରେ ଉଡ଼େଇ ଦେଇଥିଲେ, କିନ୍ତୁ ଯେତେବେଳେ ସେମାନେ ଦେଖିଲେ ଯେ ତାଙ୍କର ଖୁଡ଼ୁତାଶୁର ଦି ଜଣ ଏଇ କଥା ନେଇ ଗାଁରେ ତାଙ୍କୁ ଏକ ଘରକିଆ କରିବାର ଯୋଗାଡ଼ କରୁଚନ୍ତି ଓ ବିଚରା କାଲୁ ମହାପାତ୍ରକୁ ମଧ୍ୟ ବିପଦରେ ପକାଇବାର ଉପାୟ କରୁଚନ୍ତି ସେତେବେଳେ ସେ ଆଉ ଥୟ ଧରି ରହି ପାରିଲେ ନାହିଁ । ଭାଇମାନଙ୍କୁ ଡକାଇ, ମହାପାତ୍ରଙ୍କୁ ବୁଝାଇ, ଏ ଦୁଇ ଜଣଙ୍କ ନାରେ ଫୌଜଦାରି ଅଦାଲତରେ ଓ ଦେୱାନି ଅଦାଲତରେ ମାନ ହାନି ମକଦ୍ଦମା ମଧ୍ୟ ହେଲା । ଗାଁ ବାସିମାନେ ପଞ୍ଚାଏତ କରି କଥାଟାକୁ ମିଶାଇ ଦେଲେ । ଚିନ୍ତାମଣି ଓ ହରି ମିଥ୍ୟା ଅପବାଦ ଦେଇ ଥିବାରୁ କୌଶଲ୍ୟା ଦେବୀଙ୍କୁ ଖେସାରତ୍‌ ସ୍ୱରୂପ ପଚିଶ ଟଙ୍କା ଲେଖାଏଁ ଜୋରିମାନା ଦବାର ଠିକ୍‌ ହେଲା । କୌଶଲ୍ୟା ଦେବୀ ସେମାନଙ୍କଠାରୁ ପଚିଶ ପାହୁଲା ଲେଖାଏଁ ଆଦାୟ କରି ବାକି ଟଙ୍କାର ସେମାନଙ୍କୁ ମାଫ ଦେଲେ ।

 

ଗାଁର ମଙ୍ଗଳ କାମରେ କୌଶଲ୍ୟା ଦେବୀ ବେଳେ ବେଳେ ଟଙ୍କା ପଇସା ଦିଅନ୍ତି । ଗାଁ ଇସ୍କୁଲ ଘର ବି ତାଙ୍କରି ଦାନର ଫଳ । ଦୋଳରେ ନାଗା ଜାତ, ଶୀତଳ ଷଷ୍ଠୀର ବାଣ ଭେଦା, ସାଗର ସ୍ନାନ ମେଳା ଓ ସରନ୍ତି ସୋମବାର ଲୋକନାଥ ମଉଜକୁ ଗାଁରେ ସମସ୍ତେ ବଖର ମୁଣ୍ଡକୁ ଚାରଣା କରି ଭେଦା ହେଲା ବେଳେ, କୌଶଲ୍ୟା ଦେବୀ ବଖରାକୁ ଟଙ୍କାଏ ଦେଢ଼ ଟଙ୍କା କରି ଦବାକୁ ନିୟମ ବାନ୍ଧି ଦେଇଥିଲେ । ଏହି ସବୁ କାରଣରୁ ଗାଁର ଅଧିକାଂଶ ଲୋକ କୌଶଲ୍ୟା ଦେବୀଙ୍କ ଉପରେ ଭାରି ଖୁସି ଥାନ୍ତି । ତଥାପି ତାଙ୍କ ତୁଳନାରେ ହରି ଓ ଚିନ୍ତାମଣିଙ୍କର କଷ୍ଟ ଦେଖି ବେଳେ ବେଳେ ଗାଁ ଲୋକମାନଙ୍କର ସହାନଭୂତି ଓ ଅନୁକମ୍ପା ହରି ଚିନ୍ତାମଣିଙ୍କ ଆଡ଼କୁ ତଳି ପଡ଼େ-। ଏହିପରି ମୁହୂର୍ତ୍ତରେ ଗାଁ ଭିତର ବାମ୍ପି ଉପରେ ସନ୍ଧ୍ୟାବେଳେ କଥା ଗଡ଼ିଲେ କେହି କେହି ଏମାନଙ୍କର ଉପକାର ନ କରିବାରୁ କୌଶଲ୍ୟା ଦେବୀଙ୍କୁ ଦୋଷ ମଧ୍ୟ ଦିଅନ୍ତି । ଏମାନେ ତ ଆଉ ଭିତରି କଥା ବୁଝନ୍ତି ନାହିଁ । ବୁଝନ୍ତି ନାହିଁ ଯେ ସାଧୁ ଭାବରେ ଦି ପଇସା ତାଙ୍କ ଠାରୁ ରୋଜଗାର କରି ନେବା ପାଇଁ ଏମାନଙ୍କୁ କୌଶଲ୍ୟା ଦେବୀ ଯଥେଷ୍ଟ ସୁବିଧା ଦେଇଥିଲେ; କିନ୍ତୁ ଏମାନଙ୍କର ଇଚ୍ଛା ରୋଜଗାର କରିବା ନ ହୋଇ ଲୁଟ କରିବା ଥିବାରୁ ବାଧ୍ୟ ହୋଇ କୌଶଲ୍ୟା ଦେବୀ ସେମାନଙ୍କର ହାତ ଯେପରି ତାଙ୍କ ସମ୍ପତ୍ତିରେ ନ ଲାଗେ ତାହାର ବ୍ୟବସ୍ଥା କରିଥିଲେ । ବୁଝନ୍ତି ନାହିଁ ଯେ ଯେଉଁଥିରେ କୌଶଲ୍ୟା ଦେବୀ ଚିନ୍ତାମଣି ରଥଙ୍କୁ ଚାନ୍ଦପଟା ଚକକୁ ଧାନ ଅମଳ କରିବାକୁ ପଠାଇଥିଲେ, ସେ ଥରକ ରଥେ କିପରି ପ୍ରତି ପୌଟିଏ ଧାନରେ ଏକ ଗୌଣୀ ଧାନ ନିଜ ଘରକୁ ପଠାଇ ଦେଇ ଥିଲେ ।

 

ଯାହା ହୋଉ ସବୁ କଥା ନ ଜାଣି ଥିବାରୁ ଲୋକମାନଙ୍କର ଯାହା ଏ ଅକାଳ ସକାଳ ସହାନୁଭୂତି ହରି ଓ ଚିନ୍ତାମଣି ପାଉଥିଲେ, ଆଗର ସେଇ ଘଟଣା ପରେ ସେମାନେ ସେତକ ମଧ୍ୟ ହରାଇଥିଲେ । ଏଣେ ଚିନ୍ତାମଣି ଓ ହରିଙ୍କ ଉପରୁ ଲୋକଙ୍କର ମମତା ଯେତକି ତୁଟି ଯାଉଥାଏ ତେଣେ କୌଶଲ୍ୟା ଦେବୀଙ୍କ ଉପରେ ସାଧାରଣଙ୍କର ଶ୍ରଦ୍ଧା ଓ ଭକ୍ତି ମଧ୍ୟ ସେହି ପରିମାଣରେ ବଢ଼ି ଯାଉ ଥାଏ । ଗାଁର ସାଧାରଣ କଥାରେ କୌଶଲ୍ୟା ଦେବୀଙ୍କର ଯେ ପଦେ ଅଧେ କହିବାର ଅଛି ଆଉ ସେ ପଦ ଅଧିକ ଯେ ଶୁଣିବାର ଯୋଗ୍ୟ ତାହା ଲୋକେ ଆସ୍ତେ ଆସ୍ତେ ବୁଝିପାରିଲେ । ଥରେ ଗାଁରେ ସଭା ବସିଲା । ସେତେବେଳେ ବନ୍ଦୋବସ୍ତ ଲାଗିଥାଏ । ଗାଁର କେତେ ଜଣ କହିଲେ ଯେ ଏଇ ବନ୍ଦୋବସ୍ତରେ ଗାଁର ମହାଦେବ ବିଶ୍ୱେଶରଙ୍କ ଜମି ଗୁଡ଼ାକ ଯେ ଆର ବନ୍ଦୋବସ୍ତ ମାନଙ୍କରେ ସେବକ ମାନଙ୍କ ନାମରେ ହୋଇ ଯାଇଥିଲା, ତାହା ଖାରଜ କରାଯାଇ ବ୍ରାହ୍ମଣମାନଙ୍କର ନାମ ମାରଫତଦାର ସୁତ୍ରେ ଲେଖାଯାଉ ! କିନ୍ତୁ ସେ ଏକ ମସ୍ତ ବ୍ୟାପାର । ସେବକମାନେ ଏତେ ବର୍ଷ ଧରି ଯେ ଜମି ଗୁଡାକ ଭୋଗ ଦଖଲ କରି ଆସୁଛନ୍ତି ସେମାନେ ତାହା ଛାଡ଼ିଦେବେ କାହିଁକି ? ଫଳରେ ମାଲି ମକଦମା କରିବାକୁ ହେବ । ଏ ମାଲି ମକଦ୍ଦମା ଖୁବ୍‌ସମ୍ଭବ ବନ୍ଦୋବସ୍ତରେ ତୁଟିବ ନାହିଁ । ଦେୱାନି କରି ବାକୁ ହବ ! ଏ ସବୁରେ ଖର୍ଚ୍ଚ ଅନେକ । ଏତେ ଖର୍ଚ୍ଚ କରି ମଧ୍ୟ ହବ କି ନ ହେବ ଯଥେଷ୍ଟ ସନ୍ଦେହ ରହିଚି । ଗ୍ରାମର ମୁଖିଆ ମୁଖିଆ ମାନେ ଏ ସବୁ କଥା ବିଚାର କରି ଦୋ ଦୋ ପାଞ୍ଚ ହଉଚନ୍ତି ଏପରି ସମୟରେ ଫଲଣା ତିଆଡ଼ିଏ କହିଲେ ଶିବ ବାବୁଙ୍କୁ ଏ ବିଷୟରେ ପଚାରିଲେ ହୁଅନ୍ତା ନାହିଁ ? ତାଙ୍କୁ କେଉଁ ଆଇନ ଅଜଣା ? ନିଜେ କିଲଟର କମିସନର ସାହେବ ଇତ୍ୟାଦି...... ମୁଖିଆମାନେ ଗୋଟାଏ ଭଲ ଉପାୟର ବାଟ ଦେଖି ଫଲଣାକୁ ସାବାସ ସାବସ କଲେ । ତା ପରେ ବିଷୟଟେ ଶିବ ବାବୁଙ୍କ ପାଖକୁ ଗଲା । ସେ କହିଲେ ଯେ ଠାକୁର ଯେତେ ବେଳେ ଗ୍ରାମର, ଠାକୁରଙ୍କ ଖଞ୍ଜା ଜମି ମଧ୍ୟ ଗ୍ରାମର । ତାହା ସେବକ ମାନଙ୍କର କୌଣସି ସମ୍ପତ୍ତି ନୁହେଁ । ସେମାନେ ସେବକ ମାତ୍ର, ମାରଫତଦାର ଗାଁ ମହାଦେବ । ଗାଁ ବସିଲା ବେଳେ ସନନ୍ଦ ସବୁ ଦେଖାଇ ଏହା ପ୍ରମାଣ କରା ଯାଉ ପାରେ । କିନ୍ତୁ ମୋର ବିଶ୍ୱାସ, କଥାଟା ସେ ଯାଏ ଯିବ ନାହିଁ । ସେବକମାନେ ମାତ୍ର ୨୦, ୨୫ ଘର । ଆମେ ହେଲେଇଁ ୩୦୦ ଘର । ଆମ୍ଭେମାନେ ବିଚାରିଲେ ସେମାନଙ୍କର ଦାଣ୍ଡରେ ଯିବା ଆସିବା ପର୍ଯ୍ୟନ୍ତ ବନ୍ଦ ହୋଇଯିବ । ଆଉ ଟଙ୍କା ପଇସା କଥା ? ଗାଁର ମଙ୍ଗଳ ପାଇଁ ଦରକାର ହେଲେ ମୁଁ ଦଶ ହଜାର ଟଙ୍କା ଦେଇ ପାରେ । ଆପଣମାନେ ଚାନ୍ଦା-ଚୁନ୍ଦି କରି ଚଳାନ୍ତୁ କେତେ ଦୂର ଚଳୁଚି । ତା ପରେ ମୁଁ ଯଥା ସାହାଯ୍ୟ ଦେବି ।

 

ଗ୍ରାମର ମୁଖିଆ ଯେଉଁମାନେ ଆସିଥିଲେ, ସେମାନେ ଏ କଥା ଶୁଣି ଏକାବେଳକେ ବିଶ୍ୱାସ କରି ବସିଲେ ଯେ ଠାକୁରଙ୍କ ଜମିଗୁଡାକ ଗାଁ ମହାଦେବମାନଙ୍କ ନାମରେ ହୋଇଯିବା ଅତି ସହଜ ଜିନିସ । ସେମାନେ ଫେରିଆସି ଗାଁ ମୁକ୍ତ୍ୟାରଙ୍କ ଦ୍ୱାରା ସଭା ଡ଼କାଇଲେ । ଗାଁର ସବୁ ଲୋକେ ଆସି ଜମିଥାନ୍ତି । କାଲୁ ମହାପାତ୍ରେ ମଧ୍ୟ ଆସିଥାନ୍ତି । ଯେତେବେଳେ ସଭାରେ କଥା ପଡ଼େ, ସେତେବେଳେ ଗାଁର କେହି କେହି ବିଶେଷତ ରଥ ସାଇଆମାନେ ମହାପାତ୍ରଙ୍କୁ ପଚାରିଲେ, ‘‘କିଏ, ବାବୁଆଣୀଙ୍କି ଏ କଥା ପଚାରି ଥିଲ, ସେ କଣ କହିଲେ ?’’ ମହାପାତ୍ରେ କହିଲେ, ‘‘ବାବୁଆଣୀଙ୍କର ଇଚ୍ଛା ଏ ସବୁ ଗୋଳମେଳକୁ ନ ଯିବା ଭଲ ।’’ ଶିଶୁପାଳ ଉଠିପଡ଼ି କହିଲେ, ‘‘ହଁ ମାଇକିନିଆ ଜାତିତ, ବୁଦ୍ଧିଟା ଆଉ କେତେ ଦୂର ଯିବ ?’’ ଏ କଥାର ପ୍ରତିବାଦ କରି ଜଣେ କହିଲେ, ଆଉ ଜଣେ ତାଙ୍କ କଥା କାଟିଲେ, ଏହିପରି ହଉ ହଉ ଗୋଟାଏ ଗୋଳମାଳ ଆରମ୍ଭ ହେଲା । ଗୋଳମାଳ ସରିଲା ପରେ ଏ ମୁଣ୍ଡର ମୁଖିଆ ମାଧ ବାହାନପତିଏ ଚୁନପତ୍ର ମେଞ୍ଚିଏ ଦଳୁ ଦଳୁ କହିଲେ, ବୁଝିଲ ନାଇଁ କିହେ ! ଏ ହେଲା ସାଧାରଣଙ୍କ କଥା, ସମସ୍ତେ ଏ କାର୍ଯ୍ୟରେ ଚାନ୍ଦା ଦେବେ, ଫଳରେ ସମସ୍ତଙ୍କର ଏ ବିଷୟରେ ନିଜର ମତାମତ ଦବାର ଅଧିକାର ଅଛି । ମାଇପି ବୋଲି କହି ଉଡ଼େଇ ଦେଲେ ଚଳିବ ନାହିଁ । ଆମ୍ଭେମାନେ ଅନେକ କ୍ଷେତ୍ରରେ ଦେଖିଛୁଁ ବାବୁଆଣୀଙ୍କର ଉପଦେଶ ପରାମର୍ଶ ଏ ଗାଁର ଶତକଡ଼ା ନବେ ଜଣ ମର୍ଦଙ୍କ ଠାରୁ ମଧ୍ୟ ମିଳିବ ନାହିଁ । ଶାସ୍ତ୍ରରେ କହିଚି ‘ବାଳାଦପି ସୁଭାଷିତଂ” ସୁତରାଂ ଆପଣମାନେ ତାଙ୍କ କାରଣଟା ମନ ଦେଇ ଟିକିଏ ଶୁଣନ୍ତୁ, ତା ପରେ ନ ହେଲେ ଆପଣ ମାନ ତାକୁ ପ୍ରତ୍ୟାଖାନ କରି ପାରନ୍ତି ।’’

 

ବାହାନପତିଏ ପଣ୍ଡିତ ବ୍ୟକ୍ତି ପୁଣି ବୁଢ଼ା, ତାଙ୍କ କଥାକୁ ସମସ୍ତେ ତ ଖାତିରି କରନ୍ତି ଟିକିଏ ସବୁବେଳେ, ଏ କଥାଟା ପୁଣି ସମସ୍ତଙ୍କ ମନକୁ ଆସିଲା । ସମସ୍ତେ ଚୁପ-ଚାପ ହେଲା ପରେ ମହପାତ୍ରେ ଉତ୍ତରରେ କହିଲେ,‘‘ବାବୁ ଆଣୀ କହନ୍ତି ଯେ, ସେବକମାନେ ଯୁ ସମ୍ପତ୍ତି ଆଜିକି ସାତ ପୁଋଷ ଧରି ଭୋଗ କରି ଆସୁଅଛନ୍ତି, ତାକୁ କଣ ସେମାନେ ଏପରି ସହଜରେ ଛାଡ଼ି ଦେବେ-? ଫଳରେ ତା ଲାଗି ମାଲି ମକଦମା ହବ । ଏତେ ଟଙ୍କା ଆସିବ କୁଆଡ଼ୁ ? ଗାଁରେ ଚାନ୍ଦା କଲେ ଗରିବ ଗୁରୁବାଙ୍କ ଉପରେ ସିନା ବେଶୀ କଷ୍ଟ ହବ । ସେ କଷ୍ଟ ହେଇ ବା କଣ ହବ ? କାକର ଚୁପୁଡ଼ି ତ ଘଡ଼ା ଭର୍ତ୍ତି ହବ ନାହିଁ, ଯୋ ଠେଇ ହଜାର ହଜାର ଦରକାର, ସେଠି ଚାରଣା ଆଠଣା ଚାନ୍ଦା କି କୁଳେଇବ ? ତେଣେ ସେବକମାନେ ଯେ ଲଢ଼ିବେ ସେ ଖର୍ଚ୍ଚ ଆଣିବେ କୁଆଡ଼ୁ-? ସେଇ ଠାକୁରଙ୍କ ଜମି ବିକି ଭାଙ୍ଗିତ ? ତା ପରେ ଆପଣମାନେ ଦେଖନ୍ତୁ, ଶେଷ ଫଳଟା କଣ ହେବ ? ଧରନ୍ତୁ ଆପଣମାନଙ୍କ ନା’ରେ ଜମି ହୋଇଗଲା, ସେଥିରେ ଆମର କିଛି ଲାଭ ଅଛି-! ଦିଅଁଙ୍କର ଜମି, ଯାହା ପାଇବେ ସେଇ ଦିଅଁଙ୍କ ପିଛା ଖର୍ଚ୍ଚ ହେବ । ଖାଲି ବଡ଼ ହେଇ କରି ଏତିକି ହବ ଯେ, ଆଜିକାଲି ଯେପରି ଗୋଡ଼ ଉପରେ ଗୋଡ଼ ଦେଇ ଘରେ ବସିଚନ୍ତି ଏଣେ ଦିଅଁଙ୍କ କାମ ସବୁ ସୁରୁଖୁରୁରେ ହୋଇ ଯାଉଛି ତା ନ ହେଈ ଆମ ସବୁ ଖଟି ଖଟି ମରିବା, ଆଉ ସେବକମାନେ ସନ୍ତେଇ ହୋଇ ବସିବେ ।’’

 

ଅଧିକାଂଶ ମନକୁ କଥା ଗୁଡାକ ଏକ ବାରେ ବେଦର ଗାର ପରି ପାଇଗଲା । ଶିବ ବାବୁଙ୍କର ପାର୍ଶ୍ୱଚରମାନେ ଗାଁ ଲୋକଙ୍କ ଭିତରେ ମାଲି-ମକଦ୍ଦମାର ଇଚ୍ଛାକୁ ଜଗେଇବା ପାଇଁ ଆଉ ଥରେ ଦି ଥର ଚେଷ୍ଟା କଲେ, କିନ୍ତୁ ଦେଖିଲେ, ତାହା ଅସମ୍ଭବ । ଆଉ ମଧ୍ୟ ଏ ଘଟଣା ପରେ ସେମାନେ ଆସ୍ତେ ଆସ୍ତେ ଅନୁଭବ କଲେ ଯେ ଶିବ ବାବୁଙ୍କର ପ୍ରତିପତ୍ତି ଆସ୍ତେ ଆସ୍ତେ ଆସ୍ତେ କମି ଯାଉଚି ଓ କଥାରେ କଥାରେ କୌଶଲ୍ୟା ଦେବୀଙ୍କ ମତକୁ ଅପେକ୍ଷା କରିବା ଲୋକମାନଙ୍କର ଅଭ୍ୟାସ ହେଇ ଆସୁଚି ।

 

ଅବଶ୍ୟ ଶିବ ବାବୁଙ୍କ ଭଳି ପଣ୍ଡିତ, ବିଖ୍ୟାତ ଓ ବୁଦ୍ଧିମାନ ଲୋକ ଯେ ଏଇ ସାମାନ୍ୟ କାରଣକୁ ନେଇ ଧୋଇଆ ସମ୍ବନ୍ଧରେ ଏତେ ପାଞ୍ଚ ଠିକ୍‌ କରୁଥିଲେ ସେ କଥା ଆମେ କହୁନାହୁଁ । ହେଇପାରେ ସେ ପ୍ରକୃତରେ ଲଣ୍ଡା ହେରିକାଂକ ଦୁଃଖରେ ଦୁଃଖି । ହେଇପାରେ ସେ ପ୍ରକୃତରେ ବଳି ବାବୁ ଓ ପରେ କୌଶଲ୍ୟା ଦେବୀଙ୍କର ତାଙ୍କ ୱାରସ ମାନଙ୍କ ପ୍ରତି ବ୍ୟବହାରକୁ ଅନ୍ୟାୟ ବୋଲି ଭାବୁଥିଲେ । ଆମେ କାର୍ଯ୍ୟକାରଣ ବଢ଼ାଇବାକୁ ବସି ନାହୁଁ । ଠିକ୍‌ଠିକ୍‌ ଘଟଣା ଯାହା ଘଟିଛି, ସେଇ ଗୁଡ଼ିକ ଯଥାକ୍ରମେ ବର୍ଣ୍ଣନା କରି ପାରିଲେ, ଆମର କାମ ଶେଷ ।

Image

 

 

ବାବୁଆଣୀଙ୍କ ସମ୍ବନ୍ଧରେ ଉପରେ ଯାହା ସବୁ କୁହାଗଲା, ସେଥିରୁ ଜଣେ ଲୋକ ବୁଝିବା ସ୍ୱଭାବିକ ଯେ ସେ ତାଙ୍କର ଏକ ମାତ୍ର ପୁଅଟିର ପଡ଼ା ପଢ଼ି ଇତ୍ୟାଦି ବିଷୟରେ ଯଥେଷ୍ଟ ଯତ୍ନ ନଉଥିଲେ ନିଶ୍ଚୟ । କିନ୍ତୁ ଅସଲ କଥା ଧୋଇଆ କଥା ପଡ଼ିଲେ ଶିଖଣ୍ଡିକୁ ଦେଖି ଭୀଷ୍ମଙ୍କ ବଳ ବୀର୍ଯ୍ୟ ଲୁପ୍ତ ହେଇଗଲା ଭଳି, ତାଙ୍କର ସବୁ ବିଦ୍ୟା ବୁଦ୍ଧି ଓ ବିବେକ ହଜିଯାଏ ।

 

ଧୋଇଆର ପାଞ୍ଚ ବର୍ଷ ପୁରି ଯିବା ସଙ୍ଗେ ସଙ୍ଗେ ବଳି ବାବୁ ଘରେ ଗୋଟିଏ ମାଷ୍ଟର ରଖି ତାକୁ ପାଠ ପଡ଼େଇବାକୁ ଆରମ୍ଭ କଲେ । କିନ୍ତି ଘର ଭିତରୁ କଡ଼ା ହୁକୁମ ଆସିଲା, ଧୋଇଆ ଦିହରେ ଯେପରି ମାଷ୍ଟର ବାବୁ ଟିପ ନ ଦିଅନ୍ତି । ମାଷ୍ଟର ବିଚରା ବଡ଼ ଫିସାଦରେ ପଡ଼ିଗଲେ । ମାଡ଼ ନ ଦେଇ ଧୋଇଆ ଭଳି ପିଲାକୁ ପାଠ ପଢ଼ାଇବା ଯେ କେତେ କଷ୍ଟର କଥା, ତାହା ଯେ ଅଙ୍ଗେ ନିଭାଇଛି ଯେ ଏକା ଜାଣେ । କୋଉଠୁ ଶିଖିଲା ସେ କେଜାଣି, ମାଷ୍ଟରେ ଯେବେ କହନ୍ତି କିରେ ଧୋଇଆ, କହ ଅ ଆ, ତେବେ ଧୋଇଆ କହିବ, ‘‘ବୋଉ କହିଚି ଘରେ ଯା ।’’ ମାଷ୍ଟର ଯଦି କେତେବେଳେ ଟିକିଏ ଆକ୍ଷି ଦେଇ ଦେଲେ, ତା ହେଲେ ଧୋଇଆ କାନ୍ଦିକାଟି ଘର ଭସାଇଦବ । ଘରେ ଯାଇ କହିବ ମାଷ୍ଟରେ ମୋତେ ମାଇଲେ । ତା ପରେ ମାଷ୍ଟର ବିଚରା କୈଫିୟତ ଦେଇ ଦେଇ ଅଥୟ । କଥା ପଡ଼ିଲେ ବାବୁଆଣୀ କହନ୍ତି, ‘‘ଉତିଆଣି ପିଲାଟା, ସେ କ’ଣ ପାଠର କଥା ବୁଝିଲାଣି ! ତାକୁ ସିନା ବୁଝେଇ-ସୁଝେଇ ହସେଇ-ଖେଳେଇ ଯାହା ପାରନ୍ତେ ପଢ଼ାନ୍ତେ ! ମାଷ୍ଟରଟା କିଛି କାମର ନୁହେଁ ।’’ ମାଷ୍ଟର ବିଚରା ଶେଷକୁ ବିଷ୍ଣୁ ଶର୍ମାଙ୍କ ନୀତି ଆଶ୍ରା କରି ଧୋଇଆକୁ ପାଖରେ ବସାଇ ପାଠ ପଢ଼ାର ଉପକାରିତା ବିଷୟରେ ଗପ କହିବାକୁ ଆରମ୍ଭ କଲେ-। ମଦୁଆର ମଦ ଖାଇବା ଆଶା ବଢ଼ିଲା ଭଳି, ଧୋଇଆ ଯେତିକି ଗପ ଶୁଣେ, ତାର ଗପ ଶୁଣିବାର ଇଛା ସେତିକି ବଢ଼େ । ପାଠ ପଢ଼ୁଆ ବାବୁମାନଙ୍କର କୀର୍ତ୍ତି କଳାପର ଗପ ମାଷ୍ଟରଙ୍କ ଠାରୁ ଶୁଣି, ସେ ଘରକୁ ଆସିଲେ ବୋଉଙ୍କ ପାଖରୁ ରଜାଘର ପୁଅ କଥା, କଲୁରି ବେଣ୍ଟ କଥା, ନେଉଳ ଭାଇ କଥା ଇତ୍ୟାଦି କେତେ ଗପ ଶୁଣେ । ସେଥିରେ ସେ ବୁଝେ ଯେ ବୋଉଙ୍କ ଗପ ତୁଳନାରେ ମାଷ୍ଟରଙ୍କ ଗପ ଗୁଡାକ ନିତାନ୍ତ ବାଜେ । ଫଳରେ ଖେଳା ବୁଲାରୁ ଯେତେବେଳେ ସମୟ ମିଳେ, ସେତେବେଳେ ସେ ଆସି ବୋଉଙ୍କ ପାଖରେ ହାଜର କଥା ଶୁଣିବାକୁ । ମାଷ୍ଟରଙ୍କ ପାଖ ମାଡ଼େ ନାହିଁ । ସେଥିରେ ବାବୁଆଣୀଙ୍କର ମନ୍ତବ୍ୟ ହୁଏ ଏ ମାଷ୍ଟରଟା କିସମ ? କଥାଟିଏ କହି କିଛି ଛୁଆଟାର ମନ ବହଲେଇ ପାରୁନାହିଁ ? ମାଷ୍ଟର ବିଚରା ବାଧ୍ୟ ହୋଇ ଉତ୍କଳ କାହାଣୀ, କଥା ସରତ୍‌ ସାଗର, ଗ୍ରିମଙ୍କ ଋପ କଥା ଇତ୍ୟାଦି ପଢ଼ି ସେଥିରୁ ଗପ କରିବାକୁ ଆରମ୍ଭ କଲେ । ସେଥିରେ ମଧ୍ୟ ତାର ନିସ୍ତାର ନାହିଁ । ପାଠ ପଢ଼େଇବାକୁ ଆସି, ବୁଢ଼ୀ ମାଈପିର କାମ କଲେ, କଣ କରିବେ ? ପଇସା ଗଣ୍ଡାକ ପାଇଁ ପେଟ ଚାଖଣ୍ଡକ ଲାଗି ତ ସବୁ କରିବାକୁ ହବ । ଧୋଇଆ ଅକାଳେ ସକାଳେ ଗପ ଶୁଣିବାକୁ ଆସେ । ମାଷ୍ଟରେ ଯଦି ନଥାନ୍ତି, ତା ହେଲେ ତାଙ୍କ ବହି ପତ୍ର ଗୁଡ଼ିକ ଧରି ତା ଦିହରେ କାଳି କଲମରେ ନାନା ପ୍ରକାର ଗାର ଚିତ୍ର ବିଚିତ୍ର କରି ପକାଏ। ତାଙ୍କ ଶେଯରେ ଦାଣ୍ଡରୁ ବୁଲା କୁକୁର ଛୁଆ ଗୋଟାଏ ଆଣି ଶୁଆଇ ଦିଏ। ବେଳେ ବେଳେ କାଗଜ ଖଣ୍ଡିଏ ପକେଇ ତା ଉପରେ ପଡ଼ିଆ ବାଡ଼ିଆ କାମଟା କରି କାଗଜରେ ତାକୁ ବାନ୍ଧି ବୁନ୍ଧି ମାଷ୍ଟରଙ୍କ ଭଙ୍ଗା ବାସ୍କ ଖଣ୍ଡିକରେ ଥୋଇ ଦେଇ ଯାଏ । ସେ ଜାଣେ ଯେ ମାଷ୍ଟରଙ୍କୁ କୁକୁର ବିରାଡ଼ି ଭଲ ଲାଗେ ନାହିଁ । ସନ୍ଧ୍ୟା ବେଳେ ମାଷ୍ଟରେ ବୁଲିଗଲେ ସେ ଛପି ଛପି ତାର ଗୋଟାଏ ବିରାଡ଼ି ଛୁଆ ନଇଲେ ଗୋଟାଏ କୁକୁର ଛୁଆ ତାଙ୍କ ଶେଯ ଉପରେ ଶୁଆଇ ଘୋଡ଼ାଇ ଦେଇ ପଳାଏ। ମାଷ୍ଟର ବିଚରା ରାତିରେ ଫେରି ଆସି ଖଟ ଉପରେ ବସି ପଡ଼ିଲା ବେଳକୁ ଏଥିରୁ ଗୋଟାଏ ପୋକ ସାଲୁ ସାଲୁ ନା ଅଧର ଜୀବ । ସେ ବିଚରା ବ୍ୟସ୍ତ ହୋଇ ଡିଆସିଲି କାଢି ଆଲୁଅଟା ଜାଳିବା ପାଇଁ ତାଙ୍କ ବାସ୍କ ଭିତରେ ହାତ ପୂରାଇଲା ବେଳକୁ ବେଳେ ବେଳେ ହାତଟା ଯଦି ସେ କାଗଜ ପୁଡ଼ାରେ ପଡ଼ିଯାଏ, ତା ହେଲେ ସାଲୁରୁ ବାଲୁରୁ ହେଇ କି ସବୁ ପଦାର୍ଥ ତାଙ୍କ ହାତରେ ବୋଳି ହୋଇଯାଏ । ମାଷ୍‌ଟର ବିଚାରା ଏ ପାଲାରେ ପଡ଼ି ଅତିଷ୍ଠ ହୋଇ ଉଠେ । କେତେ ଥର ମନେ କରିଚି, ଏ ଚାକିରି ନ ହେଲେ ନାଇଁ, ସେ ଚାଲିଯିବ । ପୁଣି ଭାବେ, ତାର ସେ ବୁଢ଼ୀ ମା ଟିର କଥା । ଆଖି ପାଣି ଆଖିରେ ମାରି ରହିଯାଏ ।

 

ବଳି ବାବୁ ମରିଗଲା ପର୍ଯ୍ୟନ୍ତ ଚାରି ପାଞ୍ଚ ବର୍ଷ ମଧ୍ୟରେ ଅତି କଷ୍‌ଟରେ ଧୋଇଆ ବର୍ଣ୍ଣବୋଧ ଖଣ୍ଡକ ସାରିଥିଲା । ବଳି ବାବୁ ମରିଗଲା ପରେ ମାଷ୍‌ଟର ବିଚରା ବିଦାୟ ହେଲେ । ତା ସଙ୍ଗେ ସଙ୍ଗେ ମଧ୍ୟ ଧୋଇ ବାବୁଙ୍କ ଦେହରୁ ସରସ୍ୱତି ବିଦାୟ ନେଲେ । ପ୍ରଥମେ ବର୍ଷେ ଖଣ୍ଡେ ବାବୁଆଣୀଙ୍କ ମନରେ ତ ପାଠ ପଢ଼ା କଥାଟା ମୋଟେ ପଶି ନାହିଁ । ତା ପରେ ଭାଇମାନଙ୍କ ନିର୍ବନ୍ଧରେ ସେ ଧୋଇଆକୁ ଗାଁ ଚାହାଳିକୁ ଛାଡ଼ିଲେ । ଏଥି ମଧ୍ୟରେ ଧୋଇଆ ଅନେକ ନୂଆ ନୂଆ ଜିନିଷ ଶିଖିଚି। ଯାହା ପୁରୁଣା ଶିଖିଥିଲା ସେ ଗୁଡାକ ଆଉ କଣ ହବ ? ସେ ସବୁ ପାସୋରି ଦେଇଚି। ଅବଧାନେ ଫକିର ମାହାନ୍ତି, ମାଟିବଂଶ କରଣ ସାନ୍ତେ । ତାଙ୍କ ସାତ ପୁଋଷି ଧରି ପିଲା ପଢ଼ାଇବା ବ୍ୟବସାୟ । ଆଉ ପାଠ ପଢ଼ାଇବାର ଉପାୟ ତାଙ୍କ ମତରେ ଏଇ କେତୋଟି–

 

୧ମ– ଠେଙ୍ଗୁଣି ପାହାର, ଗୋଋ ବାଡ଼ିଆ ।

୨ୟ– ନାକ ବାଳ ଧରା ।

୩ୟ– ଏକ ଗୋଡ଼ିକିଆ ।

୪ର୍ଥ– ବାବୁରା ଝୁଲା

୫ମ– ହରଡ଼ ପେଶା ।

 

ସେ ଓ ତାଙ୍କ ପୂର୍ବରୁ ତାଙ୍କ ବାପ ଅଜାମାନେ ଦେଖିଚନ୍ତି ଏ ପାଞ୍ଚ ମହା ଅସ୍ତ୍ର ଅବ୍ୟର୍ଥ । କିନ୍ତୁ ଅବଧାନେ ସବୁ ସ୍ଥାନରେ ଏ ପଞ୍ଚ ମହାସ୍ତ୍ର ପ୍ରୟୋଗ କରନ୍ତି ନାହିଁ । ସେ ଜାଣନ୍ତି ଗରୀବ ପ୍ରତି ଯାହା ଆଇନ୍‌, ଧନୀ ପ୍ରତି ସେ ଆଇନ ଖାଟେ ନାହିଁ । ଗରିବ ପୁଅର ପିଠି ଯାହା ସହିବ, ଧନି ପୁଅର ପିଠି ତା ସହି ପାରିବ ନାହିଁ । ସେହି ହେତୁରୁ ସେ ଧନୀ ଲୋକଙ୍କ ପିଲାମାନଙ୍କ ପ୍ରତି ଏ ପଞ୍ଚ ମହାସ୍ତ୍ର ବଡ଼ କ୍ୱଚିତ ପ୍ରୟୋଗ କରନ୍ତି । ଧୋଇଆ ପ୍ରତି ମଧ୍ୟ ପ୍ରଥମେ ପ୍ରଥମେ ସେ ନୀତି ପ୍ରୟୋଗ କରିଥିଲେ । କିନ୍ତୁ ଦେଖିଲେ ସେ ଯଦି ଟିକିଏ ନିଜ ରୂପ ନ ଧରନ୍ତି, ତା ହେଲେ ସେ ଗାଁରେ ତାଙ୍କର ତିଷ୍ଠିବା ବଡ଼ ଅସମ୍ଭବ । ଧୋଇଆ ଚାହାଳିକୁ ପ୍ରଥମ କେତେ ଦିନ ଆସି, ବେଶ ସୁଧୀର ପିଲାପରି ବ୍ୟବହାର କରୁଥିଲେ । ଦିନେ ଅବଧାନେ ଚକା ପକାଇ ଆସନରେ ବସିଚନ୍ତି । ନାକରେ ଚଷମା ହାତରେ ଲେଖନ, ଜଙ୍ଘ ଉପରେ ତାଳପତ୍ର ଖେଦାଟିଏ, ଓ ଅନ୍ୟ ଜଙ୍ଘରେ ଭାଗବତ ଦଶମ ସ୍କନ୍ଧର ତାଳ ପତ୍ର ପୋଥି ଖଣ୍ଡିଏ । ସାମନାରେ ଶିଷ୍ୟମାନେ ବସିଛନ୍ତି କିଏ ଖଡ଼ି ଧରି ଅ ଆ ଘୋଷୁଚି, କିଏ ସିଲଟରେ ପଣିକିଆ ଲେଖୁଚି, କିଏ ବା ବହି ଧରି ଚିତ୍‌କାର କରି ଗାଇ ଯାଉଚି । ଅବଧାନଙ୍କ ଡାହାଣ ହାତ ପାଖରେ ‘ଜ୍ଞାନ ଦାତା’ ଖଣ୍ଡିଏ ପଡ଼ି ରହିଚନ୍ତି । ତାଙ୍କ କାମ ଭିତରେ ଯେତେବେଳେ ଅବଧାନଙ୍କ ମନରେ ପଶି ଯାଉଚି ଯେ ଶିଷ୍ୟମାନେ ଠିକ୍‌ପଢ଼ୁ ନାହାନ୍ତି, ସେତେବେଳେ ସେ ସେମାନଙ୍କ ଆଡ଼କୁ ନ ଚାହିଁ, ବେତ ଖଣ୍ଡିକ ଧରି ଥରେ ଦି ଥର ମାଟିରେ ପିଟି ଦିଅନ୍ତି । ସାଙ୍ଗେ ସାଙ୍ଗେ କମି ଆସିଥିବା ପିଲାଙ୍କ ସ୍ୱର ବଣି ବସାରେ ସାପ ପଶିଲେ ଯେପରି ହୁଏ ସେହି ପରି କିଚିରି ମିଚିରି କରି ଆରମ୍ଭ ହୋଇଯାଏ । ଥରେ ମାଷ୍ଟର ଦେଖିଲେ ଯେ ଜ୍ଞାନ ଦାତାଙ୍କର ଗର୍ଜନରେ କିଛି ଫଳ ହେଲା ଭଳି ଲାଗିଲା ନାହିଁ । ସେ ମୁଣ୍ଡ ଟେକି ଚାହିଁଲେ, ଦେଖିଲେ ଧୋଇଆ ମଝିରେ ବସିଚି, ଆଉ ତା ଚାରିପଟେ ପିଲା ଗୁଡାକ ଉବୁଡ଼ି ପଡ଼ିଚନ୍ତି । କେବଳ ଧୋଇଆ ଛଡ଼ା ଆଉ ସମସ୍ତଙ୍କ ତୁଣ୍ଡରୁ ଗୋଟାଏ ଖିଲି ଖିଲି କରି ହସର ଶବ୍ଦ ସେଘର ମଧ୍ୟରୁ ସରସ୍ୱତୀଙ୍କୁ ଯେପରି ଉଡ଼ାଇ ଦେଉଚି । ଅବଧାନଙ୍କ ଜୀବନରେ ଏପରି କେବେ ଘଟି ନଥିଲା । ସେ ପ୍ରଥମେ ତଟସ୍ତ ହୋଇଗଲେ । ତା ପରେ କୌତୁହଳ ସମ୍ଭାଳି ନ ପାରି ବେତ ଖଣ୍ଡିକ ଘେନି ସେ ଯେତେବେଳେ ଆସି ଦେଖିଲେ, ତାଙ୍କ ତାଳୁ ଠାରୁ ତଳିପା ପର୍ଯ୍ୟନ୍ତ ସର୍ବାଙ୍ଗରେ ତାତିଲା ତରଳ ଲୁହାର ସୁଅ ବୋହିଗଲା ।

 

ଧୋଇଆ ସିଲଟ ଉପରେ ଅବଧାନଙ୍କର ଏକ ବିଚିତ୍ର ଛବି ଆଙ୍କିଚି । ସେ ଛବିଟା ଯେ ତାର ମନ ଗଢ଼ା ତା କହିବା ଠିକ୍‌ହବ ନାହିଁ । ତେବେ ଛବିଟା ଯେ ସୁନ୍ଦର ନୁହେଁ– ଏକଥା ନିଶ୍ଚୟ ଠିକ୍‌ । ଧୋଇଆ କହେ ଅବଧାନେ ଯଦି ଅସୁନ୍ଦର ହୁଅନ୍ତି, ତା ହେଲେ ତାଙ୍କ ଛବିଟା ତ ଅସୁନ୍ଦର ହବ । ତାର ସେଥିରେ କି ଚାରା ? କିନ୍ତୁ ଅବଧାନଙ୍କ ମତରେ ଅସୁନ୍ଦର ତ ନୁହନ୍ତି, ତାଙ୍କର ଋପ ଦେଖି କେତେ ସ୍ତ୍ରୀ ଲୋକ ତାଙ୍କ ଆଡ଼କୁ ମୁଡ଼ୁକିହସା ମାରିଚନ୍ତି । ଯାହାହେଉ, ମୁଁ ମୋ ମନ ଭିତରେ ବୁଝେଁ ଯେ ମୁଁ ଅସୁନ୍ଦର । ୟା, ବୋଲି ମତେ ଦାଣ୍ଡର କାହି, ପୁଣି ଗୋଟାଏ ଅପଗଣ୍ଡ ଟୋକା ଅସୁନ୍ଦର ବୋଲି ଚିତ୍ରକଲେ ମୁଁ ସହିବି କାହିଁକି ? ଅବଧାନେ ସହିଲେ ନାହିଁ । ତାଙ୍କର ବେତ ଉଠିଲା ହାତ ନାଚିଲା । ଅବଧାନେ ଆଶା କରିଥିଲେ ଯେ ବେତ ଉଠିଲା ମାତ୍ରକେ ଧୋଇଆ ତାଙ୍କ ମନ ମାଫିକେ ତୁଆ ଗର୍ଜନ କରି ଉଠିବ । କିନ୍ତୁ ଦେଖିଲେ ଧୋଇଆ ଚିତ୍ର ପିତୁଳାଟି ପରି ଠିଆହୋଇ ହସୁଚି । ଅବଧାନଙ୍କର ମୁଣ୍ଡଟା ଏକାବେଳକେ ଜଳନ୍ତା ଚୁଲି ହୋଇ ଉଠିଲା । ସେ ଦାନ୍ତ କଡ଼ମଡ଼ କରି ଧୋଇଆ ପିଠିକି ନିର୍ଘାତ ପାହାର ଉଞ୍ଚାଇଲେ । ପାହାରଟା ହାତ ଚାପଡ଼େ ଉଚ୍ଚରୁ ଲହ ଲହ ହୋଇ ଧୋଇଆ ପିଠି ଉପରକୁ ବିଜୁଳି ବେଗରେ ଧାଇଁ ଆସିଲା-। ଧୋଇଆର ସାଙ୍ଗ ପିଲାମାନେ ଧୋଇଆ ପିଠି କିପରି ଏ ପାହାରର ଦାଉ ସମ୍ଭାଳିବ, ତାକୁ ଦେଖିବା ପାଇଁ ବେକଟାମାନ ବଗ ବେକ ପରି ଆଗକୁ ବାହାର କରି ଏକା ଲୟରେ ଚାହି ରହିଲେ-। ତା ପରେ କଣ ହେଲା କେଜାଣି, ଅବଧାନେ ତଳେ ଚିତ୍‌ପଟାଙ୍ଗ । ଠିକ୍‌ କଣ ହେଲା କେହି ଦେଖି ନାହିଁ । ଅବଧାନେ କହନ୍ତି ଯେ ଧୋଇଆ ବସିପଡ଼ି ତାଙ୍କ ଗୋଡ଼ ଦୁଇଟା ଭିଡ଼ିଦେଲା-। ଆମ୍ଭମାନଙ୍କର ବିଶ୍ୱାସ ଏଇଟା ଅବଧାନଙ୍କର ଅନୁମାନ । କାରଣ ଅବଧାନଙ୍କ ଦୃଷ୍ଟିଟା ଥିଲା ଧୋଇଆର ସାମନା ଉପରେ । ସେ ଗୋଡ଼ ତଳ କଥା ଦେଖନ୍ତେ କିପରି ? ସେ ଯାହା ହେଉ, ଫଳଟା ହେଲା ଗୋଟାଏ ଅବିଶ୍ରାନ୍ତ ହୋ ହୋ ଶବ୍ଦ । ପିଲାଗୁଡାକ ସମସ୍ତେ ଏକ ସ୍ୱରରେ ହୋ ହୋ କରି ହସି ଉଠିଲେ ପାଖ ପଡ଼ିଶା ଓ ଦାଣ୍ଡର ବାଟୋଇମାନେ ଧାଇଁ ଆସି ଦେଖନ୍ତି ତ, ଅବଧାନେ ଚିତପଟାଙ୍ଗ, ଆଉ ତାଙ୍କ ଚାରିଆଡ଼େ ପିଲାଗୁଡ଼ାକ ତାଳି ମାରି ନାଚୁଚନ୍ତି ଆଉ ଖାଲି ହସୁଚନ୍ତି । କେବଳ ଧୋଇଆ ସେ ସବୁର ବାହାରେ ତୁନି ହୋଇ ଠିଆ ହୋଇଚି, ଏବଂ ଡାହାଣ ହାତ କାଣି ଆଙ୍ଗୁଠି ଟା ପାଟିରେ ଭର୍ତ୍ତିକରି ବାଁ ହାତରେ ତା ଶିଲଟଟା ଧରି କଣ ଲେଖୁଚି ।

 

ମଦନ ବାବୁ ସେ ଗାଁର ଜଣେ ଯୁବକ । ସେ କଟକ କଲେଜରେ ଏମ୍‌. ଏ. ପଢ଼ନ୍ତି ମଧ୍ୟ ଧୋଇଆଙ୍କର ଜ୍ଞାତି । ସେ ସେଇବାଟେ ଗାଧୋଇ ଯାଉଥିଲେ । ଏ ଗୋଳମାଳ ଶୁଣି ସେ ଚାହାଳି ଉପରକୁ ଉଠିଆସି ଦେଖନ୍ତି ଏ ରହସ୍ୟ । କାହାକୁ ପଚାରିବେ କଣହେଲା ? କେବଳ ଧୋଇଆ ପାଖକୁ ଗଲେ । ତା ହାତରେ ସେ ସିଲଟ ଲେଖା ମୂର୍ତ୍ତି ଉପରେ ତାଙ୍କର ଆଖି ପଡ଼ିଗଲା ମାତ୍ରକେ, ସେ ମଧ୍ୟ ସେଇ ପିଲା ଗୁଡ଼ାକଙ୍କ ପରି ବୁହେ ହସିଗଲେ । ତା ପରେ ଧୋଇଆକୁ ପଚାରିଲେ କିରେ ଏ ଚିତ୍ର କିଏ କରିଚି ? ଧୋଇଆ କହିଲା ମୁଁ..... ମଦନ ବାବୁ ତା ହାତରୁ ସିଲଟଟି ମାଗିନେଇ ଚିତ୍ରଟିକୁ ଆଉଥରେ ଭଲକରି ଦେଖିନେଲେ । ତା ପରେ ଧୋଇଆକୁ ପଚାରିଲେ କିରେ, ଏ ସବୁ ରଙ୍ଗ ରହସ୍ୟ କାହିଁକି ? ଧୋଇଆ ଖାଲି ତଳ ଥୋଡ଼ିଟା ବାହାର କରିଦେଲା । ଏତିକି ବେଳକୁ ଅବଧାନେ ମାଟି ଉପରୁ ଉଠିବାର ଦେଖି ପିଲାମାନେ ଛିନଛତ୍ର ହୋଇ ପଳାଇଗଲେ । ମଦନ ବାବୁ ଅବଧାନଙ୍କୁ ଏ ସବୁର କାରଣ ପଚାରିବାରୁ, ସେ ସେ ଅବସ୍ଥାରେ ଯେତେ ଦୂର ଥୟଧରି କହି ପାରିବା ସମ୍ଭବ, ସେହିପରି ଭାବରେ ଟିକା ଟିପ୍‌ଣି ସହିତ ସବୁ କଥା ଓ ଆଉ ଅନ୍ୟାନ୍ୟ ଅନେକ କଥା କହିଲେ। ମଝିରେ ମଝିରେ ଧୋଇଆ ଆଡ଼କୁ ସୂହୁସି ଯାଉଥାନ୍ତି । କିନ୍ତୁ ଧୋଇଆ ମଦନବାବୁଙ୍କ ବାହୁଛାୟା ତଳେ ନିର୍ଭୟରେ ଠିଆହୋଇ ଥାଏ । ମଦନ ବାବୁ ଶେଷରେ ଧୋଇଆକୁ ତାଙ୍କ ସାଙ୍ଗରେ ନେଇ ବାବୁଆଣୀଙ୍କ ପାଖକୁ ଗଲେ । ବାବୁଆଣୀ ବିରକ୍ତ ହୋଇ ଆସିଥିଲେ ମଧ୍ୟ ସିଲଟର ସେ ଛବିଟା ଦେଖି ତାଙ୍କ ମୁହଁରୁ ମଧ୍ୟ ହସ ଟିକିଏ ଜୋର କରି ବାହାରି ପଡ଼ିଲା । ସେ ଧୋଇଆକୁ କଣ ଶାସନ କରିବାକୁ ଯାଉଥିଲେ, ଏତିକି ବେଳେ ମଦନ ବାବୁ ବାଧାଦେଇ କହିଲେ, ‘‘ଖୁଡ଼ି ତୁମେ ଧୋଇଆ ଭଳି ପିଲାକୁ ଶାସନକରି ଆୟତ୍ତକରି ପାରିବ ନାହିଁ । ମୋ କଥାଟି ଶୁଣ ! ଧୋଇଆକୁ କଲିକତା ଆର୍ଟ ସ୍କୁଲକୁ ପଠାଇଦିଅ ।’’ ବାବୁଆଣୀ ତ କଥାଟାକୁ ନା ପସନ୍ଦ କରି ଏକାବେଳକେ ଉଡ଼େଇ ଦେଇ ଥିଲେ, କିନ୍ତୁ ମଦନ ବାବୁ ଜିଗରକରି କହିଲେ,‘‘ନାଇଁ ଖୁଡ଼ି, ଥଟା ପରିହାସର କଥା ନୁହେଁ । ବିନା ଶିକ୍ଷାରେ ଯେ ପିଲା ଏପରି କରି ଚିତ୍ତର ଆଙ୍କିପାରେ, ସେ ଏଇ ସମୟରୁ ଉପଯୁକ୍ତ ଶିକ୍ଷା ପାଇଲେ ନିଶ୍ଚୟ ଜଣେ ବଡ଼ ରକମ ଆର୍ଟିଷ୍ଟ ହୋଇ ପାରିବ । ବାବୁଆଣୀ ଏ ଜିଗର କଥା ଶୁଣି ଆଉ ଥରେ ସେ ସିଲଟଟା ନେଇ ଦେଖିଲେ । ତା ପରେ କହିଲେ,‘‘ତୁମେ ଯାହା କହିଲ, ପୁଅ ତା ସମ୍ଭବ ହୋଇପାରେ, ଧୋଇଆ ଯେ ପାଠ ପଢ଼ି ପଣ୍ଡିତ ହବ, ତା ଏତିକି ବେଳୁ ଜଣା ଗଲାଣି । ତେବେ ଶାଠରେ ଯଦି କିଛି କରିପାରେ ! କିନ୍ତୁ କିମିତିରେ ପୁଅ ଏଡ଼େ ସାନ ପିଲାଟାକୁ କିଲିକତା ପଠେଇ ଦେବି । ସେ ରହିବ କୁଠି,ଚଳିବ କିପରି, ଆଉ ମୁଁ ମଧ୍ୟ କିପରି ଥୟଧରି ରହିବି ?’’

 

ମଦନ– ତୁମେତ ଆଉ ସବୁ ଦିନ ତାକୁ ତୁମ ପଣନ୍ତ କାନିରେ ବାନ୍ଧି ରଖି ପାରିବ ନାହିଁ ? ତାର ତ ଡେଣା ଲାଗି ଆସିଲାଣି, ସେ ନିଶ୍ଚେ ହେଲେ ଦିନେ ଉଡ଼ିଯିବ । ତା ପାଇଁ ଭାବି ଆଉ କଣ ଅଛି ? ଆଉ କଲିକତାରେ, ତାର ମାମୁଁ ପରା କଣ୍ଟ୍ରାକ୍‌ଟରି କରନ୍ତି, ତାଙ୍କ ପାଖରେ ରହିବ ।

 

ବାବୁଆଣୀଙ୍କର ମଝିଆଁ ଭାଇ ଗୋଲକ ବାବୁ କଲିକତାରେ କାନତରାଟି କାମ କରି ବେଶ୍‌ଦି ପଇସା କମେଇଛନ୍ତି । ସେହିଠାରେ ଘର ଦ୍ୱାର କରି ସେ ଅନେକ ଦିନ ହେଲା ଅଛନ୍ତି । ବାବୁଆଣୀ ଭାବିଲେ ଉଚିତ କଥା ହଉ, ମୁଁ ଭାଇଙ୍କ ପାଖକୁ ଚିଠି ଲେଖେଁ ।

 

ଚିଠି ଲେଖାହେଲା, ଉତ୍ତର ଆସିଲା । ଦିନ, ବାର, ତିଥି ବୁଝି ଗୋଲେକ ବାବୁ ନିଜେ ଆସି ଧୋଇଆକୁ ଓ ବାବୁଆଣୀଙ୍କି କଲିକତା ନେଇ ଗଲେ । କଲିକତାରେ ଚିତ୍ର ଶିଖିବାକୁ ହବ ଶୁଣି ଧୋଇଆ ନାଚି ଉଠିଥିଲା । କଲିକତାରେ ପହଞ୍ଚି ସେ ଏକାବେଳେ ଅର୍ଣ୍ଣ ଜଳ ପାସୋରି ଦେଲା । ବାବୁଆଣୀ ତାର ଏ ଅଦ୍ଭୁତ ପରିବର୍ତ୍ତନ ଦେଖି ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ପନ୍ଦର ଦିନ ପରେ ଏକୁଟିଆ ଘରକୁ ଫେରି ଆସିଲେ ।

 

ଧୋଇଆ କଲିକତା ଆର୍ଟସ୍କୁଲରେ ଭର୍ତ୍ତିନେଲା । ସେଥିଲାଗି ଯେପରି ସାଧାରଣ ପାଠ ପଢ଼ିବା ଦରକାର ତା ମଧ୍ୟ ଖୁବ୍‌ଉଦ୍ୟମ ଓ ଆଗ୍ରହରେ ପଢ଼ିଲା । ଆର୍ଟସ୍କୁଲରେ ତାର ସୁଖ୍ୟାତି ମଧ୍ୟ ହେଲା ଖୁବ୍‌। ସେ ମଝିରେ ଗାଁକୁ ଆସେ, ପିଲାଦିନ ସାଙ୍ଗ ସାଥି ମାନଙ୍କ ସହିତ ଖୁବ୍‌ଖେଳି ବୁଲି ପୁଣି ଚାଲିଯାଏ । ଏହିପରି ତାର ବାଇଶି ବର୍ଷ ବେଳକୁ ସେ ଖୁବ୍‌ପ୍ରଶଂସାର ସହିତ ଆର୍ଟ ସ୍କୁଲରୁ ପାଶ୍‌କରି ସାର୍ଟିଫିକେଟ ଘେନି ଘରକୁ ଫେରିଲା ।

 

ପ୍ରଥମ ଅଧ୍ୟାୟରେ ଯାହା ସବୁ କୁହାଯାଇଥିଲା ତାହା ଏହାରି ପରେ ।

Image

 

 

ଧୋଇଆ ଘରକୁ ଫେରି ଆସିଲେ ଦେଖାଗଲା, ତାର ପିଲା ଦିନର ସେ ନୂରୁଖୂରିଆ ବୁଦ୍ଧି ସେହିପରି ଅଛି । ଯେତେବେଳେ ସେ ତାର ଚିତ୍ର ଜିନିଷ ଘେନି ବସେ ସେତେବେଳେ ତା ପାଖରେ ହାଡ଼ି ବାଇଦ ପିଟିଲେ ମଧ୍ୟ ସେ ହୁଙ୍କିବ ନାହିଁ । କିନ୍ତୁ ଥରେ ସେ ନିଶା ଛାଡ଼ିଗଲେ, ସୃଷ୍ଟି ଭିତରର ଯେତେ ଚଗାଲାମି, ବଗୁଲିଆମି, ସବୁ ସେ ଆରମ୍ଭ କରେ । କାହିଁ ଗଛରେ ଚଢ଼ି ବଣି ପିଲା ଧରିବା, କାହିଁ ସାଙ୍ଗ ସାଥି ମେଳରେ ମେଘୁଆ ଜହ୍ନ ପକ୍ଷ ରାତିରେ ପୋଖରୀ ହୁଡ଼ାରେ ଠିଆହୋଇ ବାଟୋଇଙ୍କୁ ଭୁତ ଭୟ ଦେଖାଇବା କାହିଁ କିଏ ଶୋଇଥିଲେ ତା ମୁହଁରେ ଚୂନ କାଳି ଚିତ୍ର କରିବା ଇତ୍ୟାଦିରେ ତାର ସମୟ ବିତିଯାଏ । ବାବୁଆଣୀ ଭାବିଲେ ବୋଧହୁଏ ବିବାହ ଦେଇ ଦେଲେ ସେ ଟିକିଏ ଥୟ ହୋଇ ଯିବ। ସେ କନ୍ୟା ସନ୍ଧାନରେ ମନୁଷ୍ୟ ପଠାଇଲେ । ନାନା ଆଡ଼ୁ ଜାତକ ଆସିଲା । ଧୋଇଆ କାନରେ ପଡ଼ିଲା କ୍ଷଣି ସେ ଦିନେ ଯାଇ କହିଲା,‘‘ବୋଉ, ଦେଖ, ମୋର ବିବାହ ଫିବାହ କଥା ଯଦି ତୁ ଧରିବସୁ ତା ହେଲେ ମୁଁ ଘର ଦ୍ୱାର ଛାଡ଼ି ପଳାଇବି !’’ ବାବୁଆଣୀ ତାଟକା ହୋଇ କହିଲେ, ‘‘କାହିଁକିରେ ବାବୁ ! ଆଉ କଣ ସବୁ ଦିନେ ବାଡ଼ୁଅ ହେଇ ରହିବୁ ?’’

 

ଧୋଇଆ– ରହିଲେ କିଛି କ୍ଷତି ଅଛି ?

 

ବାବୁଆଣୀ ଦେଖିଲେ ଚଗଲା ଟୋକାଟା, ୟା ସାଙ୍ଗରେ ପୁଣି କଥା କଟା କଳି କରିବି । ଆଛା ହଉ ଦେଖାଯିବ। କହି ସେ ଅନ୍ୟ କାର୍ଯ୍ୟରେ ମନ ଦେଲେ । ଏଣେ ବିବାହ କଥା ଭିତରେ ଭିତରେ ଚାଲୁଥାଏ । ବାବୁଆଣୀଙ୍କର ଇଚ୍ଛା ଥାଏ, ସାରଦା ଆଇନ ମତରେ ଜଣେ ବୟସ୍କା କନ୍ୟା ସହିତ ପୁଅର ବିବାହ ଦିଅନ୍ତେ । କିନ୍ତୁ ବହୁ ଚେଷ୍ଟା କରି ସେପରି କନ୍ୟା ନ ମିଳିବାରୁ ଶେଷରେ ଦାଣ୍ଡ ମକୁନ୍ଦପୁର ପାର୍ବତି ବାବୁଙ୍କର ବାର ବର୍ଷର ଝିଅ ସାବିତ୍ରୀ ସାଙ୍ଗରେ ବିବାହ ହେବାର ସବୁ ଠିକ୍‌ହୋଇଗଲା । ନିର୍ବନ୍ଧ କରିବା ପାଇଁ ନିଜେ ପାର୍ବତି ବାବୁ ଆଉ ଦି ଚାରି ଜଣ ଭଦ୍ର ଲୋକ ଘେନି ଆସି ପହଞ୍ଚିଲେ । ଧୋଇଆ ଏ କଥା ଶୁଣିଲା ବେଳୁ କିପରି ଦବି ଗଲା ଭଳି ଜଣା ପଡ଼ିଲା । ସେ ଯାଇ ତା ଘର ଭିତର କବାଟ କିଳି ଶୋଇ ରହିଲା । ଦୁଇ ତିନି ଘଣ୍ଟା ପରେ ସେ ଯେତେ ବେଳେ ବାହାରି ଆସେ, ତା ମୁହଁ ଉଦ୍ଭବ, ଗୋଟାଏ କିପରି ଉତ୍ତେଜନାର ଭାବ । ସେ ଆପେ ଯାଇ ବାବୁଆଣୀଙ୍କି କହିଲା, ‘‘ବୋଉ ! ଏତେ ଗୁଡ଼ିଏ ଭଦ୍ରଲୋକ ଆସିଚନ୍ତି, ଏମାନଙ୍କର ସବୁ ଖାଇବା ପିଇବାର ବ୍ୟବସ୍ଥା କଣ ହବ ?’’

 

ବାବୁଆଣୀ ଧୋଇଆର ଏ ପରିବର୍ତ୍ତନ ଓ ଆଗ୍ରହ ଦେଖି ପ୍ରଥମେ ଟିକିଏ ସନ୍ଦେହ କରିଥିଲେ। କହିଲେ, ‘‘ଖାଇବା ପିଇବାର ବନ୍ଦୋବସ୍ତ ଆଉ କଣ ହବରେ ? ତୋ ଶଶୁର ଆସିଚି ବୋଲିତ ଆଉ ମୁଁ ସରଗର ଚାନ୍ଦ ଆଣିବି ନାହିଁ ! ଯାହା ଘରେ ଥିବ ତାହା ହବ !’’

 

ଧୋଇଆ– କଣ ଶାଗ ଭାତ ଖାଇବାକୁ ଦବୁ କିଲୋ ? ନାଇଁ ମ, ସତେରେ, ସବୁ ବନ୍ଦୋବସ୍ତ କରିବାକୁ ହବତ ?

 

ମା ବୁଝିଲେ ପୁଅ ମୁଣ୍ଡରେ ବୋଧହୁଏ ବୁଦ୍ଧି ପଶିଲା । ଦେଖିଲାତ, ଆଉ ଖସିବାର ନାହିଁ, ତେବେ ଆଉ ଋଷି ବସିଲେ କଣ ହବ ? ଚଗଲା ଟୋକା ! କହିଲେ, ‘‘ଏ ଓଳିଟା ସେହିପରି ଯିବ, ଘରେତ ସବୁ ଅଛି କାନେକା ହେରିକା କରି ଖାଇବାକୁ ଦବା । ମହାପାତ୍ରେ ବାଉରି ସାହିକୁ ଯାଇଚନ୍ତି, ଗଡ଼ିଆ ବୁହାଇ ମାଛ ଆଣିବେ ବୋଲି । ବନ୍ଦୋବସ୍ତ ଯାହା ଉପର ବେଳାକୁ । ମୋ ମନ ଥିଲା, ମହାପ୍ରସାଦ ହେରିକା ପୁରୀରୁ ନେଇ ଆସିଥାନ୍ତେଇ । କିନ୍ତୁ ନିର୍ବନ୍ଧ ବେଳ ରାତି ୭ ଘଡ଼ିକୁ । ସେତେ ବେଳକୁ ତ ଆସିହବ ନାହିଁ । ଆମକୁ ପୁରୁକାକରା, କ୍ଷିରି, କଦଳି ଚକଟା ପୁରୀ, ରସଗୋଲା ଇତ୍ୟାଦି କରି ଖାଇବାକୁ ଦେବା ସେତେବେଳେ ।’’

 

ଧୋଇଆ– କାହିଁକି ଏତେ କଥା, ମୁଁ ଯାଉଚି ପୁରୀରୁ ମହାପ୍ରସାଦ ନେଇ ଆସିବି । ଭଣ୍ଡରେ ଖଟଣି ଲଗାଇ ଭଣ୍ଡ ଉଠିବା ସଙ୍ଗେ ସଙ୍ଗେ ଗୋଟାଏ ଲରିରେ ବୋଝାଇ କରି ନେଇ ଆସିଲେତ ବେଳ ଥିବ ପହଞ୍ଚିଯିବ ।

 

ବାବୁଆଣୀ– ତୁ ଏତେ କଥା କରି ପାରିବୁ ?

ଧୋଇଆ– ନିଶ୍ଚୟ ।

 

ସେଇଆ ସାର ହେଲା । ଧୋଇଆ ପଇସା-ପତ୍ର ଘେନି ପୁରୀ ବାହାରି ଗଲା । ବରାଦ ହେଲା ସେ ତେଣୁ ମହାପ୍ରସାଦ, ପିଠା ସବୁ ଓ ଅମୃତକୁଣ୍ଡ ଇତ୍ୟାଦି ସାଙ୍ଗରେ ସାତ ମୂର୍ତ୍ତି ମଗଜଲଡ଼ୁ ନେଇ ଆସିବ । ଧୋଇଆ ଯିବା ଆଗରୁ ତାର ସାଙ୍ଗ ଗଣେଶକୁ କଣ ଅଧ ଘଣ୍ଟାଏ କାଳ ଫୁସୁ ଫୁସୁ କରି ବତାଇଦେଇ ଗଲା । ନିଜେ ନିଜର ସବୁ ଟ୍ରଙ୍କ ବାକସ ଭଲକରି ଚାବି ଦେଇ ଓ ତାର ଘରଟି ବନ୍ଦ କରି ଚାଲିଗଲା ।

 

ପାର୍ବତି ବାବୁ ହେରିକା ସକାଳ ବେଳା ଖା-ପିଅ କରି ଶୋଇଲେ । ଉପର ବେଳା ପାଞ୍ଚଟା ବେଳକୁ ସେମାନେ ନଈ ଆଡ଼କୁ ଗଲେ । ନଈ ଘାଟ ପାଖରେ ଲୁଗା ପଟା ଛାଉ ଗାମୁଛା ପିନ୍ଧି ଯେ ଯୁଆଡ଼େ ଦୂରକୁ ଚାଲିଗଲେ । ମହାପାତ୍ରେ ତାଙ୍କ ସାଙ୍ଗରେ ଯାଇଥିଲେ । ସେ ମଧ୍ୟ ଚାଲିଗଲେ । ଖାଲି ଲୁଗାଗୁଡ଼ିକ ନିଃସହାୟ ଅବସ୍ଥାରେ ପଡ଼ି ରହିଲା । ଏହା ମଧ୍ୟରେ ଗଣେଶ ସେ ସ୍ଥାନକୁ ଆସିଲେ, ଚାରିଆଡ଼କୁ ଚାହିଁ ଦେଖିଲେ, କୌଣସି ଆଡ଼େ କେହି ନାହାନ୍ତି । ତା ପରେ ଲୁଗା-ପଟା ଗୁଡ଼ିକ ସାଉଣ୍ଟି ଧରି ଚୋରଙ୍କ ଭଳି ଏଣିକି ତେଣିକି ଚାହିଁ ପାଖରେ ଥିବା କୋଚିଲା ବଣ ଭିତରକୁ ପଳାଇ ଗଲେ । ବଣ ଭିତରେ ଗୋଟାଏ ଗାଡ଼ ଖୋଳା ହୋଇଚି । ତାରି ଭିତରେ ଲୁଗା ଗୁଡ଼ିକ ରଖି ତା ଉପରେ ମାଟି ଘୋଡ଼ାଇ ଦେଇ ସେ ଘରକୁ ଚାଲିଗଲେ ।

 

ଏଣେ ପାର୍ବତୀ ବାବୁ ହେରିକା ଫେରି ଆସି ଦେଖନ୍ତି ଲୁଗାଗୁଡ଼ିକ ନାହିଁ ଏଣେ ତେଣେ ଖୋଜିଲେ, କୌଣସିଠାରେ ପାଇଲେ ନାହିଁ । ବଡ଼ ଭାବନା ହେଲା ଗାଁ ଭିତରେ ଦେଇ ଯାନ୍ତି କିପରି ! ପାର୍ବତୀ ବାବୁ ଜଣେ ଖାନ-ଦାନ ଶିକ୍ଷିତ ଭଦ୍ରଲୋକ । ଡେପୁଟି ଚାକିରି କରୁଥିଲେ । ବର୍ତମାନ ପେନସନ ନେଇ ଘରେ ଅଛନ୍ତି । ସେ ଗାମୁଛା ଖଣ୍ଡେ ପିନ୍ଧି ଦିନଟାରେ ଯିବେ କିପରି ? ଏ ଅପଦାର୍ଥ ନଈଟା ହେଲେ ଗାଁ ପଛରେ ହେଇଥାନ୍ତା, ବାଡ଼ି ପଟେ ପଟେ ଚାଲି ଯାଇ ଥାନ୍ତେ । ମହାପାତ୍ରେ ମଧ୍ୟ କାବା, ଲୁଗାଗୁଡାକ ନେଲା କିଏ ! ଦିନେ ନାଇଁ, ଏତେ ଲୁଗା-ପଟା ଏତେ ଦିନ ପଡ଼ି ରହେ, କେହି ହେଲେ ଦିନେ ଛୁଇଁ ଯାଏ ନାହିଁ । ଆଜି କିଏ ସେ ନେଲା । ସେ ଭାବି ଭାବି କହିଲେ, ଆପଣମାନେ ଏଠି ଥାନ୍ତୁ, ମୁଁ ଘରକୁ ଯାଇ ଆପଣମାନଙ୍କ ପାଇଁ ଲୁଗା ନେଇ ଆସିବି । ଆଶାଥିଲା, ତାଙ୍କର ସକାଳ ବେଳାର ପାଲଟା ଲୁଗାତ ଥିବ, ତାକୁ ଆଣିବେ, ନହେଲେ ଧୋଇଆର ଲୁଗା-ପଟା କିଛି ନେଇ ଆସିବେ । ଘରେ ଯାଇ ବୁଝନ୍ତି ଯେ ପାର୍ବତୀ ବାବୁ ୟାଙ୍କ ଘର ଦିଆକ ଲୁଗା ପିନ୍ଧି ତାଙ୍କ ପାଲଟା ଲୁଗା ଭଣ୍ଡାରିକୁ ଦେଇ ସାରିଚନ୍ତି । ଆଉ ମାନଙ୍କର ଲୁଗା କିଏ କେଉଁଠି ଶୁଖାଇଥିଲା ତାର ପତ୍ତା ନାହିଁ । ଆଉରି ମଧ୍ୟ ଦେଖି ହତାଶ ହେଲେ ଯେ ଧୋଇଆର ଦୂଆର ଚାବି ବନ୍ଦ । ଆଲିଗଡ଼ କମାର ଡାକି ଭାଙ୍ଗିବା ଛଡ଼ା ଅନ୍ୟ ଉପାୟ ନାହିଁ, କାରଣ ଧୋଇଆ ତା ଚାବି ଅନ୍ୟ କାହାରିକୁ ଦେଇଯାଇ ନାହିଁ । ମାହାପାତ୍ରେ ଯାଇ ବାବୁଆଣୀଙ୍କୁ କହିଲେ । ବାବୁଆଣୀ ବୁହେ ଏଣେ ତେଣେ ଖୋଜିଲେ । ଏଣେ ଯେ ବେଳ ଉଚ୍ଛୁର ହୋଇ ଯାଉଚି । ଠିକ୍‌ରାତି ଘଡ଼ିକୁ ନିର୍ବନ୍ଧ । ସନ୍ଧ୍ୟା ହୋଇ ଗଲାଣି । ଏତିକି ବେଳେ ଜଣେ ଲୋକ ପୁରୀରୁ ଗୋଟାଏ ସାଇକେଲରେ ବସି ଆସି କହିଲା ଯେ ଧୋଇ ବାବୁ ତା ହାତରେ ମଗଜଲଡ଼ୁ ପଠାଇ ଦେଇଚନ୍ତି । ମହାପ୍ରସାଦ ନେଇ ଆସୁ ଆସୁ ଡେରି ହବ । କାରଣ ଗୋଟାଏ ମାଘ ସ୍ନାନ ପଡ଼ିଯିବା ହେତୁରୁ ଭଣ୍ଡ ଛେକ ଉଠିବାରେ ଡେରି ହେଇଚି । ଏଣେ ପୁରୋହିତ ଓ ନିମନ୍ତ୍ରୀତ ବ୍ରାହ୍ମଣମାନେ ଆସି ପହଞ୍ଚିଲେଣି । ଏତେ ବେଳେ ସେ କାହା ଦୁଆରକୁ ଲୁଗା-ପଟା ମାଗିଯିବେ । ସେ ଆଉ କିଛି ନ ପାଇ ବାବୁଆଣୀଙ୍କର ସହିତ ଲୁଗା ଖଣ୍ଡେ ଘେନି ପଳାଇଲେ । ପାର୍ବତୀ ବାବୁ ଆଉ କରନ୍ତି କଣ ? ସେଇ ବାର ହାତ ସହଣ ଲୁଗା ଖଣ୍ଡ କୌଣସି ମତେ ଗୁଡ଼େଇ ପୁଡ଼େଇ ହେଇ ଘରକୁ ଆସିଲେ । ସେତେ ବେଳକୁ ନିର୍ବନ୍ଧ ବେଳ ହୋଇଯାଇଥିଲା । ନିମନ୍ତ୍ରୀତ ଭଦ୍ରବ୍ୟକ୍ତିମାନେ ଉଚ୍ଛନ୍ନ ହୋଇ ଉଠିଲେଣି, କିନ୍ତୁ ବର ପିତା ଓ ବନ୍ଧୁମାନଙ୍କର ଆସିବାରେ ଡେରି ହେଉଚି । ପାର୍ବତୀ ବାବୁ ଦଉଡ଼ା ଲୁଗା ଖଣ୍ଡେ ପିନ୍ଧି ଓ ଅନ୍ୟାନ୍ୟମାନେ ସେଇ ଗାମୁଛା ଖଣ୍ଡଟି ମାନ ପିନ୍ଧି କିପରି ବା ସଭା ମଧ୍ୟକୁ ଯାଉଚନ୍ତି ? ଏହି ସମୟରେ ଧୋଇ ବାବୁ ଆସି ପହଞ୍ଚିଲେ । ସେ ଏସବୁ ହାଲ ଶୁଣି ତରବର ହୋଇ ନିଜ ଘର ଫିଟାଇ ଏମାନଙ୍କୁ ସେଠାକୁ ଡାକି ନେଲେ । ଆଲୁଅ ଆଣିବାକୁ ଫୁରସତ ନାହିଁ, ସେ ତାଙ୍କୁ ତାଙ୍କର ଗାମୂଛା ଖଣ୍ଡକ ମୁହଁ ପୋଛିବାକୁ ଦେଲେ । ଏବଂ ନିଜେ ବାକସ ଇତ୍ୟାଦି ଫିଟାଇ ସେଥିରୁ ଲୁଗା ବାହାର କଚିବାରେ ଲାଗିଲେ ଲୁଗା ବାହାରିଲା । ସେମାନେ ପିନ୍ଧି ଯଥା ସ୍ଥାନକୁ ଗଲେ । ଦୁଇଟା ପେଟ୍ରୋମାକ୍ସ ଆଲୁଅରେ ଘରଟା ଦିନ ଭଳି ଉଜ୍ଜ୍ୱଳ ହୋଇଚି । ସମସ୍ତେ ଚାତକ ପରି କନ୍ୟା ପିତା ଓ ବନ୍ଧୁମାନଙ୍କୁ ଚାହିଁ ବସିଚନ୍ତି । ଏଇ ସମୟରେ ପାର୍ବତୀ ବାବୁ ଓ ତାଙ୍କର ସଙ୍ଗିମାନେ ସେ ଘରକୁ ପଶିଯିବା ମାତ୍ରେ ଗୋଟାଏ ହସର ରୋଳ ଘର ଖଣ୍ଡକୁ ଭାଙ୍ଗି ପକାଇଲା । ପାର୍ବତୀ ବାବୁ ଦୁଆର ମୁହଁରେ ଥକ୍କାମରା ହୋଇ ଗଲେ । ରାଗରେ ବିରକ୍ତିରେ ତାଙ୍କର ମୁହଁ ନାଲହୋଇ ଉଠିଲା, ଆଖି ଝଲସି ଗଲା । ସେ ଓ ତାଙ୍କର ସଙ୍ଗିମାନେ ସେଠାରୁ ପଛଘୁଞ୍ଚା ଦେଇ ଚାଲିଗଲେ । ମାହାପାତ୍ର ବିଚାରା ମଧ୍ୟ ସେଠାରେ ଥିଲେ। ସେ ପାର୍ବତୀ ବାବୁ ଇତ୍ୟାଦି ଫେରି ଯିବାର ଦେଖି ତାଙ୍କ ପଛେ ପଛେ ଯାଇ ତାଙ୍କୁ ଦାଣ୍ଡ ଘରେ ଧଇଲେ, ‘‘ପାର୍ବତୀ ବାବୁ, ଆପଣ ଜଣେ ଭଦ୍ରବ୍ୟକ୍ତି, ଆମ୍ଭେମାନେ ଆଶା କରିଥିଲୁ ଆପଣ ଜଣେ ଭଦ୍ର ବ୍ୟବହାର କରିବେ । ଏପରି ସୁଆଙ୍ଗ ସାଜି ଏ ସ୍ଥାନକୁ ଭଦ୍ରଲୋକଙ୍କ ମଝିକୁ ଆସିବା କି ସୁନ୍ଦର ହେଇଚି ?’’

 

ପାର୍ବତୀ ବାବୁ ଗର୍ଜନ କରି ଉଠିଲେ, କହିଲେ, ‘‘କଣ, ଆମେ ଅଭଦ୍ର ! ଆମେ ଅଭଦ୍ର ! ଆମେ ବାହାର ଗାଁରୁ ଆପଣଙ୍କ ଗାଁକୁ ସମ୍ବନ୍ଧ ପାତିବାକୁ ଆସିଛୁଁ, ସେଥିରେ ପ୍ରଥମେ ହେଲା ଆମର ଲୁଗା ଚୋରି, ତା ଆମେ ଯିବା ମାତ୍ରକେ ସମସ୍ତେ ବିନା କାରଣରେ ହସି–’’

 

ମହାପାତ୍ରେ– ବିନା କାରଣରେ ? ଆସନ୍ତୁ ଦେଖିବେ, ବିନା କାରଣରେ କି କଣ ? କହି ତାଙ୍କୁ ଟାଣି ବୈଠକଖାନା ଘରକୁ ଟାଣି ନେଲେ । ସେଠାରେ ଗୋଟାଏ ବଡ଼ ଦର୍ପଣ କାନ୍ଥ ଦିହିରେ ମରା ହେଇଚି । ପାର୍ବତୀ ବାବୁ ଦେଖିଲେ ଏକ ଅଦ୍ଭୁତ ଦୃଶ୍ୟ । ତାଙ୍କର ଗୋଟାଏ ପଟ ଗାଲରେ ଧଳା ଓ ନାଲି ରଙ୍ଗର ଦୁଇଟା ମାଙ୍କଡ଼ର ଚିତ୍ର ଓ ଆଉ ଗୋଟାଏ ଗାଲରେ ଧଳା ଓ ନେଳି ରଙ୍ଗର ବାମଦେବର ଚିତ୍ର, କପାଳରେ ଏଡ଼େ ଏଡ଼େ ଅକ୍ଷରରେ ଲେଖା ହେଇଚି ‘ବୋକା’ । ଆଉ ତାଙ୍କ ସଙ୍ଗିମାନଙ୍କର ମୁହଁ ଗୁଡ଼ାକରେ କଳା, ନେଳି, ନାଲି ଓ ଧଳାର ଅପୂର୍ବ ଚିତ୍ର ହେଇଚି, ଯେପରି ସୁଆଙ୍ଗରେ ଦ୍ୱାରି ବାହାରିଚି । ପାର୍ବତୀ ବାବୁ ପ୍ରଥମେ ତ କିଛି ବୁଝି ପାରିଲେ ନାହିଁ । ଏତେ କାଣ୍ଡ କାରଖାନା କେତେ ବେଳେ କିପରି ଯେ ହେଲା, ସେ ଆଦୌ ଅନୁମାନ କରି ପାରିଲେ ନାହିଁ । ମହାପାତ୍ରେ ସେତିକି ବେଳେ କହିଲେ, ‘‘ଏବେ ଦେଖିଲେ, ଯେଉଁମାନେ ହସିଥିଲେ ସେମାନେ ସକାରଣରେ କି ଅକାରଣରେ ଏବେ ବୁଝିଲେ ତ ? ଆପଣଙ୍କୁ ଆଉ କୁ ଠେଇଁ ସୁଆଙ୍ଗ ଦେଖାଇବାକୁ ମିଳିଲା ନାହିଁ !’’ ରାଗ କ୍ଷୋଭ ଓ ଲଜ୍ୟାରେ ମରିଗଲା ପରି ହେଇଯାଇ ପାର୍ବତୀ ବାବୁ କହିଲେ, ‘‘ଆପଣ କଣ ଭାବଚନ୍ତି ମୁଁ ଏପରି ବେଶ ଜାଣିଶୁଣି ହେଇ ଆସିଛି ?’’

 

ମହାପାତ୍ରେ– ତା’ ନ ହେଲେ ଆପଣତ ଛୁଆ ପିଲା ନୁହନ୍ତି ଆପଣଙ୍କୁ ଏ ବେଶ କରନ୍ତା କିଏ ?

 

ପାର୍ବତୀ ବାବୁ ଦେଖିଲେ, ଧୋଇ ବାବୁଙ୍କ ଦିଆ ଗାମୁଛାରେ ମୁହଁ ପୋଛିବା ଛଡ଼ା ସେ ଆଉ ତାଙ୍କ ମୁହଁରେ ହାତ ଦେଇନାହାନ୍ତି । ଯଦି କିଛି ଗୋଳମାଳ ହୋଇଥାଏ, ତା ହେଲେ ସେଇ ମୁହଁ ପୋଛା ବେଳେ । ବୋଧହୁଏ ସେ ଖୁବ୍‌ସାବଧାନରେ ମୁହଁ ଝାଳ ପୋଛି ଥିଲେ ବୋଲି ତାଙ୍କ ମୁହଁରେ ଛବି ଗୁଡ଼ାକ ରହିଗଲା, ଆଉ ତାଙ୍କ ସଙ୍ଗୀମାନେ ସେପରି ସାବଧାନ ନହୋଇ ଯେଛା ତା କରି ପୋଛିଥିଲେ ବୋଲି ସେମାନଙ୍କ ମୁହଁରେ କେବଳ ଦାଗ ଲାଗି ରହିଗଲା । ସେ କହିଲେ ଦେଖନ୍ତୁ ମହାପାତ୍ରେ ଆମେ ଯେ ଗାମୁଛାରେ ଧୋଇ ବାବୁଙ୍କ ଘରେ ମୁହଁ ପୋଛି ଥିଲୁଁ, ସେ ଗାମୁଛାଟା ଆଣି ଦେଲେ ମୁଁ ବୁଝେଇ ଦେବି, ଏ କିପରି ହେଲା । ତାଙ୍କର ସ୍ୱରଟା ଶାଣ ଛୁରି ପରି ତୀକ୍ଷ୍‌ଣ, ବରଫ ପରି ଥଣ୍ଡା । ମାହାପାତ୍ରେ କିଛି ବୁଝି ନପାରି ଏମାନଙ୍କୁ ଧୋଇ ବାବୁଙ୍କ ଘରକୁ ନେଇଗଲେ । ସେଠାରେ ଦେଖିଲେ ଯେ ଚୌକି ପିଠି ଉପରେ ସେମାନେ ସେ ଗାମୁଛାଟା ରଖିଥିଲେ ସେହିଠାରେ ଠିକ୍‌ସେହି ଭାବରେ ଗାମୁଛଟା ଅଛି । ମେଲାକରି ଦେଖିଲେ, ଗାମୁଛରେ କୌଣସି ଠାରେ ଟିକିଏ ଦାଗ ମାତ୍ର ନାହିଁ । ପାର୍ବତୀ ବାବୁ ବୋକା ବନିଗଲେ । ଥାଥା ମାମା ହୋଇ ପଚାରିଲେ, ‘‘ଧୋଇ ବାବୁଙ୍କର ଗାମୁଛା କେତେ ଖଣ୍ଡ ?’’ ଏଥର ମହାପାତ୍ରଙ୍କ ପାଳି । ସେ ଗମ୍ଭୀର ଓ ଛୁରି ଦାଢ଼ ପରୀ ଦାଢ଼ୁଆ ସ୍ୱରରେ କହିଲେ, ‘‘ଦୁଇ ଖଣ୍ଡେ ଆଉ ଖଣ୍ଡେ ତା କାନ୍ଧରେ ଅଛି-। ପାର୍ବତୀ ବାବୁ ସେଠାରୁ ଏକ ମୁହାଁ ଦାଣ୍ଡକୁ ଚାଲିଲେ । ଏତିକି ବେଳେ ଘର ଭିତରୁ ଆଉରି ଗୋଟାଏ ଗୋଳମାଳ ଶୁଭିଲା । ସେ କାନ ଦେଇ ଶୁଣିଲେ କିଏ କହୁଚି, ‘‘ଏ ମଦ ବୋତଲଟା ପରା ମୁଁ ସେଇ ଘରୁ ପାଇଲି, ଯୁ ଘରେ ସେ ବାବୁମାନେ ଥିଲେ । ପାର୍ବତୀ ବାବୁ ଥିଲେ । ପାର୍ବତୀ ବାବୁ ଆଉ ଶୁଣିବାକୁ ଅପେକ୍ଷା କଲେ ନାହିଁ । ସେ ଏକ ମୁହାଁ ରାସ୍ତା ଧରି ଚାଲିଲେ । ପଛରୁ କିଏ ଡାକ ପକାଇଲା, ‘‘ପାର୍ବତୀ ବାବୁ ଧୋଇ ବାବୁଙ୍କ ଲୁଗା ଗୁଡ଼ିକ ଘେନି କଣ ଶେଷରେ ପଳେଇବେ-? ଖାସା ଭଦ୍ରଲୋକ ଯାହା ହଉ ।’’

 

ଏହିପରି ଭାବରେ ନିର୍ବନ୍ଧ ଭାଜିଗଲା । ସେ ଦିନ ରାତିରେ ଧୋଇ ଖୁବ୍‌ଆନନ୍ଦ ମନରେ ଶୋଇବାକୁ ଯାଇ, ତା ଘର ଭିତରେ ପଟୁ କିଳି, ଦିଆସିଲ ମାରି ଚିତ୍ରକରମାନେ ଯେପରି ମୋଟା କେରପାଳ ଭଳି କନାରେ ଚିତ୍ର କରନ୍ତି ସେହିପରି ଖଣ୍ଡେ କନା ଜାଳିପକାଇ ଥିଲେ ।

Image

 

 

ଏହାର କିଛି ଦିନ ପରେ ପୁରୀର ସରନ୍ତି ସୋମବାର ମେଳା । ବୈଶାଖ ମାସ ଶେଷ ସୋମବାର ଦିନ ପୁରୀ ଲୋକନାଥଙ୍କ ପାଖରେ ଗୋଟିଏ ବଡ଼ ରକମ ମେଳା ହୁଏ । ପୁରୀ ପଞ୍ଚୁକୋଶି ମଧ୍ୟରୁ ପ୍ରାୟ ପ୍ରତ୍ୟେକ ପୁଋଷ ବ୍ୟକ୍ତି ଏ ମେଳାକୁ ଆସନ୍ତି । ଚନ୍ଦନ ଜାତ ମଝିରେ ଏ ମେଳା ପଡ଼ିବା ଦ୍ୱାରା ଲୋକମାନଙ୍କର ବଡ଼ ସୁବିଧା ହୁଏ । ଏକା କ୍ଷେପକେ ବାଳିଆ ସେଉଲ ଦି କଥା, ଛାଡ଼େ କିଏ ? ରବିବାର ରାତି ଠାରୁ ଆରମ୍ଭକରି ସୋମବାର ଦିନ ପହରକ ପର୍ଯ୍ୟନ୍ତ ସତ୍ୟବାଦୀ ଓ ପୁରୀ ମଝି ଜଗନ୍ନାଥ ସଡ଼କ ଲୋକାରଣ୍ୟ । ଗୋରୁ ଗାଡ଼ିର ଗୋଟାଏ ଅସରନ୍ତି ସୁଅ ଚାଲିଥାଏ । ଏବଂ ଗୋଋୁମାନଙ୍କ ବେକର ଘଣ୍ଟି ଶବ୍ଦରେ କାନ ଅତଡ଼ା ପଡ଼ିଯାଏ । ଶଗଡ଼ିଆମାନଙ୍କ ବାଦ ବିବାଦ, କଳି ତକରାଳ ଅଭାବ ନ ଥାଏ । କାହା ଶଗଡ଼ର ଦଣ୍ଡା କାହା ଶଗଡ଼ ମୁଣ୍ଡିରେ ବାଜିଗଲା, କିଏ ଆଗରେ କଟାଇ ନେବାକୁ ଚେଷ୍ଟା କଲେ, ଆଉ କିଏ ବାଟ ଛାଡ଼ୁ ନାହିଁ ଇତ୍ୟାଦି କାରଣରୁ କଳିଗୋଳ ଓ ମରା-ମରି ମଧ୍ୟ ବେଳେ ବେଳେ ହୋଇଯାଏ । ଚଲାଖି ଲୋକମାନେ ହାତ ତାଳି ତାଳଦିଅ ‘‘ଆଜି କେଳି କଉତୁକି ଶ୍ରୀଛାମୁରେ ମୋର ମାଗୁଣି ଏତିକି’’ ଗୀତ ଛାଡ଼ି ସେ କଳିଗୋଳ ଓ ମରାମରିରେ ବେଳେ ବେଳେ ଯୋଗ ଦିଅନ୍ତି । ସକାଳେ ପୁରୀରେ ପହଞ୍ଚି ଦେଉଳରେ ପଖାଳ ଅଭଡ଼ା ଓ ବାସି ଡାଲି ତରକାରିରୁ ମେଞ୍ଚେ ଲେଖାଏ ପକାଇ ଦେଇ ଲୋକନାଥଙ୍କ ବାଲି ପଡ଼ିଆରେ ଆସି ହାଜର ହୁଅନ୍ତି । ଅଧିକାଂଶ ଗଛ ଉପରେ, ପାଚିରି ଉପରେ, ଘର ଉପରେ ପାତିମାଙ୍କଡ଼ଙ୍କ ପରି ପଡ଼ିରହି ଥାନ୍ତି । ଯେଉଁମାନେ ମୁଖିଆ ଓ କାମକା, ସେମାନେ ନଡ଼ିଆ କୋରିବା, ଚୂଡ଼ା ଘଷିବା, କଦଳି କାଟିବା ଇତ୍ୟାଦିରେ ଲାଗିଯାନ୍ତି । ନଡ଼ିଆର ଘଷର ଘଷର, ଚୂଡ଼ାର ପଷର ପଷର, ପାତିମାଙ୍କଡ଼ ମାନଙ୍କର କିଚିରି କିଚିରି, ଓ ମନୁଷ୍ୟମାନଙ୍କର କଟର ମଟର ଇତ୍ୟାଦିରେ ମନେହୁଏ ଯେପରି ଭୁତନାଥଙ୍କ ଅନୂଚରମାନେ ଏତେ ଦିନ ପରେ ନରକର ଅନ୍ଧାରରୁ ପୃଥିବୀର ଆଲୋକକୁ ବାହାରି ଆସିଚନ୍ତି ।

ଗ୍ରାମର ମାମଲତାକାରମାନେ ବେଢ଼ା ଅଗଣାରେ ବସି ଗାଁର ବାଦ ବିବାଦ ତୁଟାଇବା ନାମରେ ନିଜର ବାହାଦୁରି କରୁ କରୁ ଆଉ ଗୋଟାଏ ବାଦ ବିବାଦ ଲଗାଇ ଦିଅନ୍ତି । ବେଢ଼ା ମଧ୍ୟରେ କେବଳ ବ୍ରାହ୍ମଣ ବିଶେଷତଃ ଶାସନ ବ୍ରାହ୍ମଣମାନଙ୍କର ବସିବାର ଅଧିକାର ବୋଲି ସେମାନେ ସେଇ ବେଢ଼ା କେତେ ହାତ ଭିତରେ, ନଡ଼ିଆ ପାଣିରେ ଚପ ଚପ, ସଡ଼ ସଡ଼ ହୋଇ ବସିବେ ପଛକେ, ବାହାରିକୁ ଯିବେ ନାହିଁ । ଅଥଚ ଯେଉଁମାନେ ଇତର ସେମାନେ ବାହାରେ ଗଛତଳମାନଙ୍କରେ ଦିବ୍ୟ ସମୁଦ୍ର ପବନ ଉପଭୋଗକରି ନିଜ ନିଜ କାମ କରିଯାନ୍ତି । ବ୍ରାହ୍ମଣ ସାମନ୍ତମାନଙ୍କର ବୁଦ୍ଧିତ ! ଏଇ ଖରାରେ ଦହିହୋଇ, ଜନ୍ତାଜନ୍ତିରେ ମନ୍ଥିହୋଇ, ଉପାସରେ ବାଇହୋଇ ଦିନ ତିନିଟା ଚାରିଟା ବେଳକୁ ମୁଠେ ମୁଠେ ଚୁଡ଼ାଘଷା ଖାଇବାକୁ ମିଳେ । ସେ ମଧ୍ୟ ବ୍ରାହ୍ମଣ ସାମନ୍ତମାନଙ୍କ ଅଦ୍ଭୁତ ଆବିଷ୍କାର । ‘‘ସେତ୍ତେ ଚୁଡ଼ା, ସେ କୁଟାହୋଇ, ଛଣାହୋଇ ଚଳନଧୂଳି ପରି ହୋଇଥିବ । ସେଥିରେ ପାଞ୍ଚ ଗଣ୍ଡା ନଡ଼ିଆ ସେ ନଡିଆ ଯେ କୋରାହବ, ସେଥିରୁ ପୁରେ ଲେଖାଏଁ ସଢ଼େଇରେ ରହିଯିବ, ପାଞ୍ଚ ପା ଘିଅ ଓ ପାଞ୍ଚ ପା ଚିନି ବା ନବାତ । ଗୋଟାକାତେ ସଢ଼େଇ ଦିହରୁ ଭଲକରି ଆଂଶୁ ବାହାରକରାଯାଇ ତାରି ପିଠିରା ଷଣ୍ଢା ଷଣ୍ଢା ଟୋକା ପଞ୍ଚୋଟା କି ଛଟା ଏ ସବୁକୁ ଏକାଠି ପକାଇ ଘଣ୍ଟା ଦୁଇ ତିନି କାଳ ଘଷିବା ପରେ ସେଥିରେ କର୍ପୂର ଲବଙ୍ଗ, ଗୁଜୁରାତି ଇତ୍ୟାଦିର ଗୁଣ୍ଡ ଦିଆହୋଇ ପାଗ ଶେଷ କରାଯାଏ ।

ସେତେବେଳେ ସେ ଅବସ୍ଥାରେ ତାକୁ ଖାଇବାକୁ ଯେ ସୁଖ, ସେଥିରେ ପୁଣି ବାହାଦୁରି, ଏ ପର୍ଯ୍ୟନ୍ତ ଶ୍ରୀରାମଚନ୍ଦ୍ରପୁର ପରି ସଭ୍ୟ ଗ୍ରାମର ବ୍ରାହ୍ମଣ ସାମନ୍ତମାନେ ମଧ୍ୟ ତାଙ୍କ ସରନ୍ତି ସୋମବାର ଚୁଡ଼ାଘଷାଟା ସମସ୍ତଙ୍କ ଠାରୁ ବଢ଼ିଆ ହୁଏ ବୋଲି ଗର୍ବ” କରନ୍ତି । ବ୍ରାହ୍ମଣ ସାମନ୍ତମାନ୍ତଙ୍କର ବୁଝିବା ଉଚିତ, ପଇସା ଅଛି ବୋଲି ପଇସା ବୁଣିବାରେ ମଣିଷପଣିଆ ଜଣାପଡ଼େ ନାହିଁ । ନିଜର ଓ ପଞ୍ଚ ପରମେଶ୍ୱରଙ୍କର ସୁଖ ଓ ଭଲ ପାଇଁ ଯଥାଯଥ ବ୍ୟୟ କରିବାହିଁ ମନୁଷ୍ୟତ୍ୱ । ସେମାନେ ଏତେ ପଇସା ଖର୍ଚ୍ଚକରି ଯେ ପଦାର୍ଥ ତିଆରି କରନ୍ତି, ସେତ ଅଖାଦ୍ୟ । ସେମାନେ ସ୍ୱୀକାର କରିବେ ଯେ ସେ ଅଖାଦ୍ୟ । ଆଉ ସେ ନ ହେଲେ ଯେ ଲୋକନାଥଙ୍କୁ ଅନ୍ୟ ଜିନିସ ଋଚିବ ନାହିଁ । ଏପରି ମଧ୍ୟ କୌଣସି ଶାସ୍ତ୍ରରେ ନାହିଁ । ଅତଏବ ମେଳା ମଉଜ କରିବାକୁ ଯାଇଛ, ଯେପରି ସୁଖହବ, ଆରାମହବ ସେପରି ପଦାର୍ଥ କରି ଲୋକନାଥଙ୍କୁ ଭୋଗଦିଅ, ଆଉ ଗିଳ !

ଯାହାହଉ, ଏ ମୋର ଏକ ପ୍ରକାର ଅର୍ବାଚିନତା । ବ୍ରାହ୍ମଣ ସାନ୍ତେ ବୋଧହୁଏ ମୋ ଉପରେ ତାଙ୍କର ତାଳ ଠେଙ୍ଗା ନଚାଇବାର ବ୍ୟବସ୍ଥା କରିବେଣି । ଅଦା ବେପାରିର ଜାହାଜ ଖବର କେବେ ଦରକାର ହଉ ନଥିଲା, ଆଜି ଯେ ଦରକାର ନହେବ, ତାର କୌଣସି ଅର୍ଥ ନାହିଁ । ପ୍ରକୃତ ପକ୍ଷରେ ଅଦା ବେପାରି ମଧ୍ୟ ଆଜିକାଲି ଜାହାଜ ଖବର ନେବାକୁ ବାଧ୍ୟ ହେଲେଣି । ମୋ ଅଦା ବେପାରକୁ ଆସେଁ ତେବେ ।

ସମସ୍ତଙ୍କ ପରି ଧୋଇ ବାବୁ ମଧ୍ୟ ସେ ଦିନ ପାଞ୍ଚ ଜଣ ସାଙ୍ଗ ସାଥି ନେଇ ପୁରୀ ଯାଇଚନ୍ତି । ପୁରୀରେ ତାଙ୍କର ବନ୍ଧୁ-ବାନ୍ଧବ ଦି ତିନି ଘର ଅଛନ୍ତି ଓ ସାଙ୍ଗ-ସାଥି ମଧ୍ୟ ଅନେକ ଅଛନ୍ତି । କଲିକତାରୁ ଫେରି ଓଡ଼ିଶାର ଏକମାତ୍ର କୃତୀଶିଳ୍ପକାର ବୋଲି ନାମ ନେବା ଦିନ ଠାରୁ ସେ ପୁରୀରେ ବେଶ୍‌ ଜଣାଶୁଣା । ଅନେକ ବଡ଼ ବଡ଼ ଲୋକଙ୍କର ଅନେକ ବଡ଼ ବଡ଼ କାମ ସେ କରି ଦେଇଚନ୍ତି । ସଂସାରି ମଠର ମୃତ ଚେଲାଙ୍କ ତୈଳ ଚିତ୍ର ଯାହାକି ମହନ୍ତ ମହାରାଜାଙ୍କ ବୈଠକ ଖାନାରେ ଟଙ୍ଗା ହୋଇଚି ସେ ଧୋଇ ବାବୁଙ୍କର । ସେଦିନ କଚିରି ଅମଲାମାନେ ସରନ୍ତି ସୋମବାର ମେଳା ପାଖରେ ଗୋଟାଏ ତମ୍ବୁ ପକାଇ ମଉଜ କରିବାକୁ ଆସିଥାନ୍ତି । ସହରର ବିଶିଷ୍ଟ ଭଦ୍ରବ୍ୟକ୍ତିମାନେ ମଧ୍ୟ ସେଠାକୁ ନିମନ୍ତ୍ରୀତ ହୋଇଥାନ୍ତି ଶିବ ବାବୁ ତାଙ୍କର ଅନୁଚରମାନଙ୍କୁ ନେଇ ଓ ଧୋଇ ବାବୁ ତାଙ୍କର ସଙ୍ଗୀମାନଙ୍କୁ ନେଇ ସେଠାରେ ଉପସ୍ଥିତ ଥାନ୍ତି । ମେଳା ସରିଲା । ତା ପରେ ପାଚକ ପାଣିଟେ କରି ଚନ୍ଦନ ଦେଖି ଯିବାର ବ୍ୟବସ୍ଥା । ପାଚନ ପାଣି ତ ସେ ନୁହେ, ସେ ଗୋଟାଏ ଉତ୍କୃଷ୍ଟ ରକମ ସରବତ । ଛେନା, ଦୁଧ, କଦଳି ଓ ବଟା ଗଞ୍ଜେଇ, ଲବଙ୍ଗ, ପୁସ୍ତକଦାନା ଇତ୍ୟାଦିର ସମ୍ମିଶ୍ରଣରେ ତିଆରି ସେ ପଦାର୍ଥ ଶ୍ମଶାନବାସି ଗଞ୍ଜେଇଖୋର ସ୍ୱୟଂ ଲୋକନାଥ, କି କୋଚିଲା ଫଳାହାରି ସ୍ୱୟଂ ମହାବୀର ତାଙ୍କ ଚୌଦ ଜନ୍ମ ଓ ସାତ ପୁଋଷରେ ମଧ୍ୟ ଚାଖି ନଥିବେ । ସେମାନଙ୍କର ପରମ ଭାଗ୍ୟ ଯେ ପୁରୀ ସହରରେ ଆସ୍ଥାନ ମାଡ଼ି ବସିବାରୁ ପୂର୍ଣ୍ଣ ଭାବରେ ନ ହେଲେ ମଧ୍ୟ ଆଘ୍ରାଣ ଞ୍ଚାର୍ଦ୍ଧ ଭୋଜନଂ ପାଉଛନ୍ତି ।

ଯେତେବେଳେ ଏ ଦେବ ଦୁର୍ଲଭ ପଣା ଆସି ମାଟି ଓଳିରେ କଣ ଜଣଙ୍କୁ ଯଚାଯାଏ ସେତେବେଳେ ଧୋଇ ବାବୁ ପ୍ରଥମେ ମନା କରିଥିଲେ, କିନ୍ତୁ ପରେ ସାଙ୍ଗ-ସାଥିମାନଙ୍କର ଉପରୋଧରେ ଓ ଶିବ ବାବୁଙ୍କ ଅନୂଚର ମାନଙ୍କର ‘‘ଛି ଛି ଧୋଇ ବାବୁ, ମଧୁପୁର ଗାଁର ନା’ ବୁଡ଼େଇଲ’’ କଥାର ପ୍ରରୋଚନାରେ ସେ ଓଳିରୁ ଅଧେ ହବ ପିଇଥିଲେ । ତା’ ପରେ ମହାପ୍ରସାଦ ଭୋଜନ । ମଝିରେ କିଛି ସମୟ ବିଶ୍ରାମ । କାରଣ ଉପସ୍ଥିତ ଭଦ୍ରବ୍ୟକ୍ତି ମାନଙ୍କ ମଧ୍ୟରୁ କେତେକଙ୍କର ଅଭ୍ୟାସ ଯେ ମୁନ୍ଦେ ଏ ଦେବଦୁର୍ଲଭ ପଣାରୁ ପକାଇ ଲୋକନାଥଙ୍କ ବାଲି ପଡ଼ିଆଟାକୁ ପବିତ୍ରକରି ନ ଆସିଲେ ଆଉ ପୁଣି ଜଗନ୍ନାଥଙ୍କ ମାଲଟା ପଶି ପାରିବ ନାହିଁ । ଏଇ ବ୍ୟବଧାନ ମଧ୍ୟରେ ଧୋଇ ବାବୁଙ୍କ ଦଳ ଓ ଶିବ ବାବୁଙ୍କ ଦଳ ବସି ନାନା ପ୍ରକାର ଗପ ଆରମ୍ଭ କଲେ । କଥାଗୁଡାକ ସ୍ୱଭାବିକ ଗତିରେ ଭୋଜନ ଆଡ଼କୁ ଗଡ଼ି ଆସିଲା । ତାର ଦୁଇଟି କାରଣ– ପ୍ରଥମ ଏଯେ ଲୋକନାଥଙ୍କ ଅଧର ପଣା ୟେତ ଯିମିତି ସିମିତି ନୁହେ, ସ୍ୱୟଂ ସଂହାର କର୍ତାଙ୍କ ଉଚ୍ଚିଷ୍ଟ । ସଂହାର କର୍ତାଙ୍କର ପୁଣି ଏକ ଭାର୍ଯ୍ୟା ଅଛନ୍ତି । ସେ ସବୁ ବେଳେ ଖାଇବେ ଖାଇବେ ବୋଲି ଜିଭଟା ଲାହୁ କରୁଥାନ୍ତି । ସଂହାରକର୍ତାତ ଏ ଅଧର ପଣା ପିଇଲା ବେଳେ, ଏକା ପିଇ ନଥିବେ, ପ୍ରଥମେ ଭାର୍ଯ୍ୟାଙ୍କୁ ପିଆଇ ପରେ ସେହି ପ୍ରସାଦ ନିଜେ ପିଇଥିବେ । ଅତଏବ ଏତେଗୁଡ଼େ ଖାଇବା ପ୍ରିୟ ଦେବତାଙ୍କର ଉଚ୍ଚିଷ୍ଟ ପେଟରେ ପଡ଼ିଲେତ ସେ ଯାହା କିଛି ଥିବ ସବୁ ହଜମ କରିଦେଇ ଆଉରି କଣ ଖାଇବାକୁ ଆଶା ଭିଆଇ ଦେବ । ଦ୍ୱିତୀୟରେ ନିମନ୍ତ୍ରଣ ଭୋଜନଟା ଅଛି । ଅତଏବ ଫଲଣା ମିଶ୍ରେ କହିଲେ, ‘‘ଆହେ ବାବୁ, ଖାଇବ ଖାଇବ ବୋଲି ହୋଉଚ ଯେ କଣ ଖାଇବ ? ତୁମର ତ କୁଆଟାକର ଆହାର, ଦି ଥର ଖୁମ୍ପିଦେଲେ ପେଟ ପୂରିଯିବ । ଆମ ସାଙ୍ଗରେ ଜିଗର ପକେଇ ଖାଇ ପାରିବ ?

ଶିଶୁପାଳ କହିଲେ, ‘‘ଆହେ, କାହା ସାଙ୍ଗରେ ଜିଗର ପକାଉଚ ? ଏ କୋଳ ଟୋକାଗୁଡାକ ଯିମିତି ଖାନ୍ତି, ସିମିତି ଦିହରେ ବଳ ରଖିଚନ୍ତି । ଦେଖୁନ ଆମର ଏ ଧୋଇ ବାବୁଙ୍କୁ, ଦିଶୁଚନ୍ତି କିମିତି, ଏତେ ସଲଟଣରେ ରହିବା ଉତୁରୁ ମଧ୍ୟ ଦିଶୁଚନ୍ତି ଯିମିତି ସତେ ଅବା ପାଞ୍ଚ ଦିନର ମଳୁ। ଦି ପାହୁଣ୍ଡ ଚାଲିକରି ଯିବାର କ୍ଷମତା ଯାହାର ନାହିଁ ତା ସାଙ୍ଗରେ ପୁଣି ଜିଗର । ଆହା, ହା, ତୁମେ ଯିମିତି । ଧୋଇ ବାବୁ ମୁଡ଼ୁକି ହସା ଦେଇ କହିଲେ, ‘‘ମହାପାତ୍ରେ, ଯାହା କହିଲେ ସେଗୁଡାକ ମନଗଢ଼ା ଗପ ବାହାଦୁରି ନା ଆଖିରେ ଦେଖିଚନ୍ତି ?’’ ଶିଶୁପାଳ– କୁଉଟା ମନ ଗଢ଼ା ହେ ? ତୁମର ଦି କୋଶ ପାଞ୍ଚ କୋଶ ଚାଲି ଯିବାଟା ? ପାରିବି ? ଏତେ ଭଦ୍ର ଲୋକତ ଅଛନ୍ତି, କହି ଦେଖି ପାରିବ ?

ଧୋଇ– ଯଦି ପାରେଁ ?

ଫଲଣା– ହଁ ତା ପାରିବ ନାହିଁ କାହିଁକି ? ସାଙ୍ଗରେ ଦି ଦିଟା ଚାକର ବାକର ଯିବେ, ଅଣ୍ଟାରେ ଚାରିଶ ପାଞ୍ଚଶ ଟଙ୍କା ରହିବ, ସେପରି ହେଲେ କୋଡ଼ ଛୁଆ ବି ଚାଲିଯିବ ଯେ ।

ଧୋଇ– ଶୁଣନ୍ତୁ ମୁଁ କହୁଚି, ମୁଁ ସାଙ୍ଗରେ ମାତ୍ର ଗୋଟିଏ ଟଙ୍କା ନେଇ କଲିକତା ଯିବି ଓ ଆସିବି ।

ଶିବ– କଣ ମଟରରେ ?

ଧୋଇ– ନାଇଁ ଚାଲି କରି ।

ଫଲଣା– କଣ, ଦି ବର୍ଷରେ ?

ଧୋଇ– ନାଇଁ କୋଡ଼ିଏ ଦିନରେ । କାହାର ଏଥିରେ ସନ୍ଦେହ ଅଛି ସେ କହୁ, ମୁଁ ପାଞ୍ଚଶ ଟଙ୍କା ଜିଗର ମାରିବାକୁ ପ୍ରସ୍ତୁତ ଅଛି ।

ଧୋଇ ବାବୁଙ୍କର ସାଙ୍ଗ ମଦନ ବାବୁ କହିଲେ, ଆରେ ଧୋଇଆ ତୁ ଗୋଟାଏ ମସ୍ତବଡ଼ ଗଧ । ଖାଲି ଭୋପା ବାହାଦୁରି ଗୁଡ଼ାଏ କରୁ କିଆଁ ?

ଧୋଇ ବାବୁ ରାଗିଯାଇ କହିଲେ, ‘‘ଭୋପା ବାହାଦୁରି ? ମୁଁ ପ୍ରକୃତରେ ଜବାବ ଦେଇ କହୁଛି, ମୁଁ ଯଦି ଗୋଟାଏ ଟଙ୍କା ନେଇ ଆଜି ଠାରୁ କୋଡ଼ିଏ ଦିନ ମଧ୍ୟରେ କଲିକତା ଯାଇ ଫେରି ନ ଆସିବି ତା ହେଲେ ମୁଁ ପାଞ୍ଚଶ ଟଙ୍କା ଛାଡ଼ିଯିବି । ଆପଣମାନଙ୍କ ମଧ୍ୟରେ କେହି ଅଛ ଯେ ଏ ଜିଗର ଦେଇ ପାରିବ ?’’

ଶିବ– ବାବା ଧୋଇ, ତୁ ପିଲା, କଥା କଥାରେ ଏପରି ଜିଗର ମାରିବା ଠିକ୍‌ ନୁହେ । ନିଜର ଶକ୍ତିକୁ ଚାହିଁ, ନିଜର ସୁବିଧା ଅସୁବିଧାକୁ ଦେଖି ସିନା ଯେତିକି ପାରିବ ସେତିକି କହିଲେ ଭଦ୍ରଲୋକ ବୋଲି ଚିହ୍ନା ଯାଏ । ଏଗୁଡ଼ାକ ଖାଲି ବଜାରି କଥା ।

ଧୋଇ– ମୁଁ ବଜାରି ନୁହେ, ମୋର ଜିଗର ନରଖି ଯେ ମୋତେ ବଜାରି ବୋଲି କହେ, ସେ ନିଜେ ଅଭଦ୍ର । ତା ପରେ ସମସ୍ତେ କହିଉଠିଲେ ‘‘ଶିବ ବାବୁ, ଆପଣଙ୍କୁ ଏ ଛିଗର ରଖିବାକୁ ହବ । ଏକା ବେଳକେ ପାଞ୍ଚଶ ଟଙ୍କାର ବାଜି ରଖିବା ଭଳି ଶକ୍ତି କାହାରି ନାହିଁ । ତାପରେ ଧୋଇର ଏ ବାଜି ରଖିବା ଭଳି ଶକ୍ତି କାହାରି ନାହିଁ । ତା ପରେ ଧୋଇର ଏ ବାଜି ପଡ଼େ ଆପଣଙ୍କ ସାଙ୍ଗରେ ।’’

ଶିବ– ଆଚ୍ଛା, ନ ହେଲା, ବାଜି ରଖିଲି । କିନ୍ତୁ ଗାଁରେ ଯେ ଶୁଣିବ ବିଶେଷତଃ ଧୋଇଆ ବୋଉ, ମତେ ଗାଳିଦେବ ।

ଧୋଇ– ଏ ସ୍ଥାନରେ ଆମ ଗାଁର ବୋଲି ଆପଣ, ମୁଁ, ମିଶ୍ରେ, ମହା ପାତ୍ରେ ଓ ମଦନ-। ଆପଣ ମିଶ୍ରଙ୍କର ଓ ମହାପାତ୍ରଙ୍କର ଭାର ନିଅନ୍ତୁ, ମୁଁ ମଦନର ଭାର ନଉଚି । ମଦନ ଯାଇ ବୋଉଙ୍କୁ କହିବ ଯେ ମୁଁ କଲିକତା ମାମୁଁଙ୍କ ପାଖକୁ ଯାଉଚି । ପନ୍ଦର କୋଡ଼ିଏ ଦିନ ପରେ ଫେରିବି-। ତା ହେଲେ ଗାଁରେ ଏ ବାଜି କଥା ଜାଣିବା କାହାରି ସମ୍ଭବ ନୁହେଁ ।

ଶିବ– ତାହାହିଁ ହଉ ତେବେ । ତୁମେ କଣ ଆଜି ବାହାରିବ ?

ଧୋଇ– ହଁ ଆଜି ଏଇକ୍ଷଣି ମତେ ଗୋଟାଏ ଟଙ୍କା କିଏ ଧାର ଦେଇ ପାରିବ ! ଆପଣମାନେ ଦେଖିପାରନ୍ତି ମୋ ପାଖରେ ପଇସାଟିଏ ମାତ୍ର ନାହିଁ ମାହାପାତ୍ରଙ୍କ ପାଖରେ ସବୁ । ତାଙ୍କୁ ଖୋଜି ବାହାର କରୁ କରୁ ଡେରି ହବ । ମଦନ, ତୋ ପାଖରେ ଅଛିତ ମୋତେ ଗୋଟାଏ ଟଙ୍କା ଦେଲୁ !

ମଦନ– ତୁ କଣ ସତରେ ଯିବୁ ? କି ପାଗଲାମି ! ସେ ନାହିଁ କରୁଥିଲା, ତାକୁ ବଳା ବଳି କରି ମୁନ୍ଦେ ଭାଙ୍ଗ ପିଆଇ–

ଧୋଇ– ଥାଉ, ଥାଉ, ତୋର ବିଦ୍ୟା ବାଗିଶଗିରି ଦେଖାଇବା ସେତିକି ଥାଉ । ଆମର ନ୍ୟାୟକାରକ ବାହାରି ପଡ଼ି କହିଲେ କଣ ମୁଁ ନିଶାରେ ଏପରି କରୁଚି । ଭାରି ଭାଙ୍ଗ ଖାଇଲାବାଲା, ଦେ, ଟଙ୍କାଟା ଦେତ ! ତା’ ନହେଲେ ତୋ ମୁଣ୍ଡ ଚୁନା କରି ଦେବି । ଆଉ ଶୁଣ, ତୁ ଯଦି ଗାଁରେ କାହାରି ଆଗରେ ଏ ସବୁ କଥା କହିଥାଉ, ମୁଁ ଆସି ଶୁଣିବି, ତା’ ହେଲେ, ଜାଣିଚୁତ, ତୋର ବିଦ୍ୟା ବାଗିଶ ପଣ ଛଡ଼ାଇ ଦେବି ।

ତା ପରେ କଥାହେଲା, ସେ ଯେ କଲିକତା ଯାଉଛନ୍ତି, ତାହାର ପ୍ରମାଣ କିପରି ଜଣାଯିବ । ଶିବ ବାବୁ କହିଲେ ଯେ, ‘‘କଲିକତା ମେଛୁଆ ବଜାର ଗଳିରେ ପ୍ରଥମ ବାବୁ ତାଙ୍କର ଜଣେ ବନ୍ଧୁ । ତାଙ୍କ ସାଙ୍ଗରେ ଦେଖାକରି ଓ ତାଙ୍କ ଠାରୁ ଖଣ୍ଡିଏ ଚିଠି ଘେନି ଧୋଇ ଫେରିଲେ ଜଣାଯିବ ଯେ ସେ କଲିକତା ଯାଇଚନ୍ତି ।’’ ଧୋଇ ରାଜି ହେଲେ ଓ ପ୍ରଥମ ବାବୁଙ୍କର ଠିକଣା ଖଣ୍ଡେ କାଗଜରେ ଟିପି ନେଲେ । ସେଠାରେ କିଏ କିପରି ଜାଣିବ ଯେ ମେଛୁଆ ବଜାରର ପ୍ରଥମ ବାବୁ ଭଦ୍ରବ୍ୟକ୍ତି ହେଲେହେଁ କଲିକତାର ଜଣେ ଗୁଣ୍ଡା ସର୍ଦାର ।

Image

 

 

ବାଲେଶ୍ୟର ମହମ୍ମଦପୁର । ରାଧାନାଥ ସତପଥିଙ୍କ ଘର । ତାଙ୍କର ବିଧବା ପତ୍ନୀ ସରୋଜିନୀ ଦେବୀ ଋଗ୍‌ଣ ଓ ଶଯ୍ୟାଗତ । ପାଖରେ ତାଙ୍କର ୧୪ବର୍ଷର କନ୍ୟା ପ୍ରମିଳା । ମା କ୍ଷୀଣ ଦୁର୍ବଳ ଓ ଶାନ୍ତ କଣ୍ଠରେ କହୁଛନ୍ତି, ‘‘ମା, କାନ୍ଦନା ମା, ମୁଁ ଯାହା କହୁଚି, ମନଦେଇ ଶୁଣ । ତା ପରେ କାନ୍ଦିବାକୁ ବହୁତ ବେଳ ପାଇବୁ । ମରିଗଲେ ତ ଆଉ ଏ କଥା କେତେଟା କହି ପାରିବି ନାହିଁ ।’’

ପ୍ରମିଳା– ଶୁଣୁଚ ମା, କିନ୍ତୁ ତୁ ମରିଯିବୁ ବୋଲି କହନା, ମା, ମୋର ଛାତି ଭିତରଟା ଯେ କିସ କିସ ହେଇ ଯାଉଚି ।

ସରୋଜିନୀ– ପାଗଳି, ପାଗଳି ! ମୁଁ କଣ ସବୁଦିନ ବଞ୍ଚିଥିବି । କେହି କି ସବୁଦିନେ ବଞ୍ଚେ ? ତୋର ବାପ, ଆହା ! ସେ ଥିଲେ ଦେବତା, ଦେବତା, କେଉଁ ଅଭିଶାପରେ ଏ ସଂସାରରେ ମନୁଷ୍ୟ ଦେହ ଘେନି ଆସିଥିଲେ । ଅଭିଶାପ ପରେ, ହାୟ ! ଏ ଅଭାଗିନୀକୁ ଫୋପାଡ଼ିଦେଇ ଚାଲିଗଲେ । ଏହା କହି ସରୋଜିନୀ ଦେବୀ ଉର୍ଦ୍ଧ ନୟନରେ ତନ୍ମୟହୋଇ ଚାହିଁ ରହିଲେ, କିଛି ସମୟ ପରେ କହିଲେ, ‘‘ଦେଖ, ଦେଖ ମା ! ସେ ମତେ ଡାକୁଚନ୍ତି, ତାଙ୍କର ସେ ସୁଦୃଢ ବାହୁ ଯୋଡ଼ିକ ମେଲେଇ ଦେଇ ମତେ ତାଙ୍କର ଛାତିକି ଟାଣି ନେବାକୁ ଆସୁଚନ୍ତି । ଏଇ ଦେଖୁନାହୁଁ, ତାଙ୍କର ସେ ମଧୁର ଚାହାଁଣି, ସେ ଦିବ୍ୟ ଲୋକର ଅମର ହସ । ଆହା, ମରିଯାଏ କିନା ! କିପରି କିପରି ଏତେ ଦିନ ଛାଡ଼ି ମୁଁ ରହିଚି ପାଷାଣୀ ! ଛାଡ଼ ମା, ମୁଁ ଯାଏଁ ! କହି ସରୋଜିନୀ ଶଯ୍ୟାରୁ ଉଠିପଡ଼ୁ ଥିଲେ । ତାଙ୍କର ଆଖିରେ ଉଦ୍‌ଭ୍ରାନ୍ତ ତେଜ । ମୁହଁ ଅସ୍ୱଭାବିକ ଉଜ୍ଜ୍ୱଳ । ପ୍ରମିଳା ତାଙ୍କୁ ଅତି ଧୀରେ ଶୁଆଇ ଦେଇ ଗଦଗଦ କଣ୍ଠରେ ଡାକିଲେ, ‘‘ମା, ମା !’’ ସରୋଜିନୀଙ୍କର ଧ୍ୟାନ ଭାଙ୍ଗିଲା ଦେଖିଲେ ପ୍ରମିଳା ପାଖରେ । ଆଖିରୁ ଦୁଇ ଧାର ଲୁହ ଗଣ୍ଡଦେଶ ଦେଇ ଭାସିଯାଉଛି । ସେ ପ୍ରମିଳାଙ୍କୁ ନିଜ ଆଡ଼କୁ ଟାଣିନେଇ କହିଲେ, ‘‘ମା ମୋର, ସୁନାଟି ମୋର, କାନ୍ଦନା ମା, ତୋର ହସଟି ଠିକ୍‌ ତାଙ୍କର ହସପରି । ସେହି ହେତୁରୁ ତୋର ହସ ଟିକ ଦେଖି ମୁଁ ସବୁ ପାସୋରି ପକାଇଥିଲି । ଟିକିଏ ହସ ମା ! ମୋର ଏ ଦିନ କେତେଟା ଟିକିଏ ଆନନ୍ଦରେ କଟିଯାଉ । ତୁ କାନ୍ଦିଲେ ମୋର ବଡ଼ କଷ୍ଟହୁଏ । ମାଲୋ, ତୁ କିପରି ତାଙ୍କରି ସବୁ ଲକ୍ଷଣତକ ଘେନି ଆସିଲୁ । ତାଙ୍କ ମନରେ ଦୁଃଖହେଲା ବେଳେ ତାଙ୍କର ନାକ ପୁଡ଼ା ଯୋଡ଼ିକ ଠିକ୍‌ତୋରି ପରି ନାଚିଉଠେ । ତୋରି ପରି ତାଙ୍କର ଆଖି କୁଣ ମଧ୍ୟ ସଂକୋଚିଯାଏ । ଦିନେ, ମୋର ମନେ ଅଛି, ତୁ ସେତେ ବେଳକୁ ଜନ୍ମ ହୋଇ ନଥାଉ, ସେ କଚିରିରୁ କାମ –ଦାମ ସାରି ଫେରିଲେ ସନ୍ଧ୍ୟା ସାତଟା ବେଳକୁ । ମୁଁ ଗୋଟାଏ ସାମାନ୍ୟ କଥାରେ, ମୁଁ ପାଷାଣି, ମୁଁ ଡ଼ାଙ୍କୁଣି, ଗୋଟାଏ ସାମାନ୍ୟ କଥାରେ ମା, ମୋର ଦେବତାଙ୍କ ଉପରେ ଅଭିମାନ କରି ସବୁ ଦିନ ଭଳି ସେ ଦିନ ଆଉ ତାଙ୍କ ପୋଷାକ ଫିଟାଇ ଦେବାକୁ ଗଲି ନାହିଁ । ଚାକର ଯାଇ ପୋଷାକ ଫିଟାଇ ଦେଲା-। ସେ ମୁହଁ ପର୍ଯ୍ୟନ୍ତ ନ ଧୋଇ ମୋ ପାଖକୁ ସିଧେ ଚାଲି ଆସିଲେ । ମୋର ହାତ ଧରି ପକାଇ କହିଲେ, ‘‘ଦିହ କଣ ଖରାପ ଲାଗୁଚିକି ?’’ ମୁଁ ହାତଟା ଛିଣ୍ଡାଇ ଆଣି ତାଙ୍କ ଆଡ଼କୁ ପିଠିକରି ବସିଗଲି । କିନ୍ତୁ ଅବୁଝା ହୃଦୟ, ତାଙ୍କ ମୁହଁଟି ସେ ସ୍ୱର୍ଗ ଦୁର୍ଲ୍ଲଭ ମୁହଁଟି ନଦେଖି ଯେ ମୁଁ ରହିପାରେ ନାହିଁ ମା, କଣେଇ କରି ଟିକିଏ ଚାହିଁ ଦେଲି । ଦେଖିଲି ସେ ଚିତ୍ରପିତୁଳାଟି ପରି ଶୁଖି ଯାଇଚି । ତାଙ୍କର ସେ ଖଣ୍ଡା ଧାର ପରି ନାକର ପୁଡ଼ା ଦୋଟି ପଡୁଚି ଉଠୁଚି । ଆଖିର କୋଣଗୁଡ଼ିକ ସଂକୋଚି ହୋଇ ଯାଇଚି । ମା, ସେ କି ଦୃଶ୍ୟ !’’ କହି ବୁଢୀ ଝିଅକୁ ନିଜ ଛାତିକୁ ଟାଣିନେଇ ତାଙ୍କର ନାକ ପୁଡ଼ା ଆଖି କୁଣକୁ ପାଗଳଙ୍କ ପରି ଚୁମା ଦେଇ ବସିଲେ ।’’ ପାଞ୍ଚ ସାତ ମିନିଟ ଗଲା, ପ୍ରମିଳା ମା’ଙ୍କଛାତିରୁ ଆସ୍ତେ ଉଠି ଆସି ପଚାରିଲେ, ‘‘ମା, ବାପା ତତେ ଭାରି ଭଲ ପାଉଥିଲେ ନା-?’’

ସରୋଜିନୀଙ୍କର ସେ କ୍ଷୀଣ ଶୁଷ୍କ ଅଧରରେ ଟିକିଏ ହସ ଦେଖାଗଲା । ସେ କହିଲେ, ‘‘ଭଲ ପାଉଥିଲେ କି ମା ? ଏବେ ମଧ୍ୟ ସେ ଭଲ ପାଉଚନ୍ତି । ସେ ଭଲପାଇବା କି ମରି ହଜି ଯିବାର ଜିନିଷ ମା ! ସୂର୍ଯ୍ୟ ସଞ୍ଜ ହେଲେ ବୁଡ଼ିଯାଏ ସତ, କିନ୍ତୁ ତାର ତେଜ, ତାର ତାତି, ପୃଥିବୀ ଭିଡ଼ିରଖେ । ଆର ଦିନ ପୁଣି ତାଙ୍କ ସାଙ୍ଗରେ ଦେଖାହେବା ଆଶରେ ରାତିଟା ଚୁପହୋଇ ପଡ଼ିରହେ । ମୋର ରାତି ଯାଇଚି ମା, ଦିନ ଆସୁଚି, ପୁଣି ତାଙ୍କ ସାଙ୍ଗରେ ଦେଖାହେବ, ପୁଣି ତାଙ୍କର ସେ ବିସ୍ତୃତ ବକ୍ଷ ଉପରେ ମୁଁ ମୁଣ୍ଡ ରଖି ଏ ଅନ୍ଧାର ଅମାବାସ୍ୟା ରାତିର କଥା ଭୁଲିଯିବି । ଯାଏଁ ମା, ଡେରି ହଉଚି !’’ କହି କିଛି ସମୟ ତୁନି ହୋଇ ରହିଲେ । ତା ପରେ କହିଲେ, ଯିବା ଆଗରୁ ତତେ କେତୋଟା କଥା କହିବି ବୋଲି ଇଚ୍ଛାକଲି । ତା ଭିତରେ କେତେ ଅନ୍ୟ କଥା ପଡ଼ିଗଲା । କହୁଥିଲି ମା, ତୋର ବାପା ଚାଲିଗଲା ବେଳେ ମତେ କହି ଯାଇଥିଲେ, ‘‘ପେମି ରହିଲା । ବଞ୍ଚିଥିଲେ ମୁଁ ତାକୁ ପାଠଶାଠ ପଢ଼େଇ ବଡ଼ କରି ବିବାହ ଦେଇଥାନ୍ତି । ସମାଜ ଟିକିଏ ମୁହଁ ବାଙ୍କିଥାନ୍ତା, କିନ୍ତୁ ଆମ ଜିଲ୍ଲାରେ ତ ବ୍ରାହ୍ମଣ ଘରେ ବଢ଼ିଲା କନ୍ୟା ବିବାହ କିଛି ନୂଆଁ ନୁହେଁ ! କିଛି ପଇସା-ପତ୍ର ଖର୍ଚ୍ଚକରି ସମାଜକୁ ନିଜ ମତକୁ ଆଣିବାରେ କଷ୍ଟ ହୁଅନ୍ତା ନାହିଁ । ଯାହା ହଉ ଖୁବ୍‌କରି ପାଠ-ସାଠ ପଢ଼େଇଥାନ୍ତି, ତା ପରେ ତାର ଇଚ୍ଛା ହେଇଥିଲେ ସେ ବାହା ହେଇଥାନ୍ତା, ନ ହେଲେ ଅଭିଆଡ଼ି ରହିଥାନ୍ତା । ଭଗବାନ ତ ତା କରେଇ ଦେଲେ ନାହିଁ । ତୁମେ ମାଇପି ମଣିଷ, ତୁମେ କଣ ପାରିବ ? ଦେଖ, ସେତେବେଳେ ତୁମକୁ ଯେପରି ସୁବିଧା ଦିଶିବ କରିବ । ତେବେ ତାକୁ ଟିକିଏ ବେଶୀ କରି ପାଠ ପଢ଼େଇବାର ଉଦ୍ୟମଟା ଭୁଲି ନଯାଅ ଯେପରି ।’’ ମା, ତାଙ୍କର ଏ ଶେଷ କଥାଗୁଡ଼ିକ ମୋ ମନରେ ବେଦର ଗାର ପରି ଲାଗିରହିଲା । ମୋ ସାଧ୍ୟମତେ ତାଙ୍କର ଇଚ୍ଛା ମୁଁ ସାଧନ କରିଚି, ତୋର ମଧ୍ୟ ବୟସ ହେଇଚି ପାଠ-ଶାଠ ପଢ଼ିଚୁ ଭଲ ମନ୍ଦ ବୁଝି ପାରିଚୁ, ଏଣିକି ତୋ କଥା ତତେ ଲାଗିଲା । ତୋର ଇଚ୍ଛା ହୁଏତ ବିବାହ କରିବୁ । ମୋର ମତ ଯଦି ପଚାରୁ ମା, ମୋ ମତରେ ସ୍ତ୍ରୀ ଜାତିର ବିବାହକରି ସ୍ୱାମୀ ଓ ସନ୍ତାନମାନଙ୍କର ଲାଳନ ପାଳନ..... ଏକ ମାତ୍ର ଧର୍ମ ।

ପ୍ରମିଳା– କାହିଁକି ମା ବିବାହ ବନ୍ଧନର ଦାୟିତ୍ୱଟା ଖାଲି ସ୍ତ୍ରୀ ଜାତି ମୁଣ୍ଡେଇବ କାହିଁକି-? ପୁଋଷ ଇଚ୍ଛାକଲେ ଯଦି ବିବାହ ନକରି ରହିପାରେ, ସ୍ତ୍ରୀର ସେହିପରି ରହିବାଟା ଦୋଷାବହ ହବ କାହିଁକି ? ମୁଁ ଏ ବିଷୟରେ ଅନେକ ଲୋକଙ୍କ ସାଙ୍ଗରେ କଥା-ବାର୍ତା କରିଚି । ସେ ସବୁରୁ ଏ କେବଳ ପୁଋଷ ଜାତିର ସ୍ୱାର୍ଥସିଦ୍ଧି ନିମନ୍ତେ ଗୋଟାଏ ଏକ ତରଫା ନିୟମ । ଯଦି ସ୍ତ୍ରୀ ଜାତିକୁ ବିବାହ ବିଷୟରେ ସ୍ୱାଧୀନତା ଦିଆଯାନ୍ତା ତା ହେଲେ ମୁଁ ନିର୍ଭର କରି କହୁଚି, ତାଙ୍କ ଭିତରୁ ବୋଧହୁଏ ଶତକଡ଼ା ପଚାଶ ଜଣ ଅଭିଆଡ଼ି ରହିବାକୁ ଇଚ୍ଛା କରନ୍ତେ । ନ ହେଲେ ଅନ୍ତତଃ ପନ୍ଦର ସତର ବର୍ଷ ଦିନୁଁ ପିଲା ପିଲିଙ୍କ ଜଞ୍ଜାଳରେ ଘାଣ୍ଟିହୋଇ ଜୀବନଟାକୁ କେବଳ ଜଞ୍ଜାଳମୟ କରିବାକୁ ରାଜି ହୁଅନ୍ତେ ନାହିଁ । କିନ୍ତୁ ଏଉଟା ଯେ ପୁଋଷ ଜାତି ପକ୍ଷରେ ମହାନ୍‌ ଅସୁବିଧାର କଥା-। ପୁଋଷ ଚାହେଁ ସ୍ତ୍ରୀ ଉପରେ ନିଜର ଅଧିକାର ବିସ୍ତାର କରିବେ । ସେ ଚାହେଁ ସ୍ତ୍ରୀକୁ ନିଜର ମୁଠା ଭିତରେ ରଖିତେ । ସେହି ହେତୁରୁ ପୁଋଷ ଜାତିର ବିଧାନ ସ୍ତ୍ରୀର ଆଳି ନ ଫିଟୁଣୁ ତାକୁ ବିବାହ ଦେବ, ତାର ହୃଦୟରେ ଶାନ୍ତି ନ ଜାଗୁଣୁଁ ତା ବେକରେ ଗୋଟାଏ ଦୁଇଟା ଛୁଆର ବେଡ଼ି ପକାଇ ଦେବ, ପୁଋଷ ଯେତେ ଅପାରଗ ହଉ ପଛକେ, ତାର ଅନ୍ତତଃ ଗୋଟାଏ ତିଲା ଚାଇ, କେନେ ନା, ସେ ସଂସାରରେ ପୁଋଷ ବୋଲି ଚିହ୍ନେଇହବ କିପରି ? ମୁଁ ଶୁଣିଚି, ଜଣେ ଶିକ୍ଷିତ ଲୋକ ନପୁଂସକ, ସେ କିନ୍ତୁ ତିନିଟା ବାହା କରିଥିଲେ, ଏବଂ ତୃତୀୟ ସ୍ତ୍ରୀ ମରିଗଲା ପରେ ଘରେ ଦୁଇଟା ରାଣ୍ଡ ମଧ୍ୟ ରଖିଗଲେ ।

ସରୋ– ତୋର ଏ କମ ବୟସରେ ଏ ସବୁ ଚର୍ଚାତ ଠିକ ନୁହେଁ ମା !

ପ୍ରେମି– ମୋ ବୟସର ପିଲାମାନେ ଯେ କୋଡ଼ରେ ଗୋଟାଏ ଦୁଇଟା କୁନି ଛୁଆ ଘେନି ଘର କରୁଚନ୍ତି ମା, ସେମାନେ ଏଇ ଛୋଟ ବୟସରୁ କେଉଁ ଅଶ୍ଳୀଳ, ଅଶ୍ରାବ୍ୟ, ଅସଭ୍ୟ କଥା ନ ଶିଖୁଚନ୍ତି, ନା ଜାଣୁଚନ୍ତି ?

ସରୋ– ତା ଏକା ସତ ପେମ, ତା ଏକା ସତ । ଆଜିକାଲିକାର ଟୁକୁଲିଗୁଡ଼ା କେତେ କଥା ଶିଖିଲେଣି ମା !

ପ୍ରେମି– ସେ ମଧ୍ୟ ତୋର ଗୋଟାଏ ଭୁଲ ମା ! ଏ ଟୁକୁଲିମାନେ ସବୁ ଯୁଗରେ ଏଇଆ-। ବୁଢ଼ା ବୁଢ଼ୀ ହେଲେ ସମସ୍ତଙ୍କୁ ନିଜର ପିଲା ଦିନଟି ଭଲ ଦିଶେ । କିନ୍ତୁ ସେ ଗୋଟାଏ ଭୁଲ । ଆଉ ଟୁକୁଲିମାନେ ଯାହା ଶିଖିଲେ ସେଥିଲାଗି କି ସେମାନେ ଦାୟୀ ? ତାଙ୍କୁ ଏ ସବୁ ଶିଖେଇଲା କିଏ-? ତୋର ଏଇ ପୁଋଷ ଜାତି ନା ? ପୁଋଷମାନେ ଶିଷ୍ଟାଚାର, ସଭ୍ୟତା, ଓ ଭଦ୍ରତା ସମ୍ବନ୍ଧରେ ଯେତେ ଉଚ୍ଚ ଉଚ୍ଚ ଚିତ୍‌କାର ଝଙ୍କାର କରନ୍ତୁ ନା କାହିଁକି ଭିତରେ ସେମାନେ ନିତାନ୍ତ ଅଭଦ୍ର, ନିତାନ୍ତ ଅଶ୍ଳିଳ– ବିଶେଷତଃ ସ୍ତ୍ରୀ ଜାତି ସମ୍ବନ୍ଧରେ ।

ସରୋ– କିନ୍ତୁ ମା ତୁତ ପୁଋଷମାନଙ୍କ ସହିତ ସେପରି ମିଶିନାହିୁଁ, ତୁ କିପରି ତାଙ୍କ ସମ୍ବନ୍ଧରେ ଏତେ କଥା ଜାଣିଲୁ ! ତୋ କଥାଗୁଡାକ ଶୁଣିଲେ ମନେହୁଏ ଯେପରି ତୁ ଠିକ୍‍ ଶିଖିଚୁ ।

ପ୍ରେମି– ଠିକ୍‍ ଶିଖିବାର କିଛି ଦରକାର ନାହିଁ ମା ଏ ବିଷୟରେ । ମୋର ପିଲା ଦିନର ସାଙ୍ଗ ଚଞ୍ଚଳା, ବିମଳା କମଳା ଇତ୍ୟାଦିଙ୍କ ସାଙ୍ଗରେ ତାଙ୍କ ସ୍ୱାମୀମାନଙ୍କ ସମ୍ବନ୍ଧରେ କଥାବାର୍ତ୍ତା ହେଲା ବେଳେ ସେମାନେ ସବୁ ଯାହା କହନ୍ତି ମା, ସେ ସବୁ ଶୁଣିଲେ ଲାଜରେ ମୋ ମୁହଁ ନାଲ ପଡ଼ିଯାଏ, ଘୃଣାରେ ମୋ ମନ ପିତା ଉଠିଯାଏ ।

ସରୋ– କିନ୍ତୁ ସେମାନେ ତ ସେ ସବୁରେ ସନ୍ତୁଷ୍ଟ ମା !

ପ୍ରମିଳା– ସନ୍ତୁଷ୍ଟ ନ ହୋଇ ଆଉ ସେ କିସ କରିବେ ? ପିଲାଟି ଦିନରୁ ତାଙ୍କୁ କଥାରେ କାର୍ଯ୍ୟରେ ଶିଖା ହେଲା ସେଇଆ ।

ସରୋ– କେଜାଣି ଲୋ ମା, ତୁମେ ଟୁକୁଲିଗୁଡାକ ଆଜିକାଲି କଣ କରୁଛ ! ଆମ ବେଳେ ତ ସ୍ୱାମୀ କଥା ପଡ଼ିଲା ବେଳେ ତ ଆମ ତୁଣ୍ଡରୁ କଥା ବାହାରୁ ନଥିଲା । ନା, ମା, ଥାଉ, ତୋ ସାଙ୍ଗରେ ଯୁକ୍ତି କରିବାକୁ ମୋର ବଳ ନାହିଁ କି ବେଳ ନାହିଁ । କହୁଥିଲି ମୁଁ ତ ଚାଲିଲି । ଏ ସମ୍ପତ୍ତି ବାଡ଼ି ବିଷୟ ଆଶୟ ସବୁ ତୋର ରହିଲା । ଶ୍ୟାମଟି ଭଲ ପିଲାଟିଏ । ତା ସାହାଯ୍ୟରେ ତୋ ବିବାହ ବିଷୟରେ ସମାଜକୁ ସନ୍ତୁଷ୍ଟ କରି ପାରିଚି, ଏତେ ବିଷୟ ଆଶୟର ଦେଖାଶୁଣା ମଧ୍ୟ କରିଚି । ମୋ ପରେ ମଧ୍ୟ ସେ ସେହିପରି ତତେ ସାହାଯ୍ୟ କରିବ ବୋଲି ମତେ ଜବାବ ଦେଇଚି । ତୋର କିଛି ସନ୍ଦେହ ହେଲେ କି କିଛି ଅସୁବିଧା ହେଲେ ତାକୁ ପଚାରିବୁ ।

ପ୍ରମିଳା– ମୁଁ ! ମୁଁ ତାଙ୍କୁ ପଚାରିବା ଅପେକ୍ଷା, ବରଂ ଦାଣ୍ଡର ଭିଖାରିକୁ ପଚାରିବି ।

 

ସରୋ– ଏକି ନୂଆ କଥା ତୋ ଠାରୁ ଶୁଣୁଚି ମା ? ଶ୍ୟାମ ପ୍ରତି ତୋର ଏ ରାଗର କାରଣ ?

 

ପ୍ରମିଳା– ସେ ମତେ ବିବାହକରି ଏ ସମ୍ପତ୍ତିରେ ମାଲିକ ହବାକୁ ଚାହେଁ ।

ସରୋ– କି ପାଗଲି ! ତୁ କିମିତି ଜାଣିଲୁ ? ତତେ ସେ କିଛି କହିଚି ?

ପ୍ରମିଳା– କଥାରେ ନ କହିଲେ ସ୍ତ୍ରୀ ଜାତିକି ପୁଋଷର ମତଲବ ବୁଝି ପାରେ ନାହିଁ ମା-!

ସରୋ– ଓ ବୁଝିଚି ! ତୁ ସତରେ ଗୋଟାଏ ପାଗଲି । କିସ ଗୋଟାଏ କେତେବେଳେ ଦେଖି ସେଥିରୁ ବି ଗୋଟାଏ ଅନୁମାନ କରି ବସିଚୁ । ସତରେ ଶ୍ୟାମର ଭାର୍ଯ୍ୟା ଅଛି, ଯୁବତୀ, ସୁନ୍ଦରୀ । ସେ ଭାର୍ଯ୍ୟାକୁ ଛାଡ଼ି ରହିପାରେ ନାହିଁ ଦିନେ । ନା, ତୋର ଏ ଗୋଟାଏ ଭୁଲ ଧାରଣା । ନା, ମା, ଏପରି ଗୋଟାଏ ଭୂଆଁ ଧାରଣା କରି ମୋ ମନରେ କଷ୍ଟ ଦେ ନାହିଁ ମା । ଶ୍ୟାମ ଉପରେ ମୋର କେତେ ବିଶ୍ୱାସ, ଆଉ ସେ କେତେ ଦିନର ଦେଖା ଶୁଣାର ଫଳ । ମୋର ତା ଉପରେ ଏତେ ବିଶ୍ୱାସ ଯେ ମା ମୁଁ ଗୋଟାଏ ଉଇଲି କରି ତୋର ବିବାହ ଅଥବା ତୋର ସାବାଳିକା ହିବା ପର୍ଯ୍ୟନ୍ତ ତାକୁ ତୋର ଅଭିଭାବକ କରି ଦେଇଚି ।

ପ୍ରମିଳା– କଣ କଲୁ ମା ! ଏ ବିଷୟରେ ମତେ ଗୋଟିଏ ପଚାରିବା ଉଚିତ ଭାବିଲୁ ନାହିଁ ! କେବେ, ମାମା ଅଛନ୍ତି, ତାଙ୍କ ଅପେକ୍ଷା କଣ ଶ୍ୟାମ ବେଶି ଆପଣାର ?

ସରୋ– ମାମା ତ ତୋର ତା ନିଜ ସମ୍ପତ୍ତି ଦେଖାଶୁଣା କରୁ କରୁ ଅଥୟ । ଆଉ ସେ ସବୁ ଧନ୍ଦା ଛାଡ଼ି ଏଠିକି ଆସି ଆମ ବିଷୟ ଆଶୟ ଦେଖନ୍ତା କେତେବେଳେ ?

ପ୍ରମି– ମାମାଙ୍କୁ ଏ ସବୁ କଥା ପଚାରିଥିଲୁ ?

ସରୋ– ପଚାରିଥିଲି । ସେ ମଧ୍ୟ ତୋର ଭାର ନେବାକୁ ରାଜି ହୋଇଥିଲା, କିନ୍ତୁ......

ପ୍ରମି– କିନ୍ତୁ ଶ୍ୟାମ ମନକୁ ସେ କଥାଟା ପାଇଲା ନାହିଁ !

ସରୋଜିନୀଙ୍କର ସେ ଶୋଭା ମୁହିଁ ଟିକିଏ ନାଲ ହୋଇ ଉଠିଲା । ସେ କହିଲେ, ‘‘ନା, ମା, ନା, ତା ଠିକ୍‌ ନୁହେ । ମୋ ମନକୁ ପାଇଲା ନାହିଁ । ଶ୍ୟାମକୁ ପଚାରିଲି, ତା ମନକୁ ଜୋଗେଇଲା ନାହିଁ ।’’

ପ୍ରମିଳା– ହୁଁ ତା ପରେ, ଉଇଲିରେ ଆଉସବୁ କଣ ଲେଖାଅଛି ?

ସରୋଜିନୀ ଦେବୀ ଅଶ୍ୱସ୍ତିର ଗୋଟିଏ ନିଶ୍ୱାସ ପକାଇ କହିଲେ, ‘‘ନା, ଆଉ କିଛି ନାହିଁ-। ତେବେ ଏତିକି ଅଛି ଯେ, ତୁ ସାବାଳିକା ହେବା ଆଗରୁ ଯଦି ବିବାହ କରୁ, ତା ହେଲେ ଶ୍ୟାମର ଅନୁମତି ନେଇ ବିବାହ ହୋଇ ପାରିବୁ ।’’

ପ୍ରମିଳା– ତା ମାନେ ମୁଁ କାହାରିକୁ ବିବାହ ହେବାକୁ ଇଚ୍ଛା କଲେ ଆଉ ସେ ଶ୍ୟାମ ବାବୁର ସୁବିଧା ଲୋକ ନ ହେଲେ ମୁଁ ବ୨୧ର୍ଷ ପର୍ଯ୍ୟନ୍ତ ବାହା ହେଇ ପାରିବି ନାହିଁ । ଯଦି ଏହା ନମାନି ମୁଁ ବାହାହୁଏଁ !

ସରୋ– ତା ହେଲେ ଉଇଲରେ ଅଛି ଯେ ସମ୍ପତ୍ତି ବାଡ଼ି ତୁ ପାଇବୁ ନାହିଁ । ସେ ସବୁ ଶ୍ୟାମ ବାବୁର ମନୋମତ ଧର୍ମ କାର୍ଯ୍ୟରେ ବ୍ୟୟ ହେବ ।

ପ୍ରମିଳା– ଏ ବୁଦ୍ଧି କିଏ ଦେଲା, ଶ୍ୟାମ ବାବୁ ତ ?

ସରୋଜିନୀଙ୍କ ମୁହଁ ପୁଣି ନାଲ ହୋଇ ଉଠିଲା । ସେ କଣ ଜବାବ ଦେବେ, ଖୋଜି ପାଉ ନଥାନ୍ତି, ଏତିକି ବେଳେ ବାହାରୁ ଜୋତା ଶବ୍ଦ ଶୁଭିଲା । ମା ଓ ଝିଅ ଦୁଆର ଆଡ଼କୁ ଚାହିଁ ରହିଲେ । ଦେଖିଲେ, ଜଣେ ଯୁବକ, ବୟସ ୩୦।୩୫ ହବ, କାଛିକୁଛି ପିନ୍ଧିଚନ୍ତି ଖଣ୍ଡିଏ ସରୁ ଲୁଗା, ତା ଉପରେ ଖଣ୍ଡିଏ ରେଷମି ପଞ୍ଜାବି, ସାଧାରଣ ଭାବରେ ଉଚ୍ଚ, ବେଶ୍‌ମୋଟା ସୋଟା, ବୟସ ଅନୁପାତରେ ପେଟଟା ଟିକିଏ ବେଶୀ ବାହାରି ପଡ଼ିଚି, ବର୍ଣ୍ଣ ଉଜ୍ଜ୍ୱଳ ଶ୍ୟାମ, ମୁହଁରେ ସବୁବେଳେ କିପରି ଗୋଟାଏ କଅଣ ଭାବ ଦେଖିଲେ ମନକୁ ମନକୁ ତାଙ୍କ ପ୍ରତି ଦୟାର ଉଦ୍ରେକ ହୁଏ, କିନ୍ତୁ ଓଠ ଦୁଇଟା ସରୁ, ଆଖିର ଚାହାଣିଟା କିପରି ଧାରୁଆ, ଧାରୁଆ । ଆଖି ଉପରେ ପତା ଗୁଡାକ ସବୁବେଳେ ଯେପରି ଘୋଡ଼େଇ ହୋଇ ପଡ଼ିଚି, କଥା କହିଲା ବେଳେ ସେ କାହାରିକୁ ସିଧା କରି ଚାହାଁନ୍ତି ନାହିଁ, ଯେପରି ଲାଜ ସରମରେ ତାଙ୍କ ମୁଣ୍ଡ ଲଇଁ ପଡ଼ୁଚି । ଯେତେବେଳେ ଅନ୍ୟର ଅଜଣାରେ ଟିକିଏ ଆଖି ଟେକି ଚାହାଁନ୍ତି, ସେତେବେଳେ ଜଣାପଡ଼େ ଯେପରି ଆଖିଗୁଡାକରୁ ଅଙ୍ଗାର ନିଆଁ ଝଲସି ପଡ଼ୁଚି ।

ସେ ସିଧେ ଘର ଭିତରକୁ ପଶିଆସି ‘‘ଆରେ, ମା ଝିଅଙ୍କର କି ସବୁ ଦୁଃଖ ସୁଖ ଲାଗିଚିମ ! ଆମକୁ ଟିକିଏ କହିବ ନାଇଁନା !’’ କହି ଖଟ ଉପରେ ସରୋଜିନୀ ଦେବୀଙ୍କ ଗୋଡ଼ ତଳେ ଗୋଟିଏ ମୁଣ୍ଡିଆ ମାରି, ତାଙ୍କ ଗୋଡ଼ ଧୂଳି ଜିଭରେ ଓ ମୁଣ୍ଡରେ ମାଇଲେ । ଏ ସବୁ ଦେଖି ପ୍ରମିଳାଙ୍କର ମୁହଁରେ କିପରି ଗୋଟାଏ ବିରକ୍ତିର ଭାବ ଫୁଟି ଉଠିଲା । ସେ ଦରସ୍ଫୁଟ ଭାଷାରେ ଯେପରି କଣ କହିଲେ । ଭଦ୍ରବ୍ୟକ୍ତି ବୁଲିପଡ଼ି କହିଲେ, ‘‘କ’ଣ ମତେ କହୁଚୁ ପେମ ?’’ ପ୍ରମିଳା କହିଲେ ଅତି ଭକ୍ତି ଚୋରର ଲକ୍ଷଣ । ଭଦ୍ରଲୋକ ଠୋ ଠୋ କରି ହସି ଉଠିଲେ । ପ୍ରମିଳାଙ୍କ ପିଠିକି ହାତ ନଉଥିଲେ, କିନ୍ତୁ ପ୍ରମିଳା ତରବର ହୋଇ ଟିକିଏ ଘୁଞ୍ଚି ଯିବାରୁ ପିଠିରେ ସାବାସର ଥାପୁଡ଼ାଟା ଦିଆହୋଇ ପାରିଲା ନାହିଁ । କହିଲେ, ‘‘ହୋ, ହୋ, ଠିକ୍‌ଏଇ ଆସିଲାବେଳେ, ମୋର ଏଇ କଥାଟା ମନେ ପଡ଼ୁ ନଥିଲା । ଆମର ଯେ ଆଗ ଗୁମାସ୍ତା ବଶି, ସେ ତ ମୋର ତହବିଲରୁ ଟଙ୍କା ଖାଇ ଯାଇଥିଲା ବୋଲି, ମୁଁ ପୁଲିଶରେ ଖବର ଦେଇଥିଲି । ମକଦ୍ଦମା ହେଇଚି । ସେ ଜାମିନରେ ମୁକୁଳି ଆସିଚି । ବାଟରେ ଆସୁ ଆସୁ ଦେଖାହେଲା ଯେ, ସେ ଏକାବେଳକେ ମତେ ଦଣ୍ଡ ପ୍ରଣାମ କରି ଭକ୍ତିରେ ଉଛୁଳି ପଡ଼ିଲା । ସେତିକିବେଳେ ମନରେ ଦୋ ଦୋ ପାଞ୍ଚିଆ ହୋଇ ଏ କଥା ହେଲା । କିନ୍ତୁ ଠିକ୍‌ ସ୍ମରଣ କରି ନ ପାରି ଭାବି ଭାବି ଆସୁଥିଲି । ମୋ ମନ କଥା ତୁମେ କିପରି ଜାଣିଲ ପେମ ?’’ କହି ସେ ପ୍ରମିଳା ଗାଲରେ ଥାପୁଡ଼େଇବାକୁ ଯାଉଥିଲେ । ସେଥିରେ ଯେ ବିଶେଷ କିଛି ଦୋଷ ଅଛି, ତା ଆମେ କହୁନାହୁଁ । ବଡ଼ ଭାଇ ସାନ ଭଉଣିକୁ ଏହିପରି ଗେଲ ବା ପ୍ରଶଂସା କରେ । କିନ୍ତୁ ପ୍ରମିଳା ପଛକୁ ଘୁଞ୍ଚିଯାଇ କହିଲେ, ‘‘ଓଃ କଥାତ କହିବ, ଉପରକୁ ହାତୁଟା ଆଣୁଚ କେନେ ?’’ ଭଦ୍ରଲୋକଙ୍କର ମୁହଁଟା କିପରି ଥମ ଥମ ହୋଇ ଉଠିଲା– ଯେପରି ସେ ଏଇଲାଗେ କାନ୍ଦିପକେଇବେ । ସେ ବୁଲିପଡ଼ି ସରୋଜିନୀଙ୍କୁ ପଚାରିଲେ, ‘‘ପେମ ମୋ ଉପରେ ରାଗିଚି କେନେ ମା !’’ ସରୋଜିନୀ ଏ ସବୁ କଥା ଦେଖୁଥିଲେ । ତାଙ୍କ ଭୁଲତା କୁଞ୍ଚି ହୋଇ ଯାଇଥିଲା । ସେ ଉତ୍ତରରେ କହିଲେ, ‘‘ନାଇଁ ବାପ, କଚି ଛୁଆଟା, ମୋ ଦେହ ଏପରି ବେମାର ହେବାର ଦେଖି ତା ମନ ଠିକ୍‌ନାହିଁ । ଯାତ ମା, ଟିକିଏ ବିଶ୍ରାମ ନେବୁ !’’ ପ୍ରମିଳା ସେ ଭଦ୍ରଲୋକଙ୍କ ଆଡ଼କୁ ବିଦ୍ରୂପର ଗୋଟାଏ ତୀବ୍ର କଟାକ୍ଷ କରି ଦମ ଦମ ପାଦରେ ସେଠାରୁ ଚାଲିଗଲେ । ତା ପରେ ସରୋଜିନୀ ଭଦ୍ରଲୋକଙ୍କୁ ପାଖରେ ବସିବାକୁ ଇସରା କରି କହିଲେ, ‘‘ବାପ ଶ୍ୟାମ, ମୁଁ ତତେ ବରାବର ମୋ କୋଡ଼ଛୁଆ ପରି ଦେଖିଆସିଚି । ମୋର ଏ ଗଲା ଅଇଲା ସମୟ, ଏତେବେଳେ ମୁଁ ଯାହା ପଚାରିବି, ତାର ଠିକ୍‌ ଠିକ୍‌ ଜବାବ ଦେବୁ ବାପ ?’’

ଶ୍ୟାମ– ଏ ପୁଣି ଆଜି କି କଥା ମା ? ମୁଁ କେଉଁ ଦିନ ତୁମ ପାଖରୁ କୌଣସି କଥା ଲୁଚାଇଥିଲି ?

ସରୋ– ମୁଁ ମରିଗଲା ପରେ, ପ୍ରମିଳାକୁ ବାହାହବା କଣ ତୋର ଇଚ୍ଛା !

ହେଇପାରେ ସରୋଜିନୀ ଦେବୀଙ୍କର ପ୍ରଶ୍ନଟା ବଡ଼ ଅଦ୍ଭୁତିଆ । ଆରେ ବାବୁ, କଥାଟାଏ ପଚାରିବୁତ, ଆଗରୁ ଟିକିଏ ମଙ୍ଗଳାଚରଣ ପଢ଼, ଗୋଟାଏ ଅଧେ ମୁଖବନ୍ଧ, ବିଜ୍ଞାପନ ପ୍ରାରମ୍ଭ ଭାଷଣ ଇତ୍ୟାଦି ଦିଅ । ତା ନେଇତ ଅଜଣାରେ ଆତସ ବାଜି ଫୁଟାଇଲା ଭଳି ସାତ ସ୍ତର ମନ ଭିତରେ ଲୁଚି ରହିବା କଥାଟାକୁ ଏପରି ଠୋ କରି ପଚାରିଲ ? ଏପରି ହେଲେ ଗୋଟାଏ ଲୋକ ଥାଥା ମାମା ହୋଇଯିବ ନାହିଁ ? ତା ମୁହଁଟା ଟିକିଏ କଳା ପଡ଼ିଯିବ ନାହିଁ ? ଗୋଟାଏ ଭୋକର ମନେହବ ନାହିଁ କିରେ ଯେଉଁ କଥାକୁ ସାତ ପ୍ରସ୍ତ କରି ଘୋଡ଼ାଇ ମନ ଭିତରେ ଲୁଚାଇ ରଖିଥିଲି, ଏ ସେ କଥା ଜାଣିଲା କିପରି ? ଅବଶ୍ୟ ହବ । ଆଉ ଶ୍ୟାମ ବାବୁଙ୍କୁ ଦୋଷ ଦେଲେ କିପରି ଚଳିବ ? ସରୋଜିନୀ ଦେବୀଙ୍କର ଦେହ ଭଲ ଥିଲେ, କି ତାଙ୍କ ମନରେ ସନ୍ଦେହ ଟିକିଏ ଭଲ ହେଇକରି ଜାଗିଉଠିଥିଲେ, ସେ ଦେଖିଥାନ୍ତେ ଶ୍ୟାମ ବାବୁଙ୍କ ମୁହଁର ଭଙ୍ଗି ଓ କଥା କହିବାର ଛଇ । ଯାହାହଉ ସେ ଦେଖିଲେ ନାହିଁ । ଶ୍ୟାମ ବାବୁ କହିଲେ, ‘‘ମା ! ଏପରି କଥା ତୁଣ୍ଡରେ ଧରନ୍ତି-? ପେମ ମୋର ସାନ ଭଉଣୀଟି, ମୁଁ ତା ପ୍ରତି ଏପରି ପାପ ଇଚ୍ଛା ପୋଷିବ କିପରି ? ତୁମ ମନରେ ଏ ବିଷ ପୂରାଇଲା କିଏ ମା ?’’

ସରୋଜିନୀ ଦେବୀଙ୍କ ମୁହଁରୁ ଗୋଟାଏ ଛାଇ ଯେପରି ଅପସରି ଗଲା । ସେ ପୁଣି ହସ ହସ ମୁହଁରେ କହିଲେ, ‘‘ମୁଁ ତ ସେଇଆ କହୁଥିଲି ବାପ, ଏକି ସମ୍ଭବ ! ଯାହାହଉ ସେ ପାଗିଲିଟା– ଯାହା, ତାରପରେ ବାପ, ଆଜି ଏ ଅସମୟରେ କେନେ ?’’

ଶ୍ୟାମ– ସମୟ ଅସମୟ ଆଉ କଣ ମା ? ତୁମେ ବେମାର ପଡ଼ିଲା ଦିନୁ ମୋ ମନଟା ଘରେ ମୋଟେ ରହୁନାହିଁ । ସେହିପରି ଆଜି କଲବଲ ଲାଗିଲା ବୋଲି, ଭାବିଲି ଯାଏଁ ବେଳେ ଦେଖି ଆସେଁ ।

Image

 

 

କଲିକତା ସହର ମେଛୁଆ ବଜାର ଗଳି, ଅମାବାସ୍ୟା ରାତିର କିଟି କିଟିଆ ଅନ୍ଧାର । ରାତି ପ୍ରାୟ ବାରଟା ହବ । ଚାରିଆଡ଼ ଶୂନଶାନ । ପାଏକେ କୋଶକେ ଗୋଟାଏ ଗୋଟାଏ ବିଜୁଳି ଆଲୁଅ ମିଟି ମିଟି କରି ଏ ନିବିଡ଼ ଅନ୍ଧାରରେ ଛାଇ ଦିଶିବା ଭଳି ଟିକିଏ ଆଲୁଅ ଆଣି ଦଉଚି । ଗୋଟାକେତେ ବାରବୁଲା ରାସ୍ତାର ଦୁଇ ପାଖ ପିଣ୍ଡି ଉପରେ ଶୋଇ ଘୁଙ୍ଗୁଡ଼ି ମାରୁଚନ୍ତି । ଘଡ଼ିଏ ଦି ଘଡ଼ି ଅନ୍ତରରେ ଥିଏଟର ବାଇସ୍କୋପ ଫେରନ୍ତି ଅଥବା ଅଭିସାର ସାରି ଫେରି ଆସୁଥିବା ଜଣେ ଅଧେ ବଡ଼ ଲୋକଙ୍କର ଗୋଟାଏ ଖଣ୍ଡେ ମଟର ଗାଡ଼ି ଉଁ ଉଁ ଶବ୍ଦରେ ରାତିର ସେ ନିସ୍ତବ୍‌ଧତା ଭାଙ୍ଗି ଚାଲି ଯାଉଚି । ଗଳିର ବାଉନ ନମ୍ବର ଘର ପାଖ ଆଖ । ଜଣେ ଯୁବତୀ, ଭାସି ଯାଉଚି ତାଙ୍କ ଦେହରୁ ଅତର ଗନ୍ଧ । ଆଲୁଅ ଥିଲେ ଦେଖିଥାନ୍ତ, ତାଙ୍କ ମୁଣ୍ଡ ଉପରେ ଚଉଁରି ଛକ ଶିଥିଳ ହୋଇଯାଇଚି, କପାଳ ଉପରେ ବାଳରୁ ଗୋଟାକେତେ ବନ୍ଧନରୁ ଫିଟି ଫୁରୁ ଫୁରୁ ହୋଇ ଉଡ଼ୁଚି । ଆଖି ଦୁଇଟି ଅଳସଭାରାକ୍ରାନ୍ତ, କିନ୍ତୁ ଓଠରେ ମଧୁର ଦରହାସ ଟିକିଏ ଲାଗି ରହିଚି । ଛାତି ଉପରେ ସେମିଜର ଦ୍ୱିତୀୟ ବୋତାମଟା ପ୍ରଥମ ବୋତାମ ଘର ଭିତରେ ପଶି ଯାଇଚି, କାନ୍ଧ ଉପର ବ୍ରଚ ଦିହିର କଣ୍ଟାଟା ତା ଘର ଭିତରେ ଲାଗି ପାରି ନାହିଁ । ଅଣ୍ଟା ପାଖର କୁଞ୍ଚଗୁଡାକ ମଧ୍ୟ ଲୋଦୁର ମାଦୁର ହୋଇ ଯେଚ୍ଛା ସେ ସ୍ଥାନରେ ପଡ଼ିରହିଚି । ଲୁଗାର ଧଡ଼ିଟା ସଦର, ମଫସଲ, ମଫସଲଟାହିଁ ବାହାରକୁ ରହିଯାଇଚି । ଯେପରି ଲୁଗାଖଣ୍ଡି ଭଲକରି ପିନ୍ଧିବାକୁ ସମୟ, ସୁବିଧା ଓ ବିଶେଷରେ ଧୈର୍ଯ୍ୟ ତାଙ୍କର ନଥିଲା । କିନ୍ତୁ ତାଙ୍କ ଚାଲରେ ଅଧୀରତାର କିଛି ଲକ୍ଷଣ ନାହିଁ । ବରଂ ଜଣାପଡ଼ୁଚି ସେ ଯେପରି କେତେ କ୍ଳାନ୍ତ । ନାକ ଉପରେ ଓ ଓଠ ତଳେ ବିନ୍ଦୁଏ ଦିବୁନ୍ଦୁ ଝାଳ ଅଧ ରାତିର ଏ ଶୀତଳ ପବନର ଆଦରକୁ ନ ମାନି ଲାଗିରହିଚି । ଆଲୁଅର ତେଜ ଟିକିଏ ବେଶୀ ଥିଲେ, ଆପଣମାନେ ଦେଖି ପାରି ଥାନ୍ତେ ତାଙ୍କ କପାଳର ସିନ୍ଦୂର ବିନ୍ଦୁଟି ଆଲୁରୁ ବାଲୁରୁ ହୋଇ ପୋଛି ହୋଇ ଯାଇଚି ଏବଂ ତାଙ୍କର ଛାତି ଉପରେ ଅର୍ଦ୍ଧଚନ୍ଦ୍ର ଆକାରର ଗୋଟିଏ ସଜ କ୍ଷତ ସେମିଜ ବାହାରେ ଲାଜ ସରମ ର ମଥାଖାଇ ଉଣ୍ଡୁଚି । ଯୁବତୀଙ୍କ ସାଙ୍ଗରେ ଜଣେ ଯୁବକ... ବୟସ ନିତାନ୍ତ ବେଶୀ ନୁହେ, ପଚିଶି ଛବିଶି ମାତ୍ର । ଖଣ୍ଡିଏ ଧୋବ ଧୋତି ଓ ତା ଉପରେ ଖଣ୍ଡିଏ ସରୁ ପଞ୍ଜାବି । ବେଶ୍‌ ଗୋରାତୋରା । କାଳିଆ କାଳିଆ ଅଧାକଟା ନିଶ ଦୁଇଟା ଉପରେ ସିନ୍ଦୂର ଭଳି ଟିକିଏ ନାଲି କଣ ଲାଗିରହିଚି । ମୁହଁରେ ପ୍ରସନ୍ନ ଭାବ । ଆଖିରେ ସଜଳ, ତରଳ, ମଧୁର ପ୍ରେମର ସୁଅ । ଯୁବକ ତାଙ୍କ ବାମ ବାହାରେ ଯୁବତୀଙ୍କର ଅଣ୍ଟାଟି ଆବୃତକରି ଚାଲିଚନ୍ତି । ଯୁବତୀଙ୍କର ଡ଼ାହାଣ ହାତଟି ଅତି ବ୍ୟସ୍ତ ଭାବରେ ଯୁବକଙ୍କର କାନ୍ଧ ଉପରେ ଓହଳି ପଡ଼ିଚି । ଯୁବକ ଓ ଯୁବତୀ ନିର୍ଭୟରେ ଏହିପରି ଭାବରେ ଚାଲିଚନ୍ତି । କେହି କୁଆଡ଼େ ନାହିଁ, କେବଳ ଆରପଟ ରାସ୍ତା ଉପରେ ଜଣେ ଭିଖାରି କି ବାରବୁଲା ଗୋଟାଏ ପାହାଁଞ୍ଚ ଉପରେ ବସି ଏକ ଲୟରେ ୫୨ନମ୍ବର ଘର ଆଡ଼କୁ ଚାହିଁ ରହିଚି । ଯୁବକ ଓ ଯୁବତୀ ଯେଉଁ ପଟେ ଯାଉଚନ୍ତି, ସେହି ପଟେ ନ୫୨ମ୍ବର ଘରଟା । ତାର ଗୋଟାଏ ଘର ଛାଡ଼ି ଏମାନଙ୍କ ଆଡ଼କୁ ଗୋଟାଏ ସରୁ ଗଳି ସରକୁଲାର ରୋଡ଼କୁ ଚାଲିଯାଇଚି । ଯୁବକ ଓ ଯୁବତୀ ସେ ଗଳିଟା ମୁହଁ ପାରହୋଇ ଯାଇଚନ୍ତି ମାତ୍ର ଏତିକି ବେଳେ ଗୋଟାଏ ଲୋକ କିଏ ହଠାତ୍‌ ଯୁବକଙ୍କୁ ଆକ୍ରମଣ କଲା । ତାର ଆସିବା ଶବ୍ଦ ଶୁଣିପାରି ବୋଧହୁଏ ଯୁବକ ପଛ ଆଡ଼କୁ ଫେରି ପଡ଼ି ଥିଲେ । ଆକ୍ରମଣକାରିର ପ୍ରଥମ ଆଘାତଟା ସେ କଡ଼ ବାରକୁ ଘୁଞ୍ଚିଯାଇ ପ୍ରତିହତ କଲେ ସତ, ମାତ୍ର ସେହି ପାଖରେ ପଡ଼ିଥିବା ଗୋଟାଏ ଇଟା ଝୁଣ୍ଟିପଡ଼ି ସେ ପଡ଼ିଗଲେ । ଆକ୍ରମଣକାରି ଏହି ସୁବିଧା ଦେଖି ତାଙ୍କ ଉପରେ ଚଢ଼ି ବସିଲା ଓ ହାତରେ ଥିବା ଗୋଟାଏ ତୀକ୍ଷ୍‌ଣ ଛୁରିକା ତାଙ୍କ ବେକ ଉପରେ ବସାଇବାକୁ ଉଦ୍ୟତ ହେଲା । ଛୁରିକା ଏତେ ଦାଢ଼ ଯେ ସେଇ ସାମାନ୍ୟ ଆଲୁଅରେ ମଧ୍ୟ ସେଉଟା ଝଲସି ଉଠିଲା । ଯୁବତୀ ପ୍ରଥମେ ତ ଚିତ୍ର ପିତୁଳାଟି ପରି ଏ ସବୁ ଦେଖୁଥିଲେ । ଛୁରିର ଝଲକ ଦେଖି ସେ ଚିତ୍‌କାର କରିବାକୁ ଯାଉଥିଲେ, କିନ୍ତୁ ଗୋଟାଏ ଅସ୍ପଷ୍ଟ ଶବ୍ଦ ତାଙ୍କ ପାଟିରୁ ବାହାରିଲା ବେଳକୁ ସେ ନିଜ ହାତରେ ନିଜ ମୁହଁଟି ଚିପି ଧଇଲେ । ଏତିକି ବେଳେ ଆରପଟରେ ଠିଆ ହୋଇଥିବା ସେ ବାରବୁଲାଟା ତୀର ବେଗରେ ସେ ସ୍ଥାନକୁ ଧାଇଁ ଆସି ଆକ୍ରମଣକାରୀର ଛୁରି ଉହୁଞ୍ଚେଇଥିବା ହାତଟାକୁ ଧରିପକାଇଲେ । ପଛୁଆଡ଼ୁ ଏପରି ବିଘ୍ନ ପଡ଼ିବାର ଦେଖି ଆକ୍ରମଣକାରି ଉଠି ଠିଆ ହୋଇଗଲା ଓ ଛୁରି ହାତଟା ମୁକୁଳେଇବା ପାଇଁ ଭିଡ଼ି ଓଟାରି ହେଲା । ବୃଥାଶ୍ରମ, ସେ ଯେ ମୁଠା ପଡ଼ିଚି, ସେ ବଜ୍ରଠାରୁ କଠିନ । ବାରବୁଲାଟା ତଳେ ପଡ଼ିଥିବା ଯୁବକ ଉଠିବାର ଦେଖି ତାଙ୍କୁ କହିଲେ, ‘‘ଡାକ ଛାଡ଼, ହୁରିପକାଅ, ପୁଲିସି ପହରାବାଲାକୁ ଡାକ !’’ ଏଇ ସମୟରେ ଗୋଟାଏ ମଟର ଭେଁ ଭେଁ କରି ତାଙ୍କ ସାମନାଆଡ଼ୁ ଆସି ପହଞ୍ଚିଗଲା । ଯୁବକ ସନ୍ତ୍ରସ୍ତ ହୋଇ ଯେପରି କହିଲେ, ‘‘ଆରେ ନା, ନା, ସେ ଲୋକଟାକୁ ଛାଡ଼ିଦିଅ, ପୁଲିସି ଡାକିବା ପ୍ରୟୋଜନ ନାହିଁ ।’’ ତା ପରେ ଯୁବତୀଙ୍କ ଆଡ଼କୁ ବୁଲିପଡ଼ି ଇଂରେଜିରେ କହିଲେ, ‘‘ପ୍ରିୟତମେ, ତୁମେ ଘରକୁ ପଳାଅ !’’ ଏତେବେଳକୁ ବାରବୁଲାଟା ଆକ୍ରମଣକାରି ହାତରୁ ଛୁରିଟା ଛଡ଼ାଇ ନେଇଥିଲା । ସେ ଆକ୍ରମଣକାରିକୁ ଛାଡ଼ିଦେବା ମାତ୍ରକେ, ସେ ଲୋକଟା ଏକଦମ ସେଇ ଗଳି ଭିତରକୁ ପଳାଇ ଗଲା । ବାରବୁଲା ତା ପରେ ଯୁବକଙ୍କୁ ସମ୍ବୋଧନକରି କହିଲା, ‘‘କିଛି ବୁଝିପାରିଲି ନାହିଁ, ଲୋକଟା ତୁମକୁ ମାରିବାକୁ ଯାଉଥିଲା, ଅଥଚ ତୁମେ ତାକୁ ପୁଲିସିରେ ନ ଦେଇ ଛାଡ଼ିଦେଲ ।’’ ଯୁବତୀଙ୍କର ଏତେବେଳକୁ ପାଟି ଫିଟିଲା । ବୀଣାରେ କରୁଣ ସ୍ୱର ନିନ୍ଦି ନିନ୍ଦି ଝଙ୍କାରି ଝଙ୍କାରି ଉଠିଲା ଭଳି ସେ କହିଲେ, ‘‘ଆପଣଙ୍କୁ ଅଶେଷ ଧନ୍ୟବାଦ ! ଆପଣ ନଥିଲେ ଆଜି ୟାଙ୍କର ପ୍ରାଣ ରହି ନଥାନ୍ତା, ଏକ କାର୍ଯ୍ୟରେ ଆପଣ ଆଜି ଦୁଇଟି ନରହତ୍ୟା ରକ୍ଷା କରିଚନ୍ତି । ଖାଲି ସେତିକି ନୁହେଁ, ଗୋଟିଏ ଯୁବତୀର ମାନ ସମ୍ଭ୍ରମ ମଧ୍ୟ ରଖିଚନ୍ତି । ୟା ଠାରୁ ବେଶୀ ଆଉ କିଛି କହି ପାରିବି ନାହିଁ । ତେବେ ଯଦି ମୋ ଦ୍ୱାରା ଆପଣଙ୍କର କୌଣସି ଉପକାର –’’ ତାଙ୍କ ତୁଣ୍ଡ କଥା ତୁଣ୍ଡରେ ଅଛି, ଏତିକିବେଳେ ନ୫୨ମ୍ବର ଘରର ଉପର ମହଲା ଝରକା ଖୋଲି କିଏ ଯେପରି ଡାକିଲା, ‘‘ମେନକା, ମେନକା !’’ ଯୁବତୀ ଭୟ ସନ୍ତ୍ରସ୍ତ ହୋଇ ‘‘ଯାଉଚି ବାବା’’ କହି ୫୨ନମ୍ବର ଘର ଭିତରକୁ ପଶିଗଲେ । ଦୁଆର ଖୋଲାଥିଲା । ଆଉ ସେ ଯୁବକ ମଧ୍ୟ ପଛକୁ ନଚାହିଁ ଯେଉଁ ଆଡ଼ୁ ଆସିଥିଲେ ସେହି ଦିଗରେ ଉଭେଇଗଲେ । ବାରବୁଲାଟା ସେହି ଜାଗାରେ କିଛି ସମୟ ଠିଆହୋଇ ପରେ କହିଲା, ‘‘ ଫୁ ଏ ମାଈକିନିଆ ଜାତି ! କି ବାବା ସାହସ ! କି ବୁଦ୍ଧି !’’

Image

 

 

ପୂର୍ବ ଅଧ୍ୟାୟରେ ଯେ ରାତିର କଥା କୁହାଯାଇଚି, ତାର ପରଦିନ ସକାଳେ ପ୍ରାୟ ନଟା ବେଳେ ସେ ବାରବୁଲା ଟୋକାଟା କେଉଁ ଆଡ଼େ ଯାଇଥିଲା କେଜାଣି, କିନ୍ତୁ ହଚିସନ ରୋଡ଼ ତରଫରୁ ଆସି ପ୍ରାୟ ନ୫୨ମ୍ବର ଘରର ପାଖ ହୋଇ ଯାଇଚି, ଦେଖିଲା ଗୋଟାଏ ଭଡ଼ା ମଟରରୁ ସଦାଶିବ ବାବୁ ଓ ତାଙ୍କର ପାର୍ଶ୍ୱଦେବତା ଫଲଣା ତିଆଡ଼ିଏ ଓହ୍ଲାଇ ସେଇ ଘର ଭିତରକୁ ଗଲେ । ବେହେରା ବେହେରା ବୋଲି ଡାକ ଛାଡ଼ିବାରେ ଦୁଆର ଫିଟିଲା, ସେମାନେ ଘର ଭିତରକୁ ପଶିଯାଇ ଦେଖିଲେ ବାଟଘରର ବାହାତି ଆଉ ଗୋଟିଏ ପ୍ରଶସ୍ତ ଘର । ଘର ଚଟାଣ ଉପରେ ଖଣ୍ଡିଏ ସତରଞ୍ଜି ବିଞ୍ଛା ଆଠ ଖଣ୍ଡ କୁରୁଚି, ଦୁଇଟା ହାତଲଗା ବେଞ୍ଚ ଓ ଗୋଟାଏ ଟେବୁଲ ଥୁଆ ହୋଇଚି ।

ବେହେରା ଏମାନଙ୍କୁ ଏଇ ଘରେ ଅପେକ୍ଷା କରିବାକୁ କହି ଭିତରକୁ ଚାଲିଗଲା । ତା ପରେ ଜଣେ ଭଦ୍ରଲୋକ ଘର ଭିତରୁ ବାହାରି ଆସିଲେ ସେଇ ବୈଠକ ଖାନାକୁ । ଶାଳ ଗଛ ପରି ଦେହ, ଲମ୍ବା ଲମ୍ବା ହାତ, ଉଆଁସ ଅନ୍ଧାର ପରି ବର୍ଣ୍ଣ, ଆଖି ଦୁଇଟା ନାଲ ନାଲ ଓ ଢ଼େଗା ଢ଼େଗା, ତଳ ଓଠଟା ଟିକିଏ ମୋଟା ଓ ଆଗକୁ ବାହାରି ପଡ଼ିଚି । ଦେହର ପରିମାଣ ଅନୁସାରେ ପେଟଟା ଟିକିଏ ବେଶୀ, ଠିକ୍‌ ଗୋଟାଏ ଦଶ ଗୌଣୀର ଓଳିଆ ପରି । ପିନ୍ଧିଚନ୍ତି ଖଣ୍ଡିଏ ଧୋତି, ଦେହରେ ଖଣ୍ଡିଏ ପଞ୍ଜାବି, ଗୋଡ଼ରେ ହଳିଏ ଚଟିଯୋତା । ବୟସ ସଦାଶିବ ବାବୁଙ୍କ ସମାନ । ସେ ସଦାଶିବ ବାବୁଙ୍କ ଦେଖି ବଙ୍ଗଳାରେ କହି ଉଠିଲେ, ‘‘ଆରେ ସଦାଶିବ ଭାଇ ଯେ, ଏ ଗରିବ ହଠାତ୍‌ କାହିଁକି ମନେ ପଡ଼ିଗଲା ।’’ କଥା କହିଲା ବେଳେ ତାଙ୍କ ପାଟି ଭିତରେ ବିରାଡ଼ି ଦାନ୍ତ ପରି ଦୁଇଟା କାମୁଡ଼ା ଦାନ୍ତ ସବୁ ଦାନ୍ତର ଉଚ୍ଚତାକୁ ଟପି ବାହାରି ପଡ଼ିଲା ପରି ଜଣା ପଡ଼ୁଥାଏ । କର ମର୍ଦନ ଓ ‘କୋଳା-କୋଳି’ ପରେ ସମସ୍ତେ ଗୋଟାଏ ଚୌକି ମାଡ଼ି ବସିଲା ପର ସଦାଶିବ ବାବୁ ପଚାରିଲେ, ‘‘ମୋ ଚିଠିଟା ପାଇଥିଲ ପ୍ରଥମ ?’’ ପ୍ରମଥ ବାବୁଙ୍କର କପାଳ କୁଞ୍ଚ ହୋଇଗଲା । ସଂବାଳୁଆ ପୋକ ଭଳି ଆଖି ପତା ଦୁଇଟା ତାଙ୍କ ଆଖି ମନ୍ଦାର ଫୁଲ ଯୋଡ଼ିକୁ ଘୋଡ଼ାଇ ପକାଇଲା ଯେପରି । ସେ କହିଲେ, ‘‘ଓଃ ସେଇ ଚିଟିଟା ନା ? ହଁ, କଥାଟା କଣ କହିଲ ଦେଖି ?’’

ସଦାଶିବ– କଥାଟା ଆଉ ବେଶୀ କିଛି ନୁହେ । ମୋର ଜଣେ ଆତ୍ମୀୟାଙ୍କର ଗୋଟିଏ ଘୋଡ଼ା ମୁହାଁ ପୁଅ ଅଛି । ସେ ତାଙ୍କର ସମ୍ପତ୍ତି ବାଡ଼ି ସବୁ ଉଜାଡ଼ି ଦେବାରେ ଲାଗିଲାଣି । ସେ ବଡ଼ ପୁଅ ଏବଂ ସାବାଳକ ସେ ଥାଉଁ ଥାଉଁ ମୋର ଆତ୍ମୀୟା ତାଙ୍କର ଅନ୍ୟାନ୍ୟ ସନ୍ତାନ ସନ୍ତତିମାନଙ୍କ ପାଇଁ ତା କବଳରୁ ସମ୍ପତ୍ତି ରକ୍ଷାକରିବାର ଉପାୟ ଦେଖି ପାରୁ ନାହାନ୍ତି । ସେ ଟୋକାଟା ବର୍ତ୍ତମାନ କଲିକତା ଆସିଚି । ମୁଁ ତାକୁ ଗୋଟାଏ ବାଗରେ ପାଇ ତୁମ ପାଖକୁ ଆସିବାକୁ ସମ୍ମତ କରାଇଚି । ସେ ଯଦି ତୁମ ପାଖକୁ ଆସେ ତା’ ହେଲେ ତାକୁ ଏଠି କିଛି ଦିନ ରଖି କୁହାବୋଲାକରି ଯଦି ତା ମୁଣ୍ଡରେ ବୁଦ୍ଧି ପୂରାଇ ପାରନ୍ତି, ତାକୁ ଯଦି ବିଷୟ ଆଶୟରେ ହାତ ଦେବାରୁ ନିବର୍ତେଇ ପାରନ୍ତି ତା’ହେଲେ ବଡ଼ ଉପକାର ହୁଅନ୍ତା।

ପ୍ରମଥ– କେତେ ଦିନ ତାକୁ ଏ ରକମ ରଖିବାକୁ ଆପଣ କହନ୍ତି-? ବର୍ଷେ ? ଦିବର୍ଷ-?

ସଦାଶିବ– ସେ ବିଷୟରେ ମୁଁ କଣ କହିବି ? ଯେତେ ଦିନ ପର୍ଯ୍ୟନ୍ତ କାର୍ଯ୍ୱୋଦ୍ଧାର ନ ହେଇଚି, ସେତେ ଦିନ ପର୍ଯ୍ୟନ୍ତ ତ ରଖିବାକୁ ହବ ।

ପ୍ରମଥ– ହୁଁ କିନ୍ତୁ ତା ଲାଗି ଯେ ଖରଚ ଅନେକ, ସେ ଖରଚ ଦବ କିଏ ?

ସଦାଶିବ– ଖରଚ ଯାହାହବ ତାହା ମୁଁ ଦବାକୁ ରାଜିଅଛି, କେତେ ଯାଏ ଯାଇପାରେ-?

ପ୍ରମଥ– ଯଦି ଏକଦମ ସାବାଡ଼ କରିବାର କଥା ହୁଅନ୍ତା, ତା’ହେଲେ ସାମାନ୍ୟ କିଛି, ଧର ଏ ଟଙ୍କା ପାଞ୍ଚଶ ଖଣ୍ଡକ ମଧ୍ୟରେ କାମ ହାସିଲ କରି ପାରନ୍ତି । କିନ୍ତୁ ତୁମେ ଯାହା କହୁଚ ତା କରିବାକୁ ହେଲେ ଅନେକ ପଇସା ଦରକାର । ଅନ୍ତତଃ ହଜାର ଏକରୁ କମରେ ଚଳିବ ନାହିଁ ।

ସଦାଶିବ– ତୁମେ କଣ କହୁଚ ପ୍ରମଥ ! ସାବାଡ଼ କଣ ! ମୁଁ ତ ସେ କଥା ଆଦୌ ତୁଣ୍ଡରେ ଧରି ନାହିଁ । ତୁମର ମନେ ରଖିବା ଉଚିତ ପ୍ରମଥ ଯେ ମୁଁ କେବଳ ତାର ମୁଣ୍ଡରେ ସଦ୍‌ବୁଦ୍ଧି ଦେବାର ଓ ବିଷୟ ଆଶୟକୁ ନଷ୍ଟ କରିବା ପ୍ରବୃତ୍ତି ରୁ ନିବର୍ତେଇବାର ପ୍ରସ୍ତାବ କରିଚି । ସାବାଡ଼ ଫାବାଡ଼ କରିବା ପ୍ରସ୍ତାବରେ ମୁଁ ନାହିଁ । ମୁଁ ଏହା କହି ନାହିଁ, କି ସେପରି କିଛି ହେଲେ, ତାର ଦାୟିତ୍ୱ ମୁଁ ନେବାକୁ ରାଜି ନୁହେଁ । ତେବେ ଟଙ୍କା ହଜାର ଦେବାକୁ ମୁଁ ରାଜିଅଛି । ତେବେ ଗୋଟାଏ ଲୋକକୁ ବର୍ଷେ ଦି ବର୍ଷ କାଳ ରଖିଲେ, ମଝିରେ ମଝିରେ ତାର ଦେହ ମୁଣ୍ଡତ ନିଶ୍ଚୟ ଖରାପହବ-। ମନୁଷ୍ୟ ଜୀବନ ପାଣି ଫୋଟକା ପରି । ଚିକିତ୍ସାପତ୍ର ହେଲେ ବି ଲୋକଟା ମରିଯାଇ ପାରେ ସେପରି ଦୁର୍ଘଟଣା ଯଦି ଘଟେ ତା ହେଲେ ଅବଶ୍ୟ ମୁଁ ତୁମକୁ ଦୋଷ ଦେବି ନାହିଁ ।

ପ୍ରମଥ– ତୁମେ ବଡ଼ ଗପ ହେ ସଦାଶିବ ! ଏ ସବୁ ଲମ୍ବା ଲମ୍ବା କଥା କାହିଁକି ବାବୁ ? ସଫା ସଫା ମତଲବଟା କହିଦେଲେ, କିଏ କି ତୁମକୁ କାମୁଡ଼ି ପକାଉଚି ? ସମ୍ପତ୍ତିର ପ୍ରଲୋଭନଟା ନିଶ୍ଚୟ ବଡ଼ ବେଶୀ, ନା କଣ କହୁଚ ?

ସଦାଶିବ– କାହାର ପ୍ରଲୋଭନ ? ମୋର ? ମୋର ସେଥିରେ କିଛି ସ୍ୱାର୍ଥ ନାହିଁ ।

ପ୍ରମଥ– ନାଃ ହରେ ରାମା, ତୁମ ଭଳି ନିଃସ୍ୱାର୍ଥପର, ପରୋପକାରି ଜୀବ ଏ ସଂସାରରେ ଦେଖିବାକୁ ମିଳେ ନାହିଁ । ତୁମେ ସ୍ୱୟଂ ଦଧିଚିଙ୍କର ଦୟାମୟ ଅବତାର । କିହେ କଣ କହୁଚ ? ସମ୍ପତ୍ତିଟାର ଅନୁମାନିକ ମୂଲ୍ୟ କେତେ ବାବୁ ?

ସଦାଶିବ– ସେଥରେ ତୁମର କି ଦରକାର ? ତୁମେ ହକ ଟଙ୍କା ନବ, ଆଉ ଏ ସାମାନ୍ୟ କାମଟା–

ପ୍ରମଥ– ସାମାନ୍ୟ ! ସତେ ! କହୁଚିହେ ସଦାଶିବ, ମୋ ସାଥିରେ ଯଦି ବ୍ୟବସାୟ କରିବାକୁ ଆସିବ, ତା’ହେଲେ ମୁଁ ଯାହା ପଚାରିବି ତାର ରୋକ ଠୋକ ଜବାବ ଦବାକୁ ହବ । ତା ନକରିବ ତ ବାବୁ, ବାଟ ଦେଖ, ମୋ ଦେହି ଏ କାମ ହବ ନାହିଁ ।

ସଦାଶିବ– ଆରେ ଭାଇ ରାଗୁଚ କାହିଁକି ? ମୁଁ କଣ କହିବାକୁ ନାରାଜ ଅଛି । ସମ୍ପତ୍ତି ଆଉ କିସ, ଏଇ ଟଙ୍କା ଦଶ ଚାଳିଶ ହଜାର ମାତ୍ର ।

ପ୍ରମଥ– ତା’ ମାନେ, ଅନ୍ତତଃ ଟଙ୍କା ଲକ୍ଷକର ସମ୍ପତ୍ତି । ନାହେ କଣ କହୁଚ ? ହୁଁ ତେବେ ଟଙ୍କାଟା ?

ସଦାଶିବ– କାମ ହେଲେ ସିନା ଟଙ୍କା କଥା ।

ପ୍ରମଥ– ନା, ବାବୁ, ସେ କଥା ପଟିବ ନାହିଁ । ଅଧେ ଟଙ୍କା ତୁମକୁ ମତେ ଆଜି ଦବାକୁ ହବ । ବାକୀ ଅଧକ କାର୍ଯ୍ୱୋଦ୍ଧାର ପରେ, ନା ହେ, କଣ କହୁଛ ?

ସଦାଶିବ– ସେ କିପରି ? ତୁମେ ଯଦି ଟଙ୍କା ନେଇ କିଛି ନକର !

ପ୍ରମଥ– ତା ହେଲେ ତୁମ ଟଙ୍କାତକ ଯିବ ।

ସଦାଶିବ– ବାଃ, ବେଶ୍‌ତ, ହଜାର ଟଙ୍କା । ଆଉ ତୁମେ ଦିବ୍ୟ ଧୀରେ ସୂସ୍ଥେ କହିଦେଲ କାମ ନ ହେଲେ ସେତକ ଯିବ ।

ପ୍ରମଥ– ତୁମେ କି ରକମ ଭଦ୍ରଲୋକ ହେ ବାବୁ ! ଜଣେ ଭଦ୍ରଲୋକର ଘରକୁ ମନକୁ ଆସି ତାକୁ ମିଛୁଆ ଓ ଜୁଆଚୋର ବୋଲ ମୁହାଁମୁହିଁ କହିବାକୁ ଟିକିଏ ହେଲେ ତୁମ ପାର୍ଟିରେ ଆଞ୍ଚ ଲାଗିଲା ନାହିଁ ।

ସଦାଶିବ– ମୁଁ ତ ସେପରି କିଛି କହିନାହିଁ ।

ପ୍ରମଥ– କହି ନାହିଁ ତ ଆଉ କଣ ? କଥାହେଲା ମୁଁ ତୁମର ଗୋଟାଏ କାମ କରିବି, ତୁମେ ମତେ କିଛି ଟଙ୍କା ଦବ । ଏ କଥା ପରେ ତୁମର ଏଯେ ସନ୍ଦେହ ଯେ, ମୁଁ ଟଙ୍କା ନେଇ ଖାଇଯିବି, ଅଥଚ କାମ କରିବି ନାହିଁ, ଏହାର ଅର୍ଥ କଣ ? ତୁମେ ତ ବଡ଼ ବେହିମାନ, ନାହେ, କଣ କହୁଚ ?

ସଦାଶିବ– ଆମେ ତୁମ ଘରକୁ ଆସିଲୁଁ ବୋଲି, ତୁମେ ଆମକୁ ବେହିମାନ ବୋଲି ଗାଳିଦବ । ନା, ଆମର ଲୋଡ଼ା ନାହିଁ । ଟଙ୍କା ଦେଲେ କାର୍ଯ୍ୱୋଦ୍ଧାର କରିବା ପାଇଁ କଲିକତା ସହରରେ ତୁମ ଭଳି ବହୁତ ଲୋକ ମିଳିବେ ।

ଏହା କହି ସଦାଶିବ ବାବୁ ଉଠିପଡ଼ିଲେ । ସାଙ୍ଗେ ସାଙ୍ଗେ ତିଆଡ଼ିଏ ମଧ୍ୟ ଉଠିଲେ । ପ୍ରମଥ ବାବୁ ସେହିପରି ଚୌକି ଉପରେ ବସି ମୁଡ଼ୁକି ମୁଡ଼ୁକି ହସୁଥାନ୍ତି । ସଦାଶିବ ବାବୁ ଦୁଆର ମୁହଁକୁ ଗଲେ । ଦୁଆର ଖୋଲି ବାହାରକୁ ଯିବାର ଉଦ୍ୟମ କରୁଛନ୍ତି, ଏତିକି ବେଳେ ପ୍ରମଥ ବାବୁ କହିଲେ, ‘‘ଯିବତ ହେ ବାବୁ, ଏତେ ତର ତର କିଆଁ ! ଶୁଣ ମୋର ଆଉ ପଦେ ଅଧେ କଥା କହିବାର ଅଛି ।’’ ସଦାଶିବ ବାବୁ ଦୁଆରର କଡ଼ାଟାକୁ ସେହିପରି ଧରି ଫେରିପଡ଼ିଲେ । ପ୍ରମଥ ବାବୁ ସେତେବେଳକୁ ଉଠି ଠିଆହେଲେଣି ତାଙ୍କର ଆଖି ଦୁଇଟାରୁ ନିଆଁ ଝଲସି ଉଠିଲା ପରି ଜଣାପଡ଼ୁଚି । କିନ୍ତୁ ମୁହଁରେ ସେହିପରି ହସ, ସେହିପରି ନିର୍ବିକାର ଭାବ । ସେ ଧୀରେ ଧୀରେ ଯେପରି କଥାଗୁଡାକ ଗଣି ଗଣି ହିସାବ କରି କରି ତାଙ୍କ ପାଟି ରୁ ବାହାରୁଚି, କହିଲେ, ‘‘ଟିକିଏ ଭାବି ଦେଖିଚ, ସଦାଶିବ ବାବୁ, ତୁମେ ଆଜି ମୋ ପାଖରେ କି ପ୍ରସ୍ତାବ କରିଚ ! ଗୋଟାଏ ନିରୀହ ଅପରିଚିତ ଯୁବକକୁ ମୁଁ ବର୍ଷେ ବା ବା ଦୁଇ ବର୍ଷ ବନ୍ଦକରି ରଖିବି ଓ ଦରକାର ହେଲେ ତାକୁ ପ୍ରାଣରେ ମାରିବି । ତୁମର ମନେ ଅଛି ! ମୁଁ ଯଦି ଏଇ ଲାଗେ ପୁଲିସ ଡାକି ତୁମକୁ ଧରେଇ ଦିଏ-?’’

ତିଆଡ଼ିଏ ଚମକିପଡ଼ିଲେ । ତାଙ୍କ ମୁହଁ କଳା କାଠ ପଡ଼ିଗଲା । ସେ ସଦାଶିବ ବାବୁଙ୍କ ଆଡ଼କୁ ଅନେଇଁ ରହିଲେ । ତାଙ୍କ ଆଖିରେ ଆଖିଏ ଆଖିଏ ଲୁହ । ସଦାଶିବ ବାବୁ କିନ୍ତୁ ନିର୍ଭିକ । ସେ ଠୋ ଠୋ କରି ହସି ଉଠିଲେ, କହିଲେ ଏ ସବୁ ପ୍ରସ୍ତାବ ମୁଁ କରି ନାହିଁ । ତୁମର ପ୍ରମାଣ କଣ ! ତୁମେ କହିବ, ମୁଁ ନାହିଁ କରିବି । ବେଶ୍‌ ।’’

ପ୍ରମଥ– କିନ୍ତୁ ବାବୁ ବୁଝିଛକି, ତୁମେ ମତେ ଯେ ଚିଠି ଦେଇଥିଲ, ସେ ଚିଠିଟା ମୋ ପାଖରେ ଅଛି । ତୁମେ ମୋ ଘରକୁ ଆସିବ, ମୋର ଯଦି ଭୁଲ ନ ହୋଇଥାଏ, ତା ହେଲେ ତୁମର ସେ ଟୋକାଟା ଓ ଏଇ ରାସ୍ତା ଉପରେ ଟହଲ ମାରୁଚି । ଖୁବ୍‌ଶକ୍ତ ପ୍ରମାଣ ନାଇଁ ସତ, କିନ୍ତୁ ସବୁ ସବୁକୁ ଯୋଡ଼ିଦେଲେ ମୋର ଅଭିଯୋଗ ଟା ନିତାନ୍ତ ମିଛ ହେବ ନାହିଁ ହେ ବାବୁ । ନାହେ କଣ କହୁଚ ? ତୁମେ ଖଲାସ ହୋଇ ଯାଇ ପାର, କିନ୍ତୁ ବିଷୟଟା କାଗଜରେ ବାହାରିଯିବ । ଭାରତବର୍ଷର ଅନେକ ଲୋକ ପଢ଼ିବେ । ତୁମ ଓଡ଼ିଶା ଅସଭ୍ୟ ଅଶିକ୍ଷିତ କୁଲି ଦେଶ ହେଲେ ମଧ୍ୟ ସେଠି ଏ ସମ୍ବାଦଟା ପଶିବାକୁ ବିଳମ୍ବ ହବ ନାହିଁ । ନାହେ କଣ କହୁଚ ! ତା ପରେ ! ତା ପରେ ଭାଇ ! ତୁମେ ପରା ଜଣେ ଲୋକ ପ୍ରତିନିଧି ! ତୁମେ ପରା ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି !

କଥାଗୁଡାକ ମନରେ ଭେଦିଲା ମାତ୍ରକେ, ତିଆଡ଼ିଙ୍କର ମୁହଁ ଯେପରି ଆସ୍ତେ ଆସ୍ତେ ଉଜ୍ଜ୍ୱଳ ହୋଇ ଉଠିଲା, ଶିବବାବୁଙ୍କର ମୁହଁ ସେହିପରି ଆସ୍ତେ ଆସ୍ତେ କଳାପଡ଼ିବାକୁ ଲାଗିଲା । ୟାଙ୍କର କଥାଗୁଡାକ ସରିଲା ବେଳକୁ ଶିବବାବୁ ଯାଇ ନିଜ ସ୍ଥାନରେ ବସି ସାରିଲେଣି । ତାଙ୍କର ସେ ଦର୍ପ, ସେ ତେଜ ଆଉ ନାହିଁ । ସେ ତଥାପି ନିଜର ବଡ଼ିମା ଟେକି ରଖିବାର ଶେଷ ଉଦ୍ୟମରେ କହିଲେ, ‘‘ତୁମ କଥା ଆଉ ମୋ କଥା ମଧ୍ୟରେ ଲୋକେ କାହାକୁ ବିଶ୍ୱାସ କରିବେ ? ଯାଉ, ତୁମେ ଓ ମୁଁ ଏକ ସାଙ୍ଗରେ ପାଠ ପଢ଼ିଥିଲେଁ । ଏକ ସାଙ୍ଗରେ କେତେ ମଉଜ ମଜଲିସ କରିଥାଇଁ । ମୁଁ ପୁଣି ଭାବି ଦେଖୁଚି, ତୁମକୁ ଏ କାମଟା ଦବାହିଁ ଠିକ୍‌। ଟଙ୍କାଟା ତେବେ କଣ ଏଇଲାଗେ ?

ପ୍ରମଥ– ଆଃ, ମନ୍ତ୍ରଟା ଠିକ୍‌ ଧରିଚିନା ? ବାବୁହେ, ତୁମର ବୁଝିବା ଉଚିତ ଯେ ଚୋରି କରିବାକୁ ବାହାରିଲେ, ସାଙ୍ଗଭାଇ ଚୋରମାନଙ୍କ ଉପରେ ବିଶ୍ୱାସ କରିବା ନିତାନ୍ତ ଦରକାର । ଚୋରି ଓ କରିବ, ପୁଣି ଚୋରି ସାଥି ଚୋର ସାମନାରେ ଭଲଲୋକି ବି କରିବ, ଏ ଦୁଇ କଥା ଏକ ସାଙ୍ଗରେ ଅସମ୍ଭବ । ଦିଅ !

ସଦାଶିବ ବାବୁ ବଡ଼ କଷ୍ଟରେ ଶହେ ଟଙ୍କିଆ ନୋଟ ପାଞ୍ଚ ଖଣ୍ଡି ବାହାର କଲେ । ତାକୁ ଥରକୁ ପାଞ୍ଚଥର ଗଣୁଥାନ୍ତି । ଯେପରି ବଢ଼େଇ ଦବାକୁ ତାଙ୍କ ହାତଟା ଯାଉ ନଥାଏ । ଶେଷରେ ଦେଲେ । ଜିଭରେ ଓଠ ଦୁଇଟା ଓଦା କରି ନେଇ ଭଙ୍ଗା ସ୍ୱରରେ କହିଲେ, ‘‘ମୋ ପାଖରେ ଏତେ ଗୁଡ଼ାଏ ଟଙ୍କା ନାହିଁ ଭାଇ, ବର୍ତମାନ । ବାକି ଟଙ୍କାଟା ପାଇଁ ମତେ କିଛି ସମୟ ଦେଇ ପାରିବ ନାହିଁ-!’’

ପ୍ରମଥ– ତା ହେଲେ କାମଟା କରିବାକୁ ମଧ୍ୟ ମୋର ସମୟ ଦରକାର ସେ ଟୋକାଟା ଯଦି ଆଜି ଆସି ପହଞ୍ଚିଯାଏ, ତା ହେଲେ ଆଜିତ ମୁଁ କିଛି କରି ପାରିବି ନାହିଁ । ଦେଖିଲ ଦେଖି ଏଇ ସେଇ ଟୋକାକି !

ଏହା କହି ସେ ବାହାରପଟ ଝରକା ଦିହର ପରଦାଟା ଟାଣିଦେଲେ । ସଦାଶିବ ବାବୁ ଦେଖିଲେ ଗୋଟାଏ ବାରବୁଲା ଟୋକା ରାସ୍ତାର ଆର ପାଖରେ ଠିଆହୋଇ ଏଇ ଘର ଆଡ଼କୁ ଚାହିଁରହିଚି । ଚିହ୍ନିବାକୁ ବେଶୀ ସମୟ ଲାଗିଲା ନାହିଁ । ସଦାଶିବ ବାବୁ ଆସି ଚୌକିରେ ବସିପଡ଼ି କହିଲେ, ‘‘କିନ୍ତୁ ଆଜି ନ କଲେ ତ ଚଳିବ ନାହିଁ । ମାଛ ଜାଲରେ ପଡ଼ିଚି, ଯଦି ଖସିଯାଏ, ତା ହେଲେ ଆଉ ତାକୁ ପାଇବା ମୁସ୍କୁଲି ହବ ।’’

ପ୍ରମଥ– ମୁଁ ତ ଠିକ୍‌ସେଇ କଥା କହୁଥିଲି । କିନ୍ତୁ ଟଙ୍କାଟା ନ ପାଇଲେ ତ ମୁଁ କିଛି କରିପାରୁ ନାହିଁ । ତୁମ ପାଖରେ ଟଙ୍କା ନାଇଁ ଯେତେବେଳେ, ତୁମେ ବାକି ଟ ୧୦୦୦ ଲାଗି ଖଣ୍ଡେ ହାଣ୍ଡ ନୋଟ କରିଦିଅ, ନାହେ କଣ କହୁଚ !

ସଦାଶିବ– ହଜାରେ କଣ ! ଆଉ ପାଞ୍ଚଶ ତ !

ପ୍ରମଥ– ନା, ଏ ଯେ ପାଞ୍ଚଶ ଟଙ୍କା ଦେଲ, ଏଉଟା ମୋର ସଲେମି ତୁମକୁ ଯେ ପୁଲିଶି ପାଖରେ ଧରା ପକାଇ ଦେଇ ନାହିଁ ଓ ଦେବି ନାହିଁ ତାରି ସଲାମି । ଅସଲ କାମର ହଜାରେ ଟଙ୍କା ବାବଦକୁ ହାଣ୍ଡ ନୋଟ ନକରି ଦେଲେ ଚଳିବ ନାହିଁ ।

ଏତିକି ବେଳେ ଦୁଆର ପାଖରେ ଡାକ ହେଲା ‘ବେହେରା ବେହେରା’ ! ସଦାଶିବ ଓ ତିଆଡ଼ିଏ ଉଭୟେ ଚମକି ପଡ଼ିଲେ । ସଦାଶିବ କହିଲେ, ‘‘ଏଇ ସେଇ ଟୋକାଟା କଣ କରିବା ?’’

ପ୍ରମଥ ତାଙ୍କ ଆଡ଼କୁ କାଳି, କଲମ, କାଗଜ ଓ ଟିକଟ ବଢ଼େଇଦେଇ କହିଲେ, ‘‘ଦିଅ ହାଣ୍ଡ ନୋଟଟା ଲେଖିପକାଅ ତ !’’ ସଦାଶିବ ବାବୁ ଲେଖିବାକୁ ଆରମ୍ଭକଲେ, ଅଧାରେ ମୁଣ୍ଡ ଟେକି ଚାହିଁ କହିଲେ, ‘‘ପ୍ରମଥ ଭାଇ, ପାଠ ପଢ଼ା ଦିନ ପାଶୋରି ଦେଲୁ ? ଏତେ ସାଙ୍ଗ ସୁଖ, ହାବଭାବ, ତୁ ଶେଷରେ ମୋ ଠାରୁ ଏପରି –’’ ‘‘ଦୁଆରେ ପୁଣି ବେହେରା ବେହେରା’’ ଡାକ ଶୁଘିଲା । ପ୍ରମଥ ବାବୁ କହିଲେ, ‘‘ଏଇରେ ଲେଖ ଲେଖ । ବ୍ୟବସାୟ ଦିହରେ ସାଙ୍ଗ ସାଥି, ହାବଭାବ ପୁରାଇଲେ, ବ୍ୟବସାୟ ଚଳିବ କିପରି, ନାହେ କଣ କହୁଚ ? ଦିଅ ଲେଖ ।’’ ସାଦାଶିବ ବାବୁଙ୍କ ଆଖିରେ ପାଣି ଆସିଗଲା । ସେ ଯଥାବିଧି ଏକ ହଜାର ଟଙ୍କାର ହାଣ୍ଡ ନୋଟ ଖଣ୍ଡିଏ ଲେଖିଦେଲେ । ତା ପରେ କହିଲେ, ‘‘ଭାଇ ଆମେ କିପରି ଯିବୁଁ !’’

ପ୍ରମଥ– କାହିଁକି ଯେପରି ଆସିଥିଲ ।

ସଦାଶିବ– ନା, ଆମର ଇଚ୍ଛା ନୁହେ ଯେ ସେ ଟୋକାଟା ଆମକୁ ଏଠାରେ ଦେଖିବ । ଅନ୍ୟ କିଛି ଉପାୟ ନାହିଁ !

ପ୍ରମଥ କହିଲେ, ‘‘ଆଚ୍ଛା ତୁମେ ଟିକିଏ ଚୁପ ହୋଇ ବସତ, ମୁଁ ତାର ଉପାୟ କରୁଚି ।’’ କହି ସେ ଉଠିଗଲେ । ତା ପରେ ସଦର ଦରଜା ପାଖରେ ତାଙ୍କର ପାଟି ଶୁଭିଲା, ‘‘ବାବୁ ନାହାନ୍ତି, ତୁମେ ସନ୍ଧ୍ୟା ବେଳକୁ ଆସିବ, ବାବୁଙ୍କ ସାଙ୍ଗରେ ଦେଖାହେବ ।’’ ତା ପରେ କିଛି ସମୟ ଗଲା । ପୁଣି ତାଙ୍କର ସ୍ୱର ଶୁଭିଲା, ‘‘ସଦାଶିବ ବାବୁ ସେ କିଏ ? ମୁଁ ତାଙ୍କୁ ଚିହ୍ନେ ନାହିଁ । ସେ କାହିଁକି ଏଠିକି ଆସିବେ ? ଯାଅ ସନ୍ଧ୍ୟା ବେଳକୁ ଆସିବ ।’’

ତା ପରେ ପ୍ରଥମ ବାବୁ ଫେରି ଆସିଲେ, ଏବଂ ସଦାଶିବ ଓ ତିଆଡ଼ିଙ୍କି ଘେନି ତାଙ୍କ ଘରର ପଛ ପଟେ ବିଦାୟ କରି ଦେଲେ ।

Image

 

 

ଇତି ମଧ୍ୟରେ ସରୋଜିନୀ ଦେବୀ ତାଙ୍କର ଏକମାତ୍ର ସ୍ନେହର ଆଦରର କନ୍ୟା ପ୍ରମିଳା ଙ୍କୁ ଏକୁଟିଆ ଛାଡ଼ି ତାଙ୍କର ପ୍ରିୟତମ ସ୍ୱାମୀ ଦେବତାଙ୍କ ପାଖକୁ ଚାଲିଯାଇଛନ୍ତି । ଏ ଦୁର୍ଘଟଣାର ପରେ ଗାଁ ଗଣ୍ଡାର ଯାବତୀୟ ଛୋଟ ଓ ବଡ଼ଲୋକ, ପିଲା ଓ ମାଇପି ଆସି ପ୍ରମିଳାକୁ ନାନା ପ୍ରକାରେ ବୋଧ ଦେବାକୁ ଚେଷ୍ଟାକଲେ । କେହି କହିଲା, ‘‘କିଛି ନୁହେଁ ଏ, ଖାଲି ମିଛ ମାୟା ସଂସାର ।’’ କେହି କହିଲା, ‘‘ଏ ସବୁ ଭଗବାନଙ୍କର ଲୀଳା । ସେ ଜନ୍ମ ଦେଇଛନ୍ତି, ସେ ମାରୁଛନ୍ତି ।’’ ଆଉ କେହି କହିଲା, ‘‘କିଏ କାହାର ଲୋ ମା, ସମସ୍ତେତ ଯମ ଦଉଡ଼ିରେ ବନ୍ଧା । ଖାଲି ଅଢ଼େଇ ଦିନକୁ ବଢ଼େଇ ଘଇତା ସିନା ।’’ ପ୍ରଥମେ ପ୍ରଥମେ ଏ ସବୁ ଶୁଣିବାକୁ ପ୍ରମିଳାଙ୍କ ମନରେ ବେଳ ନଥିଲା । ସେ ନିଜର ଭାବନାରେ ନିଜେ ବୁଡ଼ିରହି ସଂସାରର ଅସ୍ତିତ୍ୱ ପର୍ଯ୍ୟନ୍ତ ପ୍ରାୟ ଭୁଲି ଯାଇ ଥିଲେ । ତେବେ ଏ ଦୁଃଖ କାହାରି କେବେ ରହେ ନାହିଁ । ଆସ୍ତେ ଆସ୍ତେ ତାଙ୍କର ମନ ଯେତେବେଳେ ସଂସାର ଆଡ଼କୁ ଫେରି ଆସିଲା, ସେତେବେଳେ ଏ କଥାଗୁଡାକ ଶୁଣି ପ୍ରଥମେ, ସେ ଭାବିଲେ, ପ୍ରକୃତରେ ଏ ଲୋକମାନେ ତାଙ୍କ ବ୍ୟଥାରେ ସମବ୍ୟଥି ଏବଂ ସେଥିପାଇଁ ସେମାନଙ୍କ ବୁଦ୍ଧି ଓ ଶିକ୍ଷା ଅନୁସାରେ ସେମାନେ ତାଙ୍କୁ ସାନ୍ତ୍ୱନା ଦଉଚନ୍ତି । କିନ୍ତୁ ଯେତେବେଳେ ଦେଖିଲେ ଯେ ଏ ଗୋଟାଏ ରୀତିମତ ବ୍ୟବସାୟ ପାଲଟି ଗଲାଣି, ଆଉ ଅଶୀ ବର୍ଷର ବୁଢ଼ା ବୁଢ଼ୀଙ୍କ ଠାରୁ ଆରମ୍ଭକରି ଷୋହଳ ସତରର ତାଙ୍କ ସାଥିମାନଙ୍କ ତୁଣ୍ଡରେ ସେଇ ଏକ କଥା, ଯାହାଙ୍କ ସହିତ ତାଙ୍କର ଏପର୍ଯ୍ୟନ୍ତ ଆଳାପ ପରିଚୟ ମଧ୍ୟ ନଥିଲା ସେମାନେ ମଧ୍ୟ ଆସି ଏହିପରି ଗୁଡ଼ାଏ ଛୋଟ କଥା କହି ତାଙ୍କୁ ଅତିଷ୍ଠ କରି ପକାଉଛନ୍ତି ସେତେବେଳେ ତାଙ୍କ ମନରେ ଗୋଟାଏ ରାଗ ଓ ଘୃଣା ଆସିଲା । ଶେଷରେ ଯେତେବେଳେ ଆର ସାହିର ପ୍ରହ୍ଲାଦ ମିଶ୍ରଙ୍କ ସ୍ତ୍ରୀ କହିଲେ, ‘‘ଆଉ କାନ୍ଦିଲେ କଣ ହବ ମା ? ମୁଣ୍ଡ କଚାଡ଼ିଦେଲେ ତ ଆଉ ମା ଫେରି ଆସିବେ ନାହିଁ । ତାଙ୍କ ସୁଖରେ ସେ ତ ଗଲେ । ଏଣିକି ତୋ କଥା ତତେ କରିବାକୁ ପଡ଼ିବ । ମା ଆମ କଥା ରଖି ତୋର ହାତକୁ ଦିହାତ କରିଦେଇ ଯାଇଥିଲେ ତୋର ଆଉ ଏତେବେଳେ ଚିନ୍ତା ଥାନ୍ତା କଣ ? ଯେତେବଳେ ବ୍ରାହ୍ମଣ ଘର, । ଗରିବ ଗୁରୂବା କେଉଁଠି ପଇସା ଲାଗି ଝିଅମାନଙ୍କୁ ବଡ଼ ହବାଯାଏ ଘରେ ରଖୁଛନ୍ତି ବୋଲି ସେଉଟାତ ଆଉ ଶାସ୍ତ୍ର କଥା ନୁହେ । ସେ ଗୁଡ଼ାକ ସବୁ ଅବଧି, ତୋରି ସାଙ୍ଗର ଝିଅମାନେ କୋଡ଼ରେ କୋଳଛୁଆ, ସ୍ୱାମୀ, ଶାଶୁ, ନଣନ୍ଦ ଘେନି ମହା ଆନନ୍ଦରେ ଚଳୁଚନ୍ତି-। ତେବେ ତୋର କିଛି ଭାବନା ନାହିଁ, ଆମେ ସବୁ ଅଛୁଁ ଯେତେବେଳେ, ତୁ କିସ ଆଉ ବାଡ଼ୁଅ ରହିଯିବୁ ? କୌଣସି ଆଡ଼ୁ ନ ହେଲେ, ଆମ ସୁରେନ୍ଦ୍ର–’’

ପ୍ରମିଳା ଆଉ ସମ୍ଭାଳି ପାରିଲେ ନାହିଁ । କହିଲେ, ‘‘ରକ୍ଷାକର ମାଉସି ତୁମର ଏ ସହାନୁଭୁତି ମୋର ଲୋଡ଼ା ନାହିଁ । ମୁଁ ବୁଝିଚି, ତୁମର ସବୁ ଏତେ ଗରଜ କେନେ ? କାହାର ପୁଅଟିଏ ଅଛି, ପାଟି ନାଳଉଚି ଯେ କିପରି ମୋ ବେକରେ ସେଥିରୁ ଗୋଟାଏ ପଥର ବାନ୍ଧିଦେଲେ, ଏ ସବୁ ସମ୍ପତ୍ତି ବାଡ଼ି ପାଟିକୁ ପକାଇ ଦିଅନ୍ତି, କାହାର ବା ଇଚ୍ଛା ଏ ତ ପିଲା, ୟାକୁ କଅଁଲେଇ ସଅଁଲେଇ ହାତ କରି ପାରିଲେ, ଭୁଲେଇ ଭାଲେଇ ଦି ଚାରି ପଇସା ଛାଟିନେଇ ଯିବା । ସେ ସବୁ ମୁଁ ବୁଝୁଚି, ମାଉସି ବୁଝୁଚି । ତୁମର ଏ ଯେ ‘ମିଛ ମାୟା ସଂସାର, କେହି କାହାରି ନୁହେଁ, ସବୁ ଅଢ଼େଇ ଦିନିଆ’ ସାନ୍ତ୍ୱନା କଥା ଗୁଡ଼ିକ, ଏ ସବୁର ମୂଳରେ କିସ ଅଛି କହିଲ ଦେଖି ? ଏ ଦୁଃଖ ସମୟରେ ଏ ପିଲାଟାର ମନରେ ଗୋଟାଏ ବୈରାଗ୍ୟ ଆଣି ଦେଲେ ତା ମନ ହୁଏତ ତାର ସମ୍ପତ୍ତି ବାଡ଼ି, ବିଷୟ ଆଶୟକୁ ଛାଡ଼ିଯିବ । ହୁଏତ ସେ ଉଦାସିନ ହୋଇ ରହିଲେ ଆମ ହାବୁଡ଼ରେ ପଡ଼ିଯାଇ ପାରେ । ତୁମେ କଣ ସତରେ ଭାବୁଚ ଓ ଅନୁଭବ କରୁଚ ଏ ସଂସାରଟା ମିଛମାୟା ବୋଲି ? ତା ହେଲେ ପିଲା, ଛୁଆ, ଘଇତା, ଶାଶୁ, ଶଶୁର ଓ ହଜାର ହଜାର ବନ୍ଧନ ନେଇ ଚ୍ଚଞ୍ଜାଳି ହେଉଚ କେନେ ? ଗଡ଼ିଆ ପୋଖରୀରେ ଯଥେଷ୍ଟ ପାଣି ଅଛି, ବାଡ଼ି ଆଡ଼ରେ ଅନେକ କନିଅର ଗଛ, କୋଚିଲା ଗଛ ଅଛି, ଦଉଡ଼ିର ଅଭାବ ନାହିଁ, ଦଉଡ଼ି ଲଗାଇବାର ଜାଗାର ମଧ୍ୟ ଅଭାବ ନାହିଁ-।’’

ରାମା ମା, ଶ୍ୱାମା ମାଇପ, ହତିଆ ବୋହୁ, ଗୋବିନ୍ଦା ଭଉଣୀ, ଯେ ଯେଉଁଠାରେ ବସିଥିଲେ, ସେ ସେଇଠାରୁ ଫଡ଼କରି ଉଠିପଡ଼ିଲେ । ତାଙ୍କ ଭିତରେ ଯେ ଟିକିଏ କୁହାଳିଆ ଥିଲା, ସେ କହିଲା, ‘‘ଚାଲଲୋ ସବୁ ଚାଲ, ଏ କଳି କାଳରେ ଭଲ କଲେ ମନ୍ଦ । ଆମେ ୟାକୁ ବୁଝେଇ ବସିଲେଇଁ ଯେ ଏ ଅଛଦରି ଟୋକି ଆମକୁ ଉଲଟି ଗାଳିଦଉଚି, କେନେ ଗୋ, କେନେ, ଆମେ କେନେ ଦଉଡ଼ିଦେଇ, ବିଷ ଖାଇ ମରିବୁଁ, ଯେ ବ୍ରାହ୍ମଣ ଘର ଝିଅ ହୋଇ ଷୋଳ ବର୍ଷ ଯାଏ ଅଭିଆଡ଼ି ଅଛି, ଯାହାକୁ ବର ମିଳୁନାଇଁ, ସେଇ ବିଷ ଖାଇ ମରୁ ।’’ ଏହା କହି ସେମାନେ ଚାଲିଗଲେ । ରହିଗଲା କେବଳ କମଳା ବାଳ ବିଧବା, ପ୍ରମିଳାଙ୍କର ପିଲା ଦିନର ସାଙ୍ଗ । ସମସ୍ତେ ଚାଲିଗଲା ପରେ ସେ ପ୍ରମିଳାଙ୍କୁ କହିଲେ, ‘‘ପେମି, ଏପରି ଲୋକ ଗୁଡ଼ାଙ୍କୁ କହନ୍ତି ?’’

ପ୍ରମିଳା– ନ କହିବ କେନେ ? ସେମାନେ କେନେ ଏପରି ମିଛ ଆପଣାର ହେଇ ବସିଲେ କି ?

କମଳା– ସେମାନେ ଯାହା କହିଲେ ସେଗୁଡ଼ା କି ମିଛ ! ପ୍ରକୃତରେ କି ସଂସାରଟା ମିଛ ମାୟା ନୁହେଁ !

ପ୍ରମିଳା– ନା, କଦାପି ନୁହେ ! ଯାହା ମୁଁ ଆଖିରେ ଦେଖୁଚି, ଅଙ୍ଗେ ନିଭେଇଚି, ତା ହବ ମିଛ, ମାୟା, ଆଉ ଭଗବାନ, ପରଜୀବନ, ଯାହା ମୁଁ କେବେ ଆଖିରେ ଦେଖି ନାହିଁ ଦେହରେ ଅନୁଭବ କରିନାହିଁ ସେ ହବ ସତ ! ମୁଁ ନିଆଁକୁ ହାତରେ ଧଇଲି, ହାତ ମୋର ପୋଡ଼ିଗଲା, ଫୋଟକା ହୋଇଗଲା, ସେ ହବ ମିଛ, ଆଉ ତୁ ଯଦି କହୁ ଯେ ମୁଁ ପାଣିରେ ହାତ ବୁଡ଼େଇ ଦେଲି ଯେ ମୋ ହାତ କୋଲମାରିନେଲା, ସେ ହବ ସତ ?

କମଳା– କିନ୍ତୁ ପେମି, ସଂସାରରେ ଯୋଗି ଋଷିମାନେ ତ ପୁଣି ଈଶ୍ୱରଙ୍କ ଦେଖିଚନ୍ତି !

ପ୍ରମିଳା– ତୁ ଦେଖିଚୁ ସେମାନେ ଦେଖିଚନ୍ତି ? ନ ଖାଇ ନ ପିଇ ଦିହପ୍ରାଣ ସବୁ ଶୁଖେଇ ଆତ୍ମାର କଲବଲରେ ସେମାନେ ଯାହା ଦେଖନ୍ତି ସେ ତ ଗୋଟାଏ ଦୁଃ ସ୍ୱପ୍ନ ଲୋ, ଭୁତ ସ୍ୱପ୍ନ । ତୁଇ ନିଜେ କହନା ଏକାଦଶି ନିରାଧାର ଉପବାସରେ ତୁ ଯେତେବେଳେ ଅଚେଷ୍ଟ ହୋଇ ଶୋଇରହୁ, ସେତେବେଳେ ତୁ କଣ ସୁନ୍ଦର ସୁନ୍ଦର ଜିନିଷ, ଭଲ ଭଲ ଖାଦ୍ୟର ସ୍ୱପ୍ନ ଦେଖୁନାହିଁ ? ସ୍ନେହ ପ୍ରେମ, ଟିକିଏ ଭଲପାଇବାର ଆଶାରୁ ବଞ୍ଚିତ ହୋଇ ତୁ ଯେତେବେଳେ ପ୍ରାଣ ବିକଳରେ କେତେ ସୁଖର କଳ୍ପନା କରୁ ଆଉ କରୁ କରୁ ଶୋଇଯାଉ, ସେତେବେଳେ ତୁ କଣ ସେ ସତ ଆଉ ତୋର ଏଇ ନିରାଟ, ନିର୍ମମ, ନିର୍ଦୟ, ବିଧବା ଜୀବନ ମିଛ । ନା ବିମଳା, ଯୋଗିଋଷିମାନେ ଈଶ୍ୱରଙ୍କର ଗୋଟାଏ ଜ୍ୟୋତିର୍ମୟ ମୂର୍ତି କରିନେଇ ସେଇ ମୁର୍ତିଟିକୁ ସବୁବେଳେ ଭାବନାକରନ୍ତି ବୋଲି ସେମାନେ ବେଳେ ବେଳେ, ସେ ମୁର୍ତିଟାକୁ ଦେଖିପକାନ୍ତି । ସେ ସତ ନୁହେ, କେବଳ ମାୟା, କେବଳ କୁହୁକ, କେବଳ ଇନ୍ଦ୍ରଜାଲ । ସତ ହଉଚି ଏଇ ମାଟିର ଏ ସଂସାରଟା ସତ ହଉଚି ଏଇ ପାଣି, ପବନ, ନିଆଁ, ସତ ହଉଚି ଏଇ ବିଛେଦ, ବିରହ, ଦୁଃଖ, ତାପ, ରାଗ ଶୋକ ।

କମଳା– ତୁ କଣ ଯେ କହୁ ପେମି ! ଏ ସବୁ ତୋର ସେ ଖିରସ୍ତାନ ବହିଗୁଡ଼ାକ ପଢ଼ିବାର ଫଳ ।

ପ୍ରମିଳା– ନା, ଖିରସ୍ତାନମାନଙ୍କର ମଧ୍ୟ ସେଇ ଭ୍ରମ । ସେମାନେ ମଧ୍ୟ ଯିଶୁଖ୍ରୀଷ୍ଟଙ୍କର ସ୍ୱପ୍ନ ଦେଖନ୍ତି, ସେମାନେ ମଧ୍ୟ ଗାବ୍ରିୟେଲର କଳ୍ପନା କରନ୍ତି । ସେମାନେ ମଧ୍ୟ ଅତ୍ୟାଚାରିତ, ସମସ୍ତ ସୁଖରୁ ବଞ୍ଚିତ, କାଙ୍ଗାଳର ପୁତ୍ର ଯିଶୁଖ୍ରୀଷ୍ଟଙ୍କ ସୁଖ ସ୍ୱପ୍ନର କଳ୍ପନା ମନ ଭିତରେ ପୋଷି ଗୋଟାଏ ମିଛ ଜ୍ୟୋତିର୍ମୟ କାଳ୍ପନିକ ପୁଋଷର ଉପାସନା କରନ୍ତି । ଏ ପାଗଲମିରୁ ହିନ୍ଦୁ ଖ୍ରୀଷ୍ଟିୟାନ, ମୁସଲମାନ କେହି ବଞ୍ଚି ନାହିଁ । ଏ ସଂସାର ଭଗବାନଙ୍କର ଖେଳ ନୁହେ, ବୁଦ୍ଧିମାନର ଖେଳ । ବୁଦ୍ଧିମାନ ବ୍ରାହ୍ମଣ, ବୁଦ୍ଧିମାନ ପୁରୋହିତ ଧର୍ମଯାଜକ ବୁଝିଥିଲେ, ପ୍ରକୃତ ସୁଖ ହଉଚି, ନିର୍ଦ୍ୱନ୍ଦରେ ବସି, କଳ୍ପନାର ସୁଅରେ ଭାସିବାକୁ ହେବ ଓ ବିନା ପରିଶ୍ରମରେ ଦେହ ରକ୍ଷାକରିବାର ଯାବତୀୟ ସୁଖ ଓ ବିଳାସ ପାଇବାକୁ ହେବ । ତାର ଉତ୍‌କୃଷ୍ଟ ପନ୍ଥା ତାଙ୍କୁ ଦିଶିଲା, ପର ଠାରୁ, ଛଳେ, କୌଶଳେ ଧନ ନେଇଯିବା । ସେହିହେତୁରୁ ହଜାର ହଜାର ବହି ଲକ୍ଷ ଲକ୍ଷ ଯୁକ୍ତି ଦେଇ ସେ ଇତର ଲୋକମାନଙ୍କ ମନରେ ଧାରଣା କରାଇବାକୁ ଚେଷ୍ଟା କଲେ ଯେ...... ଏ ସଂସାର ମିଛ, ଏ ଧନ ସମ୍ପତ୍ତି ମାୟା, ଏ ପୁଅ, ଝିଅ, ବାପ, ମା ଖାଲି ଗୋଟାଏ ବନ୍ଧନ ଆଉ ନିର୍ବୁଦ୍ଧି ଇତର ଜାତି–’’ ପ୍ରମିଳା କହି ଚାଲିଚନ୍ତି, ଏହି ସମୟରେ ବାହାର ପଟ ପାଟି ଶୁଭିଲା ‘‘ପେମି ପେମି’’ ! କମଳା ଉଠି ଚାଲିଗଲା । ଶ୍ୟାମ ବାବୁ ଆଉ ଜଣେ ଭଦ୍ରଲୋକଙ୍କୁ ଘେନି ଆସି ସେଠାରେ ପହଞ୍ଚିଲେ । ସେ ଭଦ୍ରଲୋକ ସ୍ନେହ ପୂର୍ଣ୍ଣ ଗୋଟିଏ କଟାକ୍ଷ ପ୍ରମିଳାଙ୍କ ଉପରେ ପକାଇ କହିଲେ, ‘‘ମା ସବୁ କାମତ ଏଥର ସରିଲା । ମୁଁ ଆଉ କେତେ ଦିନ ବସି ରହିବି, ଘରେ ତ ଆଉ କେହି ନାହିଁ ଚାଲ ମା ଯିବା ଏଥର ।’’

ପ୍ରେମି– କୁଆଡ଼େ ମାମୁଁ ?

ଭଦ୍ରଲୋକ– କୁଆଡ଼େ ଆଉ ? ଆମ ଘରକୁ ।

ପ୍ରମିଳା– କି ବୁଲି ?

ଶ୍ୟାମ– ନାଇଁ, ନରେନ୍‌ ମାମା କହୁଚନ୍ତି, ମା ତ ଗଲେ, ତୁ ଏଠି ଏକୁଟିଆ ରହିବୁ କିପରି ? ତାଙ୍କ ଘରେ ଯାଇ ରହ । ସମ୍ପତ୍ତି ବାଡ଼ି ତ ମୁଁ ଦେଖାଚାହଁ କରୁଚି । ତୁ ଯେତେବେଳେ ବଡ଼ହୋଇଯିବୁ, ବାହାହୋଇଯିବୁ, ତୋର ସମ୍ପତ୍ତି ତୁ ସେତେବେଳେ ଦେଖିବୁ ।

ପ୍ରମିଳା– ନା, ମୁଁ ମୋର ବାପ-ମାଙ୍କ ଘର ଛାଡ଼ି ଯିବି କେନେ ? ମାମା, ତୁମ ଗୋଡ଼ତଳେ ମୋର କୋଟି ଦଣ୍ଡବତ, ମୋ ଉପରେ ରାଗ କର ନାହିଁ । ମୁଁ ତୁମର ଭାଣେଞ୍ଜି, ତୁମେ ମୋର ମାମୁଁ ଆଉ ମୋର ବୋଲି ଏକମାତ୍ର ଲୋକ ମୋର ଆଉ କିଏ ଅଛି ? କହୁଁ କହୁଁ ତାଙ୍କ ସ୍ୱର ଗଦଗଦ ହୋଇ ଆସିଲା । ପରେ ସମ୍ଭାଳିନେଇ କହିଲେ, ବାପା ମରିଗଲା ବେଳେ ଏ ସମ୍ପତ୍ତି ବାଡ଼ି ମାଙ୍କ ଜିମା କରିଦେଇ ଯାଇଥିଲେ । ମା ତାଙ୍କ କଥା ମାନି ତାକୁ ସମ୍ପୁର୍ଣ୍ଣ ଭାବରେ ସାଇତିରଖି ମୋ ଜିମା ଛାଡ଼ିଦେଇ ଗଲେ । ମୁଁ କିପରି ସାତ ପୁଋଷି ଘର ଦ୍ୱାର, ଜାନ ଆସ୍ଥାନ ଛାଡ଼ି ଚାଲିଯିବି ?’’

ନରେନ– କିନ୍ତୁ ମା, ତୁତ ପିଲା, ତୁ କଣ ଏ ସବୁ ଦେଖା ଚାହାଁ କରି ପାରିବୁ ! ଏ ସବୁର ଭାର ନେଇ ପାରିବୁ !

ଶ୍ୟାମ– ସେ ତ ନେଇ ପାରିବ ନାହିଁ ଜାଣି, ମା ଉଇଲକରି ମତେ ଇକ୍‌ସିକିଉଟର କରିଦେଇ ଯାଇଚନ୍ତି ।

ପ୍ରମିଳା– ବୁଝୁଚି, ସେଉଟା ଆଉ ମୋ ମନରେ ପକାଇଦେବା ଦରକାର ନାହିଁ । ନାଇଁ ମାମା, ମୁଁ ଜମିବାଡ଼ି, ଜମିଦାରି ବୁଝାସୁଝା କରି ନପାରିଲେ ମଧ୍ୟ, ଅନ୍ତତଃ ଏ ଘର ଦ୍ୱାର ତକ ତ ସାଇତି ରଖିପାରିବି ।

ନରେନ– ତା ହେଲେ କି ଆମ ଘରକୁ ଆଉ ଯିବୁ ନାହିଁ !

ପ୍ରମିଳା– ତା କି ନଯାଇ ମୁଁ ରହିପାରେଁ, ମାମା ! ନିଶ୍ଚୟ ଯିବି, ଯେତେବେଳେ କହିବ ସେତେବେଳେ ଯିବି । କିନ୍ତୁ ସବୁଦିନେ ରହିବା ପାଇଁ ଯାଇ ପାରିବି ନାହିଁ ।

ନରେନ– ମୁଁ ବୁଝୁଚି ମା, ବୁଝୁଚି । ମାଇଁ ହେତୁରୁ ତୁ ସେଠି ରହିବାକୁ ନାରାଜ । କିସ କରିବି ମା, ହାତଧରି ବାହାହେଇଚି, ମୋ ପିଲା ଗୁଡ଼ିଙ୍କର ମା ତ ଯେତେବେଳେ ସେ । ଭଦ୍ରଲୋକ ଘର, ତାକୁ ନେଇ ଗଡ଼ାପଡ଼ା ହେଲେ ଦାଣ୍ଡକୁ ଅସୁନ୍ଦର ଦିଶିବ ବୋଲି ମୁଁ ସବୁ ମୁଣ୍ଡ ପୋତି ସହିଯାଉଚି । କିନ୍ତୁ ଏପରି ଜବର ମାଇକିନିଆ ସେ, ମୁଁ ଏତେ କରି କହିଲି ଚାଲ, ଦିଦି ତ ମରିଗଲା, ପେମିଟା ପିଲା, କେତେ ହିନସ୍ତା ହଉଥିବ, ତୁ ଗଲେ ତାର ଟିକିଏ ଭରସା ହବୁ, ମୋ କଥା ଶୁଣିଲାନାହିଁ, କଣକରିବ ମା ?

ପ୍ରମିଳା– ସେ କଥା ଯାଉ ମାମୁଁ, ଯାହା ନ କରି ହବ, ତାକୁ ଭାବି ଆଉ ଫଳ କିସ ?

ନରେନ– ତେବେ ମା, ତୁ କିସ କରିବୁ ବୋଲି ଭାବୁଚୁ ?

ପ୍ରମିଳା– କରିବି ଆଉ କିସ । କଲେଜ ଖୋଲିଲେ ମୁଁ କଟକ ଚାଲିଯିବି । ଛୁଟିରେ ଯେତେବେଳେ ଆସିବି, ସେତେବେଳେ ଥୋଡ଼ାଏ ଦିନ ଏଠି ରହିଲେ, ଥୋଡ଼ାଏ ଦିନ ତୁମ ଘରେ ରହିବି । ମତେ ଟିକିଏ, କଟକରେ ଦେଖି ଆସୁଥିବ ମାମା ? ଭୁଲିଯିବ ନାହିଁ ।

ନରେନ– କିନ୍ତୁ ମା, ତୁ ଏଡ଼େ ବଡ଼ ଘରେ ଏକୁଟିଆ କିପରି ରହିବୁ ?

ପ୍ରମିଳା– ମା ବୁଢ଼ୀ ହେଇ ତ ଫେରେ ଏକୁଟିଆ ଥିଲେ, ମୁଁ ତ ତାଙ୍କ ଅପେକ୍ଷା ଦୁର୍ବଳ ନୁହେ । ତା ପରେ ଗଦା ମା ଅଛନ୍ତି ।

ନରେନ– ହଁ ଗଦା ମା ଅଛି, ସେତିକି ଯାହା ବଳ ।

ଶ୍ୟାମ– ମୁଁ କହୁଥିଲି ପେମିର ବିବାହ......

ପ୍ରମିଳା– ସେ ଭାବନା ତୁମର କାହିଁକି ଶ୍ୟାମ ବାବୁ ?

ଶ୍ୟାମ– ଶ୍ୟାମ ଭାଇ ବୋଲି କହ, ଶ୍ୟାମ ଭାଇ ବୋଲି କହ...... ମୁଁ ପରା ତୋର ବଡ଼ ଭାଇ, ଆପଣାର ଲୋକ । କିନ୍ତୁ ପ୍ରମିଳା ତାର ଜବାବ ନ ଦେଇ ନରେନ ବାବୁଙ୍କୁ ପଚାରିଲେ, ‘‘ତୁମେ ଜଳଖିଆ କଲଣି ମାମୁଁ ? ଚାଲ, ମୁଁ ତୁମ ପାଇଁ ଜଳଖିଆ ବନ୍ଦୋବସ୍ତ କରେ ।’’ କହି ସେ ନରେନ ବାବୁଙ୍କ ହାତ ଧରି ତାଙ୍କୁ ଘୋଷାରି ଘୋଷାରି ଘେନି ଚାଲିଗଲେ। ଶ୍ୟାମ ବାବୁ ସେହି ସ୍ଥାନରେ କିଛି ସମୟ ଠିଆହୋଇ ରହିଲେ । ତାଙ୍କର ମୁହଁ ଫିକା ପଡ଼ିଗଲା । ଆଖି ନାଲ ନାଲ ହୋଇଗଲା । ଓଠ କମ୍ପିଉଠିଲା । ସେ ଡାହାଣ ହାତର ମୁଠା ପ୍ରମିଳାଙ୍କ ଆଡ଼ କୁ ହଲାଇ ସେଠାରୁ ଚାଲିଗଲେ ।

Image